ତିଗିରିଆ : ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ବିଭିନ୍ନ ଜନବସତି ପାଖରେ ଥିବା ଜଳ ଉତ୍ସଗୁଡିକରୁ ଜଳସ୍ତର ହ୍ରାସ ପାଇଚାଲିଛି। ଏପରି ସ୍ଥଳେ ତିଗିରିଆ ବ୍ଳକ ପୁରୁଣା ତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଚଷାଆଁରା ଗ୍ରାମରେ ପିଇବା ପାଣି ସମସ୍ୟା ଦେଖାଦେଇଛି।
ଗ୍ରାମରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ରହିଥିଲେ ମଧ୍ୟ ପର୍ଯ୍ୟାପ୍ତ ଜଳ ମିଳୁନଥିବାରୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଜଣାପଡିଛି। ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପର ଉତ୍ସ କୂପରୁ ଆବଶ୍ୟକ ପରିମାଣର ଜଳ ହେଉନଥିବାରୁ ଦୁଇ ଓଳି ବଦଳରେ ବର୍ଷ ତମାମ ମାତ୍ର ଗୋଟିଏ ଓଳି ଉପରବେଳା ଜଳ ଯୋଗାଣ ହୋଇଥାଏ। ତାହା ପୁଣି ୧୫-୨୦ ମିନିଟରୁ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ବୋଲି ଗ୍ରାମବାସୀଙ୍କ ଅଭିଯୋଗରୁ ଜଣା ପଡ଼ିଛି।
ଗ୍ରାମରେ ଲୋକ ସଂଖ୍ୟା ପ୍ରାୟ ୧ ହଜାର ହେବ। ପିଇବା ପାଇଁ ଲୋକେ ଏହି ପ୍ରକଳ୍ପ ଜଳ ଉପରେ ପୂର୍ଣ୍ଣ ନିର୍ଭରଶୀଳ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗ୍ରାମରେ ୪ ଟି ନଳକୂପ ରହିଥିଲେ ମଧ୍ୟ ତାହା ପିଇବା ଯୋଗ୍ୟ ନୁହେଁ। ଅତିଶୟ ଲୌହ ଗୁଣ୍ଡ ମିଶା ଜଳ ବାହାରୁଥିବା ଲୋକେ ତାହାକୁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ବହୁଦିନ ପୂର୍ବରୁ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ନଳକୂପ ଗୁଡ଼ିକରେ ନାଲି ଗାର ଦେଇ ପିଇବା ପାଇଁ ବାରଣ କରାଯାଇଥିବା ଲୋକେ କହିଛନ୍ତି। ଗ୍ରାମଟି ଏକ ପାହାଡ ଉପରେ ରହିଥିବାରୁ ପ୍ରତିବର୍ଷ ଖରାଦିନେ ଏଠାକାର ବାସିନ୍ଦା ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗ୍ରାମବାସୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
Comments are closed.