ଭୁବନେଶ୍ବର ପହଞ୍ଚିଲା ପିଣ୍ଟୁଙ୍କ ମରଶରୀର, ସ୍ବର୍ଗଦ୍ବାରରେ ହେବ ଅନ୍ତିମ ସତ୍କାର
ଭୁବନେଶ୍ବର: ଆଜି ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି। ହାଇଦ୍ରାବାଦରୁ ବିମାନଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପିଣ୍ଟୁ ନନ୍ଦଙ୍କ ମରଶରୀର ଆସି ପହଞ୍ଚିଛି। ଭୁବନେଶ୍ବର ଏକ ଘରୋଇ ହସପିଟାଲରେ ପିଣ୍ଟୁ ନନ୍ଦଙ୍କ ମରଶରୀର ରହିବ। ଆସନ୍ତକାଲି ପୁରୀ ସ୍ବର୍ଗଦ୍ବାରରେ ହେବ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି।
ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦଙ୍କ ୪୭ ବର୍ଷ ବୟସରେ ପରଲୋକ ଘଟିଛି ଘଟିଛି। ହାଇଦ୍ରାବାଦର ଯଶୋଦା ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ରାତି ୧୧ଟା ୨୫ ମିନିଟ ସମୟରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଛି। ସେ କିଛିଦିନ ହେବ ଲିଭର୍ ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିୟାରି ସାଇନ୍ସ (ଆଇଏଲବିଏସ)ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିଣ୍ଟୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଶୋଦା ହସ୍ପିଟାଲ୍ ଡାକ୍ତରମାନେ ତାଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ (କାଡେଭର) କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ପିଣ୍ଟୁ ନନ୍ଦଙ୍କୁ ଡୋନର ନମିଳିବାରୁ ନୂଆଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ପରିବାରର ଜଣେ ସଦସ୍ୟ ଲିଭର ଦାନ କରିବାର ଥିଲା। କିନ୍ତୁ ଠିକ ସମୟରେ ବ୍ଲଡ୍ ଗ୍ରୁପ୍ ଅସଙ୍ଗତି ଏବଂ ଅନ୍ୟାନ୍ୟ କାରଣରୁ ତାହା ସମ୍ଭବ ହୋଇପାରିନଥିଲା।
ଅଭିନେତା ପିଣ୍ଟୁ ନନ୍ଦ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ। ପିଣ୍ଟୁ ଜଗତସିଂହପୁରର ଏସକେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପିଣ୍ଟୁ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କୋଇଲି ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ। ଏଥିସହ ସେ ଓଡ଼ିଆ ଆଲ୍ବମ୍ରେ ଅଭିନୟ ମଧ୍ୟ କରିଥିଲେ। ‘ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା।
ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିରୁ ଭିଲେନ, ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଂଟୁ । ପ୍ରଶଂସକଙ୍କ ପ୍ରାର୍ଥନା ତାଙ୍କୁ ବଂଚାଇ ପାରିନି ସତ, ହେଲେ ହସାଉଥିବା, କନ୍ଦାଉଥିବା, ଡରାଉଥିବା ଓ ମନୋରଂଜନ କରୁଥିବା ପିଂଟୁ, ଦର୍ଶକଙ୍କ ହୃଦୟରେ ସେମିତି ବଂଚିରହିବେ ।
Comments are closed.