ନାଟକ ଦେଖିବାକୁ ବଢୁଛି ଦର୍ଶକଙ୍କ ଆଗ୍ରହ, ଏପ୍ରିଲ୍ ୫ରୁ ପୁଣି ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ଭୁବନେଶ୍ୱର : ମଞ୍ଚ ନାଟକ ଠାରୁ ଓଡ଼ିଆ ଦର୍ଶକ ମୁହଁ ଫେରାଇ ନେଉଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବାରମ୍ବାର ପୂର୍ଣ୍ଣ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇ ଏକଥାକୁ ଭୁଲ୍ ପ୍ରମାଣିତ କରିଛି ଚକଲେଟ୍ ପ୍ରଡ଼କ୍‌ସନ୍ସ ପ୍ରଯୋଜିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୧୬ଟି ସୋ ଅନୁଷ୍ଠିତ ହୋଇସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ପୂର୍ବବତ୍ ଅତୁଟ ରହିଛି। ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆସନ୍ତା ଏପ୍ରିଲ୍ ୫ରୁ ୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସଂନ୍ଧ୍ୟା ୬ଟାରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ନାଟକ ‘ଆହେ ନୀଳଶଇଳ’। ଆଗ୍ରହୀ ଦର୍ଶକଙ୍କ ଲାଗି ଅନଲାଇନରେ ନାଟକର ଅଗ୍ରିମ ଟିକେଟ୍ ଉପଲବ୍ଧ ହୋଇସାରିଛି। ଆଗ୍ରହୀ ଦର୍ଶକ ‘ବୁକ୍ ମାଇଁ ଶୋ’ ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକିଂ କରିପାରିବେ।

ନାଟକର ରୂପକାର ତଥା ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହନ୍ତି ‘ଆହେ ନୀଳଶଇଳ’ ପୁଣିଥରେ ୫ ଦିନ ପାଇଁ ମଞ୍ଚସ୍ଥ ହେଉଥିବାରୁ ମୁଁ ବହୁତ ଖୁସି। ଆନନ୍ଦର ବିଷୟ ହେଲା ଦର୍ଶକଙ୍କ ଭଲପାଇବା ଓ ଅନୁରୋଧ ହେତୁ ଆମକୁ ବାରମ୍ବାର ନାଟକ ପ୍ରଦର୍ଶନ କରିବାକୁ ପଡ଼ୁଛି। ମୁଁ ଆଶା କରୁଛି, ଯେଉଁମାନେ ନାଟକ ଦେଖିପାରି ନାହାନ୍ତି ଏଥର ସେମାନେ ନିଶ୍ଚୟ ଦେଖବାର ସୁଯୋଗ ନେବେ। ‘ଆହେ ନୀଳଶଇଳ’ ନାଟକ ମାଧ୍ୟମରେ ଚକଲେଟ୍ ପ୍ରଡକ୍ସନ୍ସ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବାରୁ ମୁଁ ଖୁସି। ରାଜଧାନୀ ଭୁବନେଶ୍ୱର, ମହାନଗରୀ ବେଙ୍ଗାଲୁରୁ ଓ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରଦର୍ଶିତ ହୋଇ ଓଡ଼ିଆ ମନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଛି ‘ଆହେ ନୀଳଶଇଳ’।

ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ‘ଆହେ ନୀଳଶଇଳ’ ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ଼. ପ୍ରତିମା ହୋତା। ନିର୍ଦ୍ଦେଶନାରେ ଅଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଛୋଟ ପରଦାର ଅନେକ ଜଣାଶୁଣା କଳାକାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି। ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲାମ୍ ମହାରାଣୀ, ପ୍ରକାଶ ଜେନା ତକୀ ଖାଁ, ରାଜେନ୍ଦ୍ର ସ୍ୱାଇଁ ବକ୍ସି, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଇ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ହାସ୍ୟାଭିନେତା ହାଡ଼ୁ ଷଣ୍ଢ ସୁଆର ଭୂମିକାରେ ନଜର ଆସିଥିବା ବେଳେ ଆରଜେ କେପି ମୁରାଦ ଅଲ୍ଲୀ ଚରିତ୍ର ନିଭାଇଛନ୍ତି । ଏହାବାଦ୍ ଲଳିତ ମୋହନ ପଣ୍ଡା, ପାର୍ଥ, ଚିନ୍ମୟ, ଶମ୍ଭୁ ହୋତା, ଗୋବିନ୍ଦ ମହାପାତ୍ର, ଉମା, ରଘୁନାଥ, ପ୍ରଭାତ, ସୁନୀଲ୍‌, ସୁଜିତ୍‌, କେକେ, ଚିତ୍ରସେନ, ସତ୍ୟ ଓ ରାକେଶ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ବିପ୍ରଞ୍ଜୟ ପ୍ରଡ଼କ୍ସନରେ ସହାୟତା କରିଥିବା ବେଳେ ନିର୍ଦ୍ଦେଶନାରେ ସହଯୋଗ କରିଛନ୍ତି ଅନନ୍ତ ଓ ଜିତୁ।

ଉଲ୍ଲେଖଯୋଗ୍ୟ, ୨୦୨୨ରେ ପ୍ରଥମେ ଏପ୍ରିଲ୍ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ୱରରେ ମଞ୍ଚସ୍ଥ ହୋଇଥିଲା ‘ଆହେ ନୀଳଶଇଳ’। ଦର୍ଶକଙ୍କ ଅନୁରୋଧ କ୍ରମେ ପୁଣି ଜୁଲାଇରେ କ୍ରମାଗତ ୩ ଦିନ ନାଟକ ଅଭିନୀତ ହେଲା। ଏହାପରେ ଅକ୍ଟୋବର ୧୪ରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବେଙ୍ଗାଲୁରୁର ରବୀନ୍ଦ୍ର କଳାକ୍ଷେତ୍ର ପ୍ରେକ୍ଷାଳୟରେ ‘ଆହେ ନୀଳଶଇଳ’ ମସ୍ଥ ହୋଇ ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟ ଦର୍ଶକଙ୍କ ମନ ମୋହିଥିଲା। ତେବେ ବହୁ ଦର୍ଶକ ନାଟକ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିବାରୁ ପୁଣି ନଭେମ୍ବରରେ ୫ ଦିନ ଧରି ପ୍ରଦର୍ଶିତ ହୋଇଥିଲା। ‘ଆହେ ନୀଳଶଇଳ’କୁ ନେଇ ଦର୍ଶକ ମହଲରେ ଏତେ ମାତ୍ରାରେ ଉତ୍ସାହ ଦେଖାଦେଇଥିଲା ଯେ ସେମାନଙ୍କ ଅନୁରୋଧ କ୍ରମେ ଚକ୍‌ଲେଟ୍ ପ୍ରଡକ୍ସନସ ପକ୍ଷରୁ ଅନ୍ତିମ ଦିବସରେ ଦୁଇଟି ସୋ କରାଯାଇଥିଲା। ମାର୍ଚ୍ଚ ୨୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଓଡ଼ିଶା ପର୍ବ’ର ପ୍ରଥମ ସଂଧ୍ୟାରେ ‘ଆହେ ନୀଳଶଇଳ’ ଅଭିନୀତ ହୋଇ ଉଚ୍ଚପ୍ରଶଂସିତ ହୋଇଥିଲା।

Comments are closed.