କେପ୍ଟାଉନ୍: ଆଇସିସି ମହିଳା ଟି୨୦ ବିଶ୍ବକପ୍ର ଗତ ୭ଟି ସଂସ୍କରଣରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳିଛି। ୫ ଥର ଚମ୍ପିଆନ୍ ଅଷ୍ଟ୍ରେଲିଆ କ୍ରମାଗତ ୭ମ ଥର ଫାଇନାଲରେ ପହଞ୍ଚିଛି। ସମସ୍ତଙ୍କୁ ଚକିତକରି ପ୍ରଥମଥର ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକାର ମୁକାବିଲା ରବିବାର କରିବ ଅଷ୍ଟ୍ରେଲିଆ। ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନକୁ ଦେଖି କହିହେବ ଯେ ଅଷ୍ଟ୍ରେଲିଆ ବହୁତ ଆଗରେ ରହିଛି। ଏହି ବିଶ୍ବକପ୍ର ଅନ୍ୟତମ ଫେଭରିଟ୍ ତଥା ଶକ୍ତିଶାଳୀ ଇଂଲଣ୍ଡକୁ ଓପ୍ନରଙ୍କ ଚମତ୍କାର ବ୍ୟାଟିଂ ଓ ପେସ୍ ବୋଲରଙ୍କ ନିଖୁଣ ପ୍ରଦର୍ଶନ ବଳରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୬ ରନ୍ରେ ପରାସ୍ତ କରିଛି। ପ୍ରଥମ ୨ଟି ମ୍ୟାଚ୍ ହାରିବା ପରେ କ୍ରମାଗତ ୩ଟି ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ଫାଇନାଲରେ ପହଞ୍ଚିଛି।
ଫାଇନାଲ ଜିତି ୨ୟ ଥର ହ୍ୟାଟ୍ରିକ୍ ଟାଇଟଲ ଜିତିବା ସହ ୬ଷ୍ଠ ବିଶ୍ବକପ୍ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ରହିଛି। ତେବେ ଘରୋଇ ପରିବେଶ ଓ ଘରୋଇ ସମର୍ଥନକୁ ପାଥେୟ କରି ସେମିଫାଇନାଲର ପ୍ରଦର୍ଶନ ଦୋହରାଇ କଙ୍ଗାରୁ ଦଳର ପଥ ରୋକିବାକୁ ଦକ୍ଷିଣ ଆଫ୍ରିକା ଲକ୍ଷ୍ୟ ରଖିଛି। ଲିଗ୍ ପର୍ଯ୍ୟାୟେର ୪ଟିଯାକ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଗ୍ରୁପ୍ ଶୀର୍ଷରେ ରହିଥିଲା। ୪ଟିଯାକ ମ୍ୟାଚ୍କୁ ଅଷ୍ଟ୍ରେଲିଆ ସହଜରେ ଜିତିଥିଲା। ହେଲେ ସେମିଫାଇନାଲରେ ଭାରତ ଏହାକୁ କଡ଼ା ମୁକାବିଲା ଦେଇଥିଲା। ଭାରତୀୟ ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ ଯୋଗୁଁ ଅେଷ୍ଟ୍ରଲିଆ ମାତ୍ର ୫ ରନ୍ରେ ଜିତି ଫାଇନାଲରେ ପହଞ୍ଚିଛି। ଭାରତର ଏପରି ପ୍ରଦର୍ଶନ ଦକ୍ଷିଣ ଆଫ୍ରିକାକୁ ଉତ୍ସାହିତ କରିବ ନିଶ୍ଚୟ। ଅେଷ୍ଟ୍ରଲିଆ ପାଇଁ ବ୍ୟାଟିଂରେ ବେଥ୍ ମୁନି, ଅଧିନାୟିକା ମେଗ୍ ଲାନିଙ୍ଗ୍, ଆସ୍ଲେ ଗାର୍ଡନର ଓ ତାହ୍ଲିଆ ମ୍ୟାକ୍ଗ୍ରା ଭଲ ପ୍ରଦର୍ଶନ କରିଛନ୍ତି। ବୋଲିଂରେ ମେଗାନ୍ ସ୍କଟ୍, ଆସ୍ଲେ ଗାର୍ଡନର ଓ ଜର୍ଜିଆ ୱେର୍ହାମ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଲଢୁଆ ଖେଳ ପ୍ରଦର୍ଶନ କରିଥିଲା ଓ ଫାଇନାଲରେ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଶୁକ୍ରବାରର ଫଳାଫଳ ଦେଖି ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ଆଦୌ ହାଲୁକା ଭାବେ ନେବନାହିଁ। ଗତ ୧୨ ମାସରେ ମଧ୍ୟ ଦକ୍ଷିଣ ଆଫ୍ରିକା ମହିଳା ଦଳ କ୍ରିକେଟରେ ବେଶ୍ ଉନ୍ନତି କରିଛି। ଏହି ଦଳ ଗତବର୍ଷ ଦିନିକିଆ ବିଶ୍ବକପ୍ର ସେମିଫାଇନାଲ ଖେଳିଥିଲା। ଏଥର ଦକ୍ଷିଣ ଆଫ୍ରିକା ଆଉ ପାଦେ ଆଗେଇଥିବା ବେଳେ ଶେଷ ବାଧାକୁ ଅତିକ୍ରମ କରି ଇତିହାସ ସୃଷ୍ଟି ଲକ୍ଷ୍ୟରେ ରହିଛି। ଅଷ୍ଟ୍ରେଲିଆର ସବୁ ଖେଳାଳି ବିଶ୍ବସ୍ତରୀୟ। ଏହା ଯେକୌଣସି ଦଳକୁ ହରାଇବାର ଦକ୍ଷତା ରଖିଛି। ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଅଲ୍ରାଉଣ୍ଡର ମାରିଜେନ୍ କାପ୍; ଦୁଇ ଦ୍ରୁତ ବୋଲର ଶବ୍ନିମ ଇସ୍ମାଇଲ ଓ ଆୟାବୋଙ୍ଗା ଖାଖା ଏବଂ ଦୁଇ ଦୁଇ ଓପ୍ନର ଲୌରା ୱଲ୍ଭାର୍ଟ ଓ ତାଜ୍ମିନ୍ ବ୍ରିଟ୍ସଙ୍କ ଉପରେ ନିର୍ଭର କରିବ। ପୂର୍ବରୁ ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଅତି ସହଜରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଫାଇନାଲରେ ଉକ୍ତ ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆ ଆଶାୟୀ। ୨୦୨୦ ସଂସ୍କରଣରେ ଭାରତକୁ ୮୫ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇ ରେକର୍ଡ ୫ମ ଟାଇଟଲ ଜିତିଥିଲା ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ୫ ରନରେ ଅଷ୍ଟ୍ରେଲିଆଠାରୁ ହାରିଥିଲା। ତେଣୁ ରବିବାର ଏହି ଟାଇଟଲ ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।



