ବାଲିଯାତ୍ରା ପରିଚାଳନାକୁ ନେଇ ଗର୍ଜିଲେ ପ୍ରଭାତ

କଟକ : ଐତିହାସିକ ବାଲିଯାତ୍ରାର ବ୍ୟବସାୟୀକରଣକୁ କଟକ ମହାନଗର ପୂଜା କମିଟି ସହିତ କଟକ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ମହାନଗର ଶାନ୍ତି କମିଟି ପକ୍ଷରୁ ବିରୋଧ କରାଯାଇଛି। ବାଲିଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ସହାୟତା ଦେଇଥିଲେ। ପ୍ଲଟ ଆବଣ୍ଟନରେ ସାଧାରଣ ବ୍ୟବସାୟୀ ବଦଳରେ କର୍ପୋରେଟର ହାଉସକୁ ପ୍ରଶାସନ ପକ୍ଷରୁ ଗୁରୁତ୍ବ ପ୍ରଦାନ କରାଗଲା। ଏମିତିକି ପୃଷ୍ଠପୋଷକ ନାମରେ ମଞ୍ଚରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଏକ ନିନ୍ଦନୀୟ ପରମ୍ପରା ସୃଷ୍ଟି କରିଛି। ବାଲିଯାତ୍ରା ପରି ବିରାଟ ମହୋତ୍ସବ ଆୟୋଜନ କଟକର ବୁଦ୍ଧିଜୀବୀ, ପୂଜା କମିଟି ସମେତ ବରିଷ୍ଠ ନାଗରିକଙ୍କୁ ପ୍ରଶାସନ ପକ୍ଷରୁ ଯେଉଁଭଳି ଉପେକ୍ଷା କରାଗଲା, ତାହା ବାଲିଯାତ୍ରାର ଅସ୍ମିତା ଓ ଗୌରବକୁ ଧ୍ବଂସ କରିଦେଇଛି। ବାଲିଯାତ୍ରା ଆୟୋଜନ ନାଁରେ ପ୍ରଶାସନ ପକ୍ଷରୁ ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ, ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଗୁଣକୀର୍ତ୍ତନ କରିବାକୁ ପ୍ରୋତ୍ସାହନ ଦିଆଯିବା ଘଟଣାକୁ କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଦୃଢ ନିନ୍ଦା କରିଛନ୍ତି। ଚଳିତବର୍ଷ ବାଲିଯାତ୍ରା ଆୟୋଜନରେ ବ୍ୟାପକ ଅର୍ଥ ବାଟମାରଣା ହୋଇଛି। ବାଲିଯାତ୍ରାର ସମସ୍ତ ଆୟବ୍ୟୟର ରାଜ୍ୟ ସରକାର ସ୍ବତନ୍ତ୍ର ଅଡିଟ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି।
ପ୍ରଭାତ କହିଛନ୍ତି, ବାଲିଯାତ୍ରା ମଞ୍ଚରେ କୌଣସି ରାଜନୀତିକ ଦଳର ପ୍ରଚାର କରିବା ଅନୁଚିତ। ପଥୋତ୍ସବକୁ ନେଇ ଯେପରି ରାଜନୀତିକରଣ କରାଗଲା, ତାହା କରିବା ଠିକ୍ ନୁହେଁ। ପ୍ଲଟ ବଣ୍ଟନଠାରୁ ଆରମ୍ଭ କରି ଏହାର ମୂଲ୍ୟ ନିର୍ଦ୍ଧାରଣ, ଅତିଥି ମନୋନୟନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରାଯାଇନି। ପୂର୍ବରୁ ପୂଜା କମିଟି କିମ୍ବା ଶାନ୍ତି କମିଟି କମକର୍ତ୍ତାଙ୍କୁ ପ୍ରଶାସନ ବିଶ୍ବାସକୁ ନ ନେଇ ସ୍ବେଚ୍ଛାଚାରୀଭାବେ ନିର୍ଦିଷ୍ଟ କେତେକ ଅଧିକାରୀ ସମସ୍ତ ନିଷ୍ପତ୍ତି ନେଇଛନ୍ତି। ବାଲିଯାତ୍ରାରେ ପ୍ଲଟ୍ ମୂଲ୍ୟ ବୃଦ୍ଧି କରିବା ପୂର୍ବରୁ ପୂଜା କମିଟି ଓ ଶାନ୍ତି କମିଟି ସହିତ ଆଲୋଚନା କରିବାର ଥିଲା। ଜିଲା ପ୍ରଶାସନ କୌଣସି ଆଲୋଚନା କଲା ନାହିଁ। ପ୍ଲଟ୍ ଦର ବୃଦ୍ଧି ହେବା ଯୋଗୁ ଯେଉଁମାନେ ପ୍ରତିବର୍ଷ ପ୍ଲଟ୍‌ କିଣି ବାଲିଯାତ୍ରାରେ ରୋଜଗାର କରନ୍ତି, ସେମାନେ କିଣିପାରିଲେ ନାହିଁ କି ବାଲିଯାତ୍ରାରେ ଷ୍ଟଲ ଖୋଲିପାରିଲେ ନାହିଁ। ବଡ଼ବଡ଼ି‌ଆ ଓ କର୍ପୋରେଟ ହାଉସ ଲୋକ ପ୍ଲଟ୍‌ ହାତେଇଲେ। ଯାହା ଫଳରେ ବାଲିଯାତ୍ରାରୁ ବ୍ୟବସାୟ କରି ପ୍ରତିବର୍ଷ ଦୁଇ ପଇସା ରୋଜଗାର କରୁଥିବା ଛୋଟଛୋଟ ବ୍ୟବସାୟୀ ପ୍ରଭୂତ କ୍ଷତି ସହିଲେ। ଜନପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କୁ ସାମିଲ ନ କରି ଜିଲା ପ୍ରଶାସନର ଅଧିକାରୀମାନେ ଏକଚାଟିଆ ନିଷ୍ପତ୍ତି ନେଇଥିବାରୁ ବାଲିଯାତ୍ରାରେ ଚରମ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆର ବାଲି ଦ୍ବୀପରେ କଟକର ଐତିହାସିକ ବାଲିଯାତ୍ରା ସମ୍ପର୍କରେ ବିଶ୍ବବାସୀଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ପ୍ରଶାସନ ବାଲିଯାତ୍ରାର ଗୌରବ ବୃଦ୍ଧି ଦିଗରେ ପଦକ୍ଷେପ ନ ନେଇ ଏହାର ବ୍ୟବସାୟୀକରଣ କରିବା ସ୍ପୃହଣୀୟ ହୋଇନି। ପ୍ରତିବର୍ଷ ବାଲିଯାତ୍ରା ମହୋତ୍ସବ କଟକ ସଂସ୍କୃତି ସମିତି ପକ୍ଷରୁ ଆୟୋଜିତ ହେଉଥିବାବେଳେ ଚଳିତବର୍ଷ ସମିତି ଠିକଭାବେ ବାଲିଯାତ୍ରା ଆୟୋଜନ କରିବାରେ ସକ୍ଷମ ହୋଇପାରିନାହିଁ ବୋଲି ସେ କହିଥିଲେ। ବାଲିଯାତ୍ରାର ଗୌରବକୁ ମହାନଦୀରେ ଭସାଇ ଦିଆଯାଇଛି। ବାଲିଯାତ୍ରାରେ କେତେ ଆୟ ହେଉଛି, କେତେ ବ୍ୟୟ ହେଉଛି, ତାର ସ୍ବତନ୍ତ୍ର ଅଡିଟ ରାଜ୍ୟ ସରକାର କରନ୍ତୁ। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲିଯାତ୍ରା ଆୟୋଜନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ଉପସଭାପତି ବିଜୟ ଦାଶ, ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ ସାହୁ, ସମ୍ପାଦକ ପ୍ରଫୁଲ୍ଲ ଦାସ, ବିଜେଡିର ବରିଷ୍ଠ ନେତା ଧର୍ମେଶ ନାୟକ, ଦେବେନ୍ଦ୍ର କାହାଳୀ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜିଲାପାଳ ଡଃ ଭବାନୀ ଶଙ୍କର ଚୟନୀଙ୍କୁ ପଚାରିବାରୁ ବାଲିଯାତ୍ରା ଏକ ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟକ୍ରମ। ତେଣୁ କୌଣସି ବ୍ୟକ୍ତି ବା ଗୋଷ୍ଠୀ ସମ୍ପର୍କରେ ଟିପ୍ପଣୀ ଦେବା ସମୀଚିନ ନୁହେଁ।

Comments are closed.