ହରଭଙ୍ଗା: ଅଭୟାରଣ୍ୟ ଅଭିଶାପରେ ମୌଳିକ ସୁବିଧାରୁ ବଞ୍ଚିତ ମାରଡା ଭଳି ଏକ ଆଦିବାସୀ ବହୁଳ ଗାଁ ଉପରେ ସମାଜ ରବିବାରେ ସଂଖ୍ୟାରେ ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଗତ ୫ତାରିଖ ବୌଦ୍ଧ ଜିଲାପାଳ ସତ୍ୟରଞନ ସାହୁ ଅଚାନକ ମାରଡା ଗାଁରେ ପହଞ୍ଚି ସେଠାରେ ରହୁଥିବା ଅଧିବାସୀଙ୍କ ସମସ୍ୟା ଉପରେ ଆଲୋଚନା କରିବା ସହିତ ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ଜିଲାପାଳଙ୍କ ଗସ୍ତର ୪ଦିନ ପରେ ତାଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ଏକ ଅଙ୍ଗନଓାର୍ଡୀ ସବସେଣ୍ଟର (ପଡା ପୃଷ୍ଟି କାର୍ଯ୍ୟକ୍ରମ)ର ଶୁଭାରମ୍ଭ କରାଯିବା ପାଇଁ ଖସଡା ପ୍ରସ୍ତୁତ ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଆବଶ୍ୟକୀୟ ଭିତିଭୂମି ଏବଂ ଗାଁରେ କେତେଜଣ ଶିଶୁ ଅଛନ୍ତି ଏସବୁ ବିଷୟରେ ଅନୁଧ୍ୟାନ ପାଇଁ ଶୁକ୍ରବାର ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ, ହରଭଙ୍ଗା ସିଡିପିଓ ନିରୁପମା ପାଣି, ଜିଲା ମଙ୍ଗଳ ଅଧିକାରୀ ଦାୟିତ୍ୱରେଥିବା ସଶ୍ମିତା ପ୍ରଧାନ, ଅଙ୍ଗନଓାର୍ଡୀ ସୁପରଭାଇଜର ପଦ୍ମିନୀ ବାରିକ, ଦାୟିତ୍ୱରେଥିବା ଅଙ୍ଗନଓାର୍ଡୀ କର୍ମୀ ପ୍ରତିମା ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଦୀର୍ଘ ଦିନ ଧରି ବନ୍ଦ ହୋଇପଡିଥିବା ମାରଡା ସ୍କୁଲରେ ପଡା ଶିଶୁ କାର୍ଯ୍ୟକ୍ରମ ଶୁଭାରମ୍ଭ ପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ସ୍କୁଲର ରଙ୍ଗ ଠାରୁ ଆନୁସଙ୍ଗିକ କାର୍ଯ୍ୟ ସରିବା ପରେ ଏଠାରେ ପ୍ରାକ ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରାଯିବ ବୋଲି ସିଡିପିଓ ସୂଚନା ଦେଇଛନ୍ତି। ବିଳମ୍ବରେ ହେଉ ପଛେ ଜିଲାପାଳ ନିଜେ ମାରଡା ଗାଁରେ ପହଞ୍ଚି ସେଠାକାର ଅଧିବାସୀଙ୍କ ସହ ଆଲୋଚନା କରିଥିବାରୁ ଗ୍ରାମବାସୀ ଜିଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ଗାଁରେ ଅଭାବ ରହିଥିବା ବନ୍ଧ, କର୍ମ ସଂସ୍ଥାନ ପାଇଁ ତାଳଗୁଡ ଇତ୍ୟାଦି ପ୍ରତିଶ୍ରୁତି ଯଥାଶୀଘ୍ର ପୂରଣ କରିବା ପାଇଁ ଗାଁ ଲୋକେ ନିବେଦନ କରିଛନ୍ତି।



