ଭୁବନେଶ୍ୱର: କିଟ୍ ଅଡିଟୋରିୟମଠାରେ ଗ୍ରାମ ପଞ୍ଚାୟତ ଗୁଡିକରେ ପ୍ରସଙ୍ଗଗତ ଆଭିମୁଖ୍ୟ ଗ୍ରହଣ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ (ଏଲଏସଡିଜି) ସମ୍ବନ୍ଧୀୟ ତିନି ଦିନିଆ ଜାତୀୟ କର୍ମଶାଳାର ଦ୍ୱିତୀୟ ଦିନରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଡ. ଚନ୍ଦ୍ରଶେଖର କୁମାର ଯୋଗଦେଇ କର୍ମଶାଳାରେ ଉପସ୍ଥିତ ସମସ୍ତ ରାଜ୍ୟ ଏବଂ ପଂଚାୟତିରାଜ ପ୍ରତିନିଧି ମାନଙ୍କୁ ଜାତୀୟ ପୁରସ୍କାର ସମ୍ବର୍ଦ୍ଧନା ପାଇଁ ତୃଣମୂଳ ସ୍ତରରୁ ଶ୍ରେଷ୍ଠ ଅଭ୍ୟାସର ଡକ୍ୟୁମେଣ୍ଟେସନ୍ କରିବା ପାଇଁ ଅନୁରୋଧ କରିଥିଲେ ଏବଂ ମିଶନ ଲାଇଫ୍ ଅର୍ଥାତ ପରିବେଶ ପାଇଁ ଜୀବନଶୈଳୀ ବିଷୟରେ ସୂଚନା ଦେଇଥିଲେ।
ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ତୃତୀୟ ପ୍ୟାନେଲ ଆଲୋଚନାଚକ୍ର “ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ”କୁ ଅଧକ୍ଷତା କରିଥିଲେ। ତାଙ୍କ ସହ ବିଭାଗର ଅନ୍ୟ ନିର୍ଦ୍ଦେଶକମାନେ ମଧ୍ୟ ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ ଓ ଶିଶୁ ଓ ମହିଳା ଅନୁକୂଳ ପଞ୍ଚାୟତ ଉପରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା କେନ୍ଦ୍ରାପଡାର ଜମ୍ବୁ, ମୟୂରଭଞ୍ଜର ଭୀମତାଳି, ଭଦ୍ରକର ଓଲଙ୍ଗ, ଢେଙ୍କାନାଳର କୋଟାଗଡ, ବାଲେଶ୍ୱରର କାଶିପଡା ଓ ନୟାଗଡ଼ ଜିଲ୍ଲାର ବିରୁଡା ଆଦି ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ମଞ୍ଚରେ ଉପସ୍ଥିତ ରହି ନିଜର ଅଭିଜ୍ଞତା ବାଣ୍ଟିଥିଲେ । ସେମାନଙ୍କର ଏହି କାର୍ୟ୍ୟଗୁଡିକୁ ଭିଡିଓ ଫିଲ୍ମ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।
ଚତୁର୍ଥ ପ୍ୟାନେଲ ଆଲୋଚନା – ସ୍ଥାନୀୟ ଶାସନ ବ୍ୟବସ୍ଥାରେ ଶିଶୁ ଓ ମହିଳାଙ୍କ ସହଭାଗିତା ନେତୃତ୍ୱ ଉପରେ ହୋଇଥିଲା । ପଶ୍ଚିମବଙ୍ଗ ସରକାରଙ୍କର ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଏମ. ଏନ. ରାୟ ଏହି ଅଧିବେଶନଟିକୁ ଅଧ୍ୟକ୍ଷତା କରିଥିଲେ ଓ ଏହା ପରେ ପଞ୍ଚମ ପ୍ୟାନେଲ ଆଲୋଚନାଚକ୍ର “ଆଗାମୀ କାର୍ୟ୍ୟପନ୍ଥା” ପଞ୍ଚାୟତିରାଜ ମନ୍ତ୍ରାଳୟ, ଭାରତ ସରକାରଙ୍କ ପୂର୍ବତନ ସଚିବ ବିଜୟାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ପରିଶେଷରେ, ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନି ଶେଷ ଟିପ୍ପଣୀ ରଖିଥିବାବେଳେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡ. ସି ଏସ୍ କୁମାର ଏହି ଦୁଇ ଦିନରେ ଆଲୋଚିତ ହୋଇଥିବା ବିଷୟବସ୍ତୁର ସଂକ୍ଷିପ୍ତ ସାରାଂଶ ପ୍ରଦାନ କରିଥିଲେ ଓ ଅଧିବେଶନ ଶେଷରେ ଶ୍ରୀ ଏସ.କେ ମୀନା, ନିର୍ଦ୍ଦେଶକ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଧନ୍ୟବାଦ ଅର୍ପଣ କରିଥିଲେ ଓ
ଏହି କର୍ମଶାଳାର ଉଦଯାପନୀ ଦିବସରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧି ଦଳ ପୁରୀର ବିଭିନ୍ନ ବ୍ଲକକୁ ‘ଲର୍ଣ୍ଣିଂ ବାଇ ଡୁଇଂ’ କ୍ଷେତ୍ର ପରିଦର୍ଶନରେ ଯାଇ ଅଭିଜ୍ଞତା ବାଣ୍ଟିବା ସହ ପୁରୀ, କୋଣାର୍କ ଆଦି ଐତିହ୍ୟ ସ୍ଥାନ ପରିଭ୍ରମଣର କାର୍ୟ୍ୟକ୍ରମ ରହିଛି। ଏତଦବ୍ୟତୀତ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଗଞ୍ଜାମ, ଯାଜପୁର, କଟକ, ଢେଙ୍କାନାଳ ଓ ଖୋର୍ଦ୍ଧା ଆଦି ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନ କରି ମହିଳା ଏବଂ ଶିଶୁ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପ ଗୁଡିକୁ ଦେଖି ଅଭିଜ୍ଞତା ହାସଲ କରିବେ।



