ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସ୍ମାରକ ପତ୍ର ପ୍ରଦାନ

ବିଧାନସଭା ଅଧିବଶେନ ପୂର୍ବରୁ ତିନିଦଫା ଦାବି ପୂରଣ ପାଇଁ ଦାବି

ବଡ଼ମ୍ବା :  ଠିକା କର୍ମଚାରୀ ବ୍ୟବସ୍ଥା ଉଛେଦ ହୋଇଥିଲେ ହେଁ ସେମାନଙ୍କୁ ସ୍ଥାୟୀ ଶିକ୍ଷକର ମାନ୍ୟତା ମିଳିନଥିବା ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ଆସନ୍ତା ବିଧାନସଭା ଅଧିବଶେନ ପୂର୍ବରୁ ତିନି ଦଫା ଦାବି ପୂରଣ କରିବା ଦିଗରେ ରାଜ୍ୟ ସରକାର ଗୁରୁତର ସହ ବିଚାର କରିବାକୁ ମହାସଂଘ ତରଫରୁ ଦାବି କରାଯାଇଛି । ଶନିବାର ଶିକ୍ଷକ ମହାସଂଘ ତରଫରୁ ବଡ଼ମ୍ବାରେ ଏନେଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପ୍ରଦର୍ଶନ କରାଯିବା ସହିତ ସଂଘ ସଦସ୍ୟଥିବା ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ସ୍ଥାନୀୟ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ଏହି ଶ୍ରେଣୀର ପ୍ରାଥମିକ ଶିକ୍ଷକଙ୍କୁ ରାଜ୍ୟ ସରକାର କରିଥିବା ଅଣଦେଖା ବିରୁଦ୍ଧରେ ସଂଘର ନେତୃବର୍ଗ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉପୁଜିଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ । ପରେ ପରେ ଏହି ଆନ୍ଦୋଳନସ୍ଥଳକୁ ଗୋଷ୍ଠି ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା, ସହ ଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜ ସିଂ, ଅନ୍ୟତମ ସହଶିକ୍ଷାଧିକାରୀ ବିବେକାନ୍ଦ ସାହୁ ପ୍ରମୁଖ ଆସି ଶିକ୍ଷକମାନଙ୍କ ଦାବି ଉପରେ ଆଲୋଚନା କରିଥିଲେ। ଶେଷରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ଶିକ୍ଷକ ନେତା ରଘୁନାଥ ସେଠୀ, ରମେଶ ଚନ୍ଦ୍ର ବେହେରା,ସମୀର କୁମାର ରାଉତ,ବସନ୍ତ କୁମାର ପାଣି, ସରୋଜ କୁମାର ପଣ୍ଡା, ଶ୍ୟାମ ସୁନ୍ଦର ଶତପଥୀ, ସରୋଜ କୁମାର ରଣା, ବିଭୁତି ଭୂଷଣ ପଣ୍ଡା, ନିହାରିକା ମିଶ୍ର, କୃଷ୍ଣପ୍ରିୟା ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ମହାସଂଘର ତିନି ଦଫା ଦାବି ସମ୍ବଳିତ ସ୍ମାରକପତ୍ରକୁ ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ।

prayash

ପ୍ରକାଶଥାଉକି ପ୍ରଦତ୍ତ ସ୍ମାରକପତ୍ରରେ  ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଗତ ତା୧୬/୧୦ରେ ପ୍ରକାଶିତ ସୂଚନା(ନୋଟିସ)ଅନୁଯାଇ ସମସ୍ତ ସ୍ୱେଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଏବଂ କନିଷ୍ଠ ଶିକ୍ଷକ(କଣ୍ଟ୍ରାକଚୁଆଲ)ଙ୍କୁ ସ୍ଥାୟୀ ଶିକ୍ଷକ ମାନ୍ୟତା ପ୍ରଦାନ କରିବା। ସେହିଭଳି ଏହି ବର୍ଗର ସମସ୍ତ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କେନ୍ଦ୍ରୀୟ ହାରରେ ନିଯୁକ୍ତି ଦିବସରୁ ମାସିକ ୩୫ହଜାର ୪ଶହ ଟଙ୍କାର ବେତନ ପ୍ରଦାନ ସହିତ ପୁରୁଣା ଅବସର କାଳିନ ଭତ୍ତା ବ୍ୟବସ୍ଥା(ସ୍କିମ) ବଳବତ୍ତର ରଖିବାକୁ  ତିନିଦଫା ଦାବି କରାଯାଇଛି । ଦାବି ପୂରଣ ଦିଗରେ ଅବହେଳା କଲେ ଆଗାମୀ ବିଧାନସଭା ଅଧିବେଶନ ବସିବା ସମୟରେ ମହାସଂଘ ତରଫରୁ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Comments are closed.