ବାପା ଓ ମା ପାଲଟିଛି ୧୬ ବର୍ଷୀୟା ସରୋଜିନୀ !
ମୋହନା : ବାପା ନିଜ ପୁଅ ଝିଅକୁ ମଣିଷ କରିବା ପାଇଁ ନିଜେ ବହୁ କଷ୍ଟ ସ୍ବୀକାର କରିଥାନ୍ତି । ପୁଅ-ଝିଅଙ୍କର ମୌଳିକ ଆବଶ୍ୟକତା ପୂରଣ କରିଥାନ୍ତି। ତେବେ ଯଦି କୌଣସି କାରଣରୁ ବାପା ମା’ ଆରପାରିକୁ ଚାଲିଗଲେ ତେବେ ପୁଅ ଝିଅର ଅବସ୍ଥା କଣ ହୁଏ ଅନୁମେୟ କରିବା କଷ୍ଟକର।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖାରିଗୁଡା ପଂଚାୟତ ଡେଙ୍ଗାପୁଚି ଗାଁରେ। ବାପା ମାଆ ଛେଉଣ୍ଡ ହୋଇ ଛୋଟ ଦୁଇ ଭଉଣୀଙ୍କ ବାପା ମା’ ସାଜିଛନ୍ତି ୧୬ ବର୍ଷୀୟା ବଡ଼ ଭଉଣୀ ସରୋଜିନୀ। ସାନ ଭଉଣୀ ସୁରଥୀକୁ ଯେତେବେଳେ ବର୍ଷେ ହୋଇଥିଲା ସେତେବେଳେ ସରୋଜିନୀ ତାଙ୍କ ମା’ କିସ୍ତିନାଙ୍କୁ ହରେଇଥିଲେ । ବାପା ଥାମାସ ମାଝୀଙ୍କ ସହ ଝିଅ ସରୋଜିନୀ କଷ୍ଟରେ ନିଜ ସାନ ଭଉଣୀଙ୍କୁ ଧରି ଚଳିଲେ, ତେବେ ସରୋଜିନୀଙ୍କ ଦୁଃଖ ଏତିକିରେ ସରିନଥିଲା, ଦୁଇମାସ ହେଲା ତାଙ୍କ ବାପା ଥାମାସଙ୍କୁ ମଧ୍ୟ ସେ ହରାଇଲେ। ଛୋଟ କୁଡ଼ିଆ ଘରେ ରହୁଥିବା ଏହି ଗରୀବ ଆଦିବାସୀ ପରିବାରର ଦୁଃଖ କହିଲେ ନସରେ। ସରୋଜିନୀ କୁଲି ମଜୁରୀ କାମ କରି ଘର ଚଳାଉଥିବା ବେଳେ ମଝିଆ ଭଉଣୀ ସୁରଭିଙ୍କ ଖର୍ଚ୍ଚ ବହନ କରୁଛନ୍ତି । ଅର୍ଥ ଅଭାବରୁ ବାପା କେବଳ ପଞ୍ଚମ ପର୍ଯ୍ୟନ୍ତ ସରୋଜିନୀଙ୍କୁ ପାଠ ପଡ଼ାଇଲେ କିନ୍ତୁ ସରୋଜିନୀଙ୍କ ଇଛା ତାଙ୍କ ଦୁଇ ଭଉଣୀଙ୍କୁ ପାଠ ପଢାଇବା ପାଁଇ। ତେବେ ନିଜେ ଯାହା କୁଲି କରି ଆଣୁଛନ୍ତି ତାହା ଘରର ଖାଇବା ପାଇଁ ନିଅଣ୍ଟ ହେଉଛି, ସେଥିପାଁଇ ସେ ତାଙ୍କ ଦୁଇ ଭଉଣୀଙ୍କୁ ପାଠ ପଢାଇ ପାରିଲେନି।
ସରୋଜିନୀଙ୍କ ଜେଜେମା ବୄଦ୍ଧା ହୋଇଯାଇ ଥିବାରୁ ତାଙ୍କ ଠାରୁ ବି କିଛି ସାହାଯ୍ୟ ପାଇ ପାରୁନାହାନ୍ତି । ତେବେ ସରୋଜିନୀ ହାର ମାନିନାହାନ୍ତି ଏତେ କଷ୍ଟ ପରେ ମଧ୍ୟ ସେ ତାଙ୍କ ଭଉଣୀ ମାନଙ୍କୁ ପାଠ ପଢ଼ାଇ ମଣିଷ କରିବେ। ଯଦି ସରକାର ଏହି ପରିବାର ଉପରେ ଦୃଷ୍ଟି ଦେଇ ସାହାଯ୍ୟର ହାତ ବଢ଼ାନ୍ତେ ତେବେ ଏହି ତିନୋଟି ପିଲା ପାଠ ପଢି ଭଲ ମଣିଷ ହୋଇପାରନ୍ତେ ବୋଲି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।
Comments are closed.