www.samajalive.in
Thursday, December 11, 2025
16.1 C
Bhubaneswar

ଇଚ୍ଛା ଓ ଘୋଡ଼ା

ବିକାଶ ପଥରେ ଆଗେଇବା ପାଇଁ ଭାରତର ପ୍ରଥମ ଆବଶ୍ୟକତା ରାଜନୈତିକ ସ୍ଥିରତା ଏବଂ ଏକ ଦୃଢ଼, କାମିକା ସରକାର। ଦୃଢ଼ ଏବଂ ଉଦାହରଣୀୟ ନେତୃତ୍ବ ଦ୍ବାରା ଗୋଟିଏ ସରକାର ସମଗ୍ର ଦେଶର ଜନସମର୍ଥନ ହାସଲ କରେ ଏବଂ ଦୂରଦୃଷ୍ଟିସମ୍ପନ୍ନ ତଥା ନିର୍ଣ୍ଣୟାତ୍ମକ ନିଷ୍ପତ୍ତି ମାଧ୍ୟମରେ ଦେଶକୁ ଆଗେଇ ନିଏ। ଅତୀତରେ ଦେଶରେ ଯେତେବେଳେ ଦୃଢ଼ ନେତୃତ୍ବ ଓ ରାଜନୈତିକ ସ୍ଥିରତା ରହିଛି ସେତେବେଳେ ଭାରତର ପ୍ରଗତି ଆଖିଦୃଶିଆ ହୋଇଛି। ଅତଏବ ଦେଶର ବିକାଶ ପାଇଁ ଦୃଢ଼ ଓ କାମିକା ସରକାରର ଯେ ଆବଶ୍ୟକତା ରହିଛି ଏଥିରେ କିଛି ନୂତନତ୍ବ ନାହିଁ।
ଦୁଇଦିନ ତଳେ ନୂଆଦିଲ୍ଲୀରେ ସର୍ଦାର ପଟେଲ ସ୍ମାରକ ବକ୍ତୃତା ପ୍ରତିଯୋଗିତା ପ୍ରଦାନ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋୱାଲ ଏହି କଥାଟିକୁ ଦୋହରାଇ କହିଛନ୍ତି ଯେ ଦେଶର ରାଜନୈତିକ, ଆର୍ଥିକ ଏବଂ ରଣକୌଶଳାତ୍ମକ ଲକ୍ଷ୍ୟ ହାସଲ ପାଇଁ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଏବଂ ଦୃଢ଼, ସ୍ଥିର ଏବଂ ନିଷ୍ପତ୍ତି ଗ୍ରହଣକାରୀ ସରକାର ରହିବା ଉଚିତ। ଏହା ନୂଆ କଥା ନୁହେଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦଳର ତୁଙ୍ଗ ନେତାମାନଙ୍କ ବକ୍ତବ୍ୟକୁ ସେ କେବଳ ଦୋହରାଇଛନ୍ତି।
ମୋଦୀଙ୍କ ନେତୃତ୍ବରେ ପରିଚାଳିତ ଏନଡିଏ-୨ ସରକାର ‘୨୦୩୦ର ସ୍ବପ୍ନ’ (ଡ୍ରିମ୍‌ଇଣ୍ଡିଆ) କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରି ତଦନୁସାରେ କାର୍ଯ୍ୟକରୁଛି। ଏଭଳି ଅବସ୍ଥାରେ ରାଜନୈତିକ ଅସ୍ଥିରତା, ଦୁର୍ବଳ ସରକାର ଓ ଅସ୍ଥିର ଗଣତନ୍ତ୍ର ଆଦୌ ଗ୍ରହଣୀୟ ନୁହେଁ। ଗଣତନ୍ତ୍ର ଓ ସରକାର ଦୁର୍ବଳ ହେଲେ ଦେଶ ଦୁର୍ବଳ ହେବ ଏବଂ ବିକାଶ ପ୍ରକ୍ରିୟା ବ୍ୟାହତ ହେବ। ହେଲେ ଗୋଟିଏ ଦଳ, ମେଣ୍ଟ ବା ସରକାର ଚାହିଁଲେ, ଏହା ଅଧିକ ସମୟ କ୍ଷମତାରେ ଏକାଦିକ୍ରମେ ରହିପାରିବ ନାହିଁ। ବିଡ଼ମ୍ବନା ହେଲା ଆମ ରାଜନୀତିରେ ‘ଇଚ୍ଛା’ ସବୁ ‘ଘୋଡ଼ା’ ନୁହନ୍ତି ଯାହା ଉପରେ ଆମେ ସବାର ହୋଇପାରିବା। ଆମ ଇଚ୍ଛା ଅନୁସାରେ ଫଳାଫଳ ମିଳେନାହିଁ, ବରଂ କାମ ଅନୁସାରେ ଫଳ ମିଳେ।
ଗଣତନ୍ତ୍ରରେ ଭୋଟର୍‌, ସର୍ବୋପରି ଜନସାଧାରଣ ହିଁ ପ୍ରକୃତ ଶକ୍ତିଶାଳୀ। ଦେଶ କିପରି ନେତୃତ୍ବ, ସରକାର ଓ ଗଣତାନ୍ତ୍ରିକ ପରିବେଶ ଚାହୁଁଛି ତାହା ଲୋକେ ହିଁ ନିଷ୍ପତ୍ତି ନେଇ ତଦନୁସାରେ ଭୋଟ ଦେଇଥାନ୍ତି। ଦେଶର ମଙ୍ଗଳ ପାଇଁ ସରକାର ଗ୍ରହଣ କରୁଥିବା କେତେକ କଠୋର ପଦକ୍ଷେପକୁ ମଧ୍ୟ ଭୋଟର୍‌ ସ୍ଥଳ ବିଶେଷରେ ସମର୍ଥନ କରିଥାନ୍ତି। ଏସବୁ ସତ୍ତ୍ବେ ସରକାରଠାରୁ ଲୋକେ ଅନେକ କିଛି ଆଶା କରନ୍ତି। ରୋଜଗାର, ନିଯୁକ୍ତି, ଜୀବନଧାରଣର ମାନରେ ଉନ୍ନତି, ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ଓ ମୌଳିକ ସୁବିଧା ସୁଯୋଗ ପ୍ରତ୍ୟେକ ଲୋକ ଚାହାନ୍ତି।
ଅତଏବ ଏହା ଭିତରେ ଯଦି ସରକାର ଦେଶର ବୃହତ୍ତର ସ୍ବାର୍ଥ ଓ ଲକ୍ଷ୍ୟକୁ ଉପେକ୍ଷା କରି ତୁଷ୍ଟିକରଣ, ରାଜନୀତି, ଭୋଟରଙ୍କୁ ବିିଭିନ୍ନ ଲୋକଦେଖାଣିଆ କାର୍ଯ୍ୟକ୍ରମ ନାମରେ ତୋଷ କରିବାକୁ ପ୍ରୟାସ କରନ୍ତି ତାହାର ମନ୍ଦ ପ୍ରଭାବ ବୃହତ୍ତର ଭୋଟରବର୍ଗ ଓ ସମାଜ ଉପରେ ପଡେ। ଗତ ଚାରିବର୍ଷ ମଧ୍ୟରେ ମୋଦୀ ସରକାର ଅନେକ ଲୋକକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦାବି କରୁଛି। ଅସଲରେ ଏଇ ସରକାରଙ୍କୁ ସମୁଦାୟ ଭାରତ ଓ ଏହାର ଜନତା କିପରି ଦେଖୁଛନ୍ତି ତାହାର ଜନାଦେଶ ୨୦୧୯ ସାଧାରଣ ନିର୍ବାଚନରେ ଜଣାପଡ଼ିବ। ଭାରତୀୟ ଗଣତନ୍ତ୍ର ପାକଳ ହୋଇଥିଲେ ମଧ୍ୟ ବେଳେବେଳେ ବିଭାଜିତ ମତ ପ୍ରକାଶ କରେ ଏବଂ ଝୁଲା ସଂସଦଗଠନର ଜନାଦେଶ ଦେଇ ରାଜନୈତିକ ଅସ୍ଥିରତା ସୃଷ୍ଟିକରେ। ଭାରତୀୟ ଭୋଟର୍‌ ଆଗକୁ କି ନିଷ୍ପତ୍ତି ନେବେ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ୨୦୧୯ ଜନାଦେଶ ମୋଦୀ ସରକାରର ଅବଶ୍ୟ ପରୀକ୍ଷାନେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories