ଶ୍ରୀରାମ ରଥଯାତ୍ରା ଓ ବିଶାଳ ଶୋଭାଯାତ୍ରା, ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ପିପିଲି

ପିପିଲି:ପବିତ୍ର ଶ୍ରୀରାମ ନବମୀ ଅବସରରେ ପିପିଲିର ସଂଗଠିତ ହିନ୍ଦୁ ପରିବାର ଓ ପିପିଲି ଡେଲାଙ୍ଗ ଶ୍ରୀରାମ ନବମୀ କମିଟି ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ଶ୍ରୀରାମ ରଥଯାତ୍ରା ଓ ବିଶାଳ ଶୋଭାଯାତ୍ରା ପିପିଲି ପରିକ୍ରମା କରିଥିଲା। ଏହାକୁ ବିଭିନ୍ନ ସ୍ଥାନରେ ଭରପୁର ସ୍ୱାଗତ କରାଯାଇଥିଲା। ଏଥିପାଇଁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଶ୍ରୀରାମ ପତାକାମୟ ହୋଇଯାଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ପିପିଲି ବଜାର ପ୍ରକମ୍ପିତ ହୋଇଥିଲା।
ସଂଗଠିତ ହିନ୍ଦୁ ପରିବାରର ସଂସ୍ଥାପକ ପ୍ରଦୀପ୍ତ କୁମାର ବେହେରା ଓ ଆବାହକ ପ୍ରକାଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ୩ହଜାରରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱେଚ୍ଛାକୃତ ଭାବେ ହାତରେ ଶ୍ରୀରାମ ପତାକା ଧରି ସିଉଳା ସ୍ଥିତ ଜାଗେଶ୍ୱରୀ ମନ୍ଦିର ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ଜାତୀୟ ରାଜପଥରେ ଟୋଲଗେଟ ଛକ ଦେଇ ପିପିଲି ପୌରାଞ୍ଚଳ ସମେତ ଦାଣ୍ଡମୁକୁନ୍ଦପୁର ଅଞ୍ଚଳ ପରିକ୍ରମା କରିଥିଲେ। ଏହି ଅବସରରେ ପିପିଲିର ସଙ୍କଟମୋଚନ ହନୁମାନ ମନ୍ଦିର, ମା’ ପୋଢେଇଶୁଣୀ ଓ ଦାଣ୍ଡମୁକୁନ୍ଦପୁର ସ୍ଥିତ ଶ୍ରୀଗୋପୀନାଥଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଛନା କରାଯାଇଥିଲା।

ଏହି ଶୋଭାଯାତ୍ରରେ ଏକ ଭବ୍ୟ ରଥରେ ପ୍ରଭୁ ଶ୍ରୀରାମଚନ୍ଦ୍ର, ଶ୍ରୀଲକ୍ଷ୍ମଣ, ମା’ସୀତାଦେବୀ ଓ ପରମ ଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହ ବିଜେ କରାଯାଇଥିଲା। ବହୁ ସଂଖ୍ୟାରେ ହନୁମାନ ବେଶଧାରୀ ଯୁବକମାନେ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ସେହିପରି ପିପିଲି ଡେଲାଙ୍ଗ ଶ୍ରୀରାମ ନବମୀ କମିଟିର ସଭାପତି ଜନ୍ମେଜୟ ଜେନା, ଡେଲାଙ୍ଗ-ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନଙ୍କ ନେତୃତ୍ୱରେ ଏବଂ ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବିଶାଳ ଶୋଭାଯାତ୍ରା ଓ ଶ୍ରୀରାମ ରଥ ପିପିଲିର ତରାକାଜ ଫ୍ଲାଏଓଭର ବ୍ରିଜ ଠାରୁ ବାହାରି ପିପିଲି ବଜାର ପରିକ୍ରମା କରିବା ସହ ଡେଲାଙ୍ଗ ଅଭିମୁଖେ ଯାଇଥିଲା।

prayash

ପ୍ରଭୁ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ଦେବୀ ସୀତା ଓ ପରମଭକ୍ତ ଶ୍ରୀହନୁମାନଙ୍କ ବିଗ୍ରହ ଥିବା ଏକ ସୁସଜ୍ଜିତ ରଥ ସମେତ ୩ଟି ଟ୍ରଲରରେ ଶତାଧିକ ହନୁମାନ ବେଶଧାରୀ ଯୁବକ, ଘଣ୍ଟୁଆ, ସଂକୀର୍ତ୍ତନଣ୍ଡଳୀ ଆଦି ଶୋଭାଯାତ୍ରାର ଶୋଭାବର୍ଦ୍ଧନ କରିଥିଲା। ଏଥିରେ ମଧ୍ୟ ୨ହଜାରରୁ ଉର୍ଦ୍ଧ ବାଇକ ଆରୋହୀ ଶ୍ରଦ୍ଧାଳୁ ହାତରେ ଶ୍ରୀରାମଙ୍କ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପିପିଲି ଚାନ୍ଦୁଆ ବଜାର, ହାଟଛକ, ଡେଲାଙ୍ଗ ଛକ, ବାଜପୋଇ ଛକ ଦେଇ ଏହି ଶୋଭାଯାତ୍ରା ଡେଲାଙ୍ଗ ଅଭିମୁଖେ ଯାଇଥିଲା। ବିଭିନ୍ନ ସ୍ଥାନରେ ଏହି ଶୋଭାଯାତ୍ରାକୁ ଭରପୁର ସ୍ୱାଗତ କରାଯାଇଥିବା ବେଳେ ଦାନୋଗହିର ଛକ ଠାରେ କେତେକ ମୁସଲିମ ଭାଇମାନେ ଫୁଲ ପକାଇ ଶ୍ରୀରାମ ରଥକୁ ସ୍ୱାଗତ କରିଥିବା ପରିଲକ୍ଷିତ ହୋଇଥିଲା।

ଏହି ଦୁଇଟି ଶୋଭାଯାତ୍ରା ପିପିଲି ସହର ପରିକ୍ରମା କରିବା ସମୟରେ ଜୟ ଶ୍ରୀରାମ ଧ୍ୱନୀ, ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ମହୁରୀ ଓ ତୂରୀଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ପିପିଲି ଟୋଲଗେଟ୍‍ ଛକ ଠାରେ ଯୁବ ସମାଜସେବୀ ସରୋଜ କୁମାର ପ୍ରଧାନ ସମସ୍ତ ଶୋଭାଯାତ୍ରାକାରୀଙ୍କୁ ଦହି ପଣାରେ ଆପ୍ୟାୟିତ କରିଥିଲେ। ଶୋଭାଯାତ୍ରା ସମୟରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଅଭିମନ୍ୟୁ ନାୟକ ପ୍ରମୁଖ ଅନ୍ୟ ପୁଲିସ ଅଫିସର ଓ ଫୋର୍ସଙ୍କ ସହ ଉପସ୍ଥିତ ଥିଲେ।

kalyan agarbati

Comments are closed.