www.samajalive.in
Sunday, December 14, 2025
16.1 C
Bhubaneswar

ଇଡି ଖୋଲୁଛି ନାଗପେଡ଼ି

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆର୍ଥିକ କାରବାର ମୁଖ୍ୟ ଅଭିଯୁକ୍ତ ଖଗେଶ୍ୱର ପାତ୍ର ଓରଫ ବାଇନକୁ ବୁଧବାର ଗିରଫ କରିବା ସହ ଅଦାଲତ ଚାଲାଣ କରିଛି। ମେଡିକାଲ ଯାଞ୍ଚ ପରେ ଖଗେଶ୍ବରକୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ଅର୍ଚ୍ଚନାଙ୍କ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂପୃକ୍ତି କ’ଣ ରହିଛି; ତାର ଖୋଳତାଡ଼ ପାଇଁ ଖଗେଶ୍ବରକୁ ୧୦ ଦିନିଆ ଜିମାରେ ନେଇଛି ଇଡି। ୧୫ ଦିନ ଜିମା ପାଇଁ ଇଡି ଆବେଦନ କରିଥିବାବେଳେ ଅଦାଲତ ୧୦ ଦିନ ପାଇଁ ଅନୁମତି ଦେଇଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦ ସହ ଅଭିଯୁକ୍ତ ବାଇନ ୫ଟି ବ୍ୟାଙ୍କ ଖାତା ଜରିଆରେ ଦେଢ଼ କୋଟି ଟଙ୍କା କାରବାର କରିଥିବା ପ୍ରାଥମିକ ତଦନ୍ତରୁ ଇଡି ଜାଣିବାକୁ ପାଇଛି। ଏହାଛଡ଼ା ଆହୁରି ୧୦ଟି ବ୍ୟାଙ୍କ ଖାତା ସମ୍ପର୍କରେ ସୂଚନା ପାଇଛି ଇଡି। ବାଇନ ମାଲିକାନାରେ ଦୁଇଟି ପୁରୁଣା ଗାଡ଼ି ଶୋ’ ରୁମ୍‌, କୋଟି କୋଟି ଟଙ୍କାର ଘର ଓ ଏକାଧିକ ପ୍ଲଟ୍‌ ଥିବା ତଦନ୍ତକାରୀ ଦଳ ହାତରେ ପ୍ରମାଣ ଲାଗିଛି। ଖଗେଶ୍ୱର ଆକାଉଣ୍ଟକୁ ଜଣେ ପୂର୍ବତନ ମନ୍ତ୍ରୀ ଟଙ୍କା ଦେଣନେଣ କରିଥିବା ଇଡି ସୂଚନା ପାଇଛି। କଳା ଟଙ୍କାକୁ ଧଳା କରିବା ପାଇଁ ଉକ୍ତ ମନ୍ତ୍ରୀ ଖଗେଶ୍ୱରକୁ ଦେଇଥିବା ସନ୍ଦେହ କରାଯାଉଛି। ଉକ୍ତ ମନ୍ତ୍ରୀ ମଧ୍ୟ ଇଡି ଜେରାର ସମ୍ମୁଖୀନ ହେବେ ବୋଲି ଚର୍ଚ୍ଚା ହେଉଛି। ଖଗେଶ୍ୱରଙ୍କ ଅମାପ ସମ୍ପତ୍ତିକୁ ଦେଖି ତଦନ୍ତକାରୀ ସଂସ୍ଥା ଚକିତ ହୋଇଛି। ନିଜ ସମ୍ପତ୍ତିର ସନ୍ତୋଷ ଜନକ ହିସାବ ଖଗେଶ୍ୱର ଇଡିକୁ ଦେଇ ପାରିନଥିଲା। ତଦନ୍ତକାରୀ ସଂସ୍ଥା ନଜରରେ ଏବେ ଶ୍ରଦ୍ଧାଞ୍ଜଳି ବେହେରା ରହିଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ପରେ ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମଧ୍ୟ ଜେରା କରାଯିବ। ଏହାପରେ ସମ୍ପୃକ୍ତ ପ୍ରାକ୍ତନ ମନ୍ତ୍ରୀଙ୍କୁ ନୋଟିସ ଜାରି କରିବ ତଦନ୍ତକାରୀ ସଂସ୍ଥା। ଇଡ଼ିର ଖୋଳତାଡ଼ ଦେଖି ନାଗଫାଶରେ ପଡ଼ିଥିବା ନେତା, ମନ୍ତ୍ରୀ, ବ୍ୟୁରୋକ୍ରାଟ, ଫିଲ୍ମ ପ୍ରଯୋଜକ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ଛାତିରେ ଛନକା ପଶିଛି। କୌଣସି ସମୟରେ ଇଡି ପଞ୍ଝା ମାରିବାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
ଖଗେଶ୍ୱର ନାମରେ ଖଣ୍ଡଗିରି ଥାନାରେ ମାମଲା ରହିଥିବା ବେଳେ ସେ ଫେରାର ବୋଲି କମିସନରେଟ ପୁଲିସ ସଫେଇ ଦେଉଥିଲା। ଗତକାଲି ଇଡି ଅର୍ଚ୍ଚନାଙ୍କ ବେଆଇନ ଆର୍ଥିକ କାରବାରର ଖୋଳତାଡ଼ କରିବାକୁ ଯାଇ ଭୁବନେଶ୍ୱର ସମେତ କଳାହାଣ୍ଡି, ଜଳେଶ୍ୱର ଆଦି ୬ଟି ସ୍ଥାନରେ ଚଢ଼ଉ କରିଥିଲା। ଏହି ଚଢ଼ଉ ସମୟରେ ଇଡି ଖଗେଶ୍ୱରକୁ ତା’ ବାଲିପାଟଣାସ୍ଥିତ ଘରୁ ଉଠାଇ ଆଣି ମାରାଥନ ଜେରା କରିଥିଲା। ଜଗବନ୍ଧୁର ଗାଡ଼ି, ଖଗେଶ୍ୱରର ଗାଡ଼ି ଓ ୪ଟି ମୋବାଇଲ ସମେତ ଜମିଜମା କାଗଜପତ୍ର ଏବଂ ବ୍ୟବସାୟ ସମ୍ପର୍କିତ ଦସ୍ତାବିଜ ଇଡି ଜବତ କରିଥିଲା। ଇଡି ସୂଚନାନୁସାରେ, ମଞ୍ଚେଶ୍ୱର ଥାନା ଅଧୀନରେ ଖଗେଶ୍ୱରର ପ୍ରିମିୟମ ଅଟୋ ନାମରେ ଦୁଇଟି ଶୋ’ ରୁମ୍‌ ରହିଛି। ସତ୍ୟବିହାରରେ ତା’ର ୪ ମହଲା କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ୱର ସମେତ ଏହାର ଉପକଣ୍ଠରେ ଖଗେଶ୍ୱରର ଏକାଧିକ ପ୍ଲଟ୍‌ ରହିଥିବା ତଦନ୍ତକାରୀ ସଂସ୍ଥାକୁ ପ୍ରମାଣ ମିଳିଛି। ଅନ୍ୟପଟେ ଚାନ୍ଦ ଦମ୍ପତିଙ୍କ ବ୍ଲାକମେଲ କାରବାରର ମାଷ୍ଟରମାଇଣ୍ଡ ଥିଲା ଖଗେଶ୍ୱର। ଜଗବନ୍ଧୁ ନୁହେଁ ଖଗେଶ୍ୱର କଥାରେ ଅର୍ଚ୍ଚନା ସବୁ କିଛି କରୁଥିଲା। ଏହାକୁ ନେଇ ଜଗବନ୍ଧୁ ସହ ଖଗେଶ୍ୱରର ଶତ୍ରୁତା ସୃଷ୍ଟି ହୋଇଥିଲା। ଏପରିକି ଜଗବନ୍ଧୁକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଖଗେଶ୍ୱର ବନ୍ଧୁକ ଗୁଳିରୁ ଅଳ୍ପକେ ଜଗବନ୍ଧୁ ବର୍ତ୍ତି ଯାଇଥିଲା। ପରେ ଉଭୟ ମିଶି ବ୍ଲାକମେଲିଂ ଚଳାଇଥିଲେ। ଶ୍ରଦ୍ଧାଞ୍ଜଳିଙ୍କୁ ମୋହରା କରି ଅର୍ଚ୍ଚନା ପାୱାର କରିଡରକୁ ହାତମୁଠାରେ ରଖିଥିଲେ। ଯାହାକୁ ଯେଉଁ କାମ କହୁଥିଲା, ସେମାନେ ସଙ୍ଗେସଙ୍ଗେ ତା’ କାମ କରିଦେଉଥିଲେ। ନଚେତ ଅର୍ଚ୍ଚନା କାଳେ କୌଣସି ସମୟରେ ତାଙ୍କ ରଙ୍ଗିନ ମୁଖା ଖୋଲିଦେବ ସେ ଭୟ ସମସ୍ତଙ୍କୁ ଘାରୁଥିଲା। ଏହି ଉପାୟରେ ଅର୍ଚ୍ଚନା ମାତ୍ର ୪ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ। ଖଗେଶ୍ୱରକୁ ଇଡି ଜିମାରେ ଆଣି ପୁଣି ଜେରା କରି ବୋଲି ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।
ସୂଚନାଯୋଗ୍ୟ, ରୋଜଗାର ପାଇଁ ଭୁବନେଶ୍ୱର ଆସି ଅର୍ଚ୍ଚନା ପ୍ରଥମେ ଏକ ଏଫଏମ୍ ରେଡ଼ିଓରେ ଚାକିରି କରିଥିଲେ। ସେହି ସମୟରେ ଅର୍ଚ୍ଚନା ରସୁଳଗଡ଼ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ରସୁଲଗଡ଼ରେ ଜଗବନ୍ଧୁଙ୍କ ସହ ତା’ର ପ୍ରେମ ସମ୍ପର୍କ ହୋଇଥିଲା। ଏହାପରେ ସେ ଏଫ୍ଏମ୍ ସଂସ୍ଥାର ମାଲିକଙ୍କୁ ବ୍ଲାକମେଲ କରି ସଫଳ ହେବା ପରେ ସେ ଆଉ ପଛକୁ ଫେରିନଥିଲେ। ଜାଗମରା ଅଞ୍ଚଳରେ ଜଣେ ଜଣାଶୁଣା ଫିଲ୍ମ ପ୍ରଯୋଜକଙ୍କ ଘର ଭଡ଼ା ନେଇ ସେଠାରେ ଜଗବନ୍ଧୁଙ୍କ ସହ ରହିଥିଲେ। ସେଠାରେ ମଧ୍ୟ ଉକ୍ତ ଘର ମାଲିକଙ୍କୁ ବ୍ଲାକମେଲ କରି ଆଉ ପାଦେ ଆଗକୁ ବଢ଼ିଥିଲେ। ସେହି ଅଞ୍ଚଳରେ ଅନ୍ୟ ଏକ ଘର ଭଡ଼ା ନେଇ ଚାନ୍ଦ ଦମ୍ପତି ରଙ୍ଗଶାଳା ଖୋଲିଥିଲେ। ସେମାନଙ୍କ ରଙ୍ଗିନ ଦୃଶ୍ୟକୁ ଅର୍ଚ୍ଚନା କୌଶଳକ୍ରମେ ରେକର୍ଡିଂ କରି ପରେ ବ୍ଲାକମେଲ କରୁଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅନୁରୂପ ଭାବେ ବ୍ଲାକମେଲ କରିବା ପରେ ଘଟଣା ପଦାକୁ ଆସିଥିଲା। ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗକୁ ଆଧାର କରି ଖଣ୍ଡଗିରି ପୁଲିସ ଅକ୍ଟୋବର ୨ରେ ଅର୍ଚ୍ଚନାଙ୍କୁ ଗିରଫ କରିଥିବା ବେଳେ ସେହି ମାସ ୨୧ରେ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ଉଭୟ ଏବେ କାରାଗାରରେ ଥିବାବେଳେ ଖଗେଶ୍ୱର ମଧ୍ୟ ସେଠାରେ ରହିଛି।

ତଦନ୍ତ କରିବ ଏସ୍ଆଇଟି

ଅର୍ଚ୍ଚନା ନାଗ ମାମଲାକୁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଖୋଳତାଡ଼ କରିବାକୁ ଯାଉଛନ୍ତି। ସ୍ବତନ୍ତ୍ର ତଦଦନ୍ତକାରୀ ଦଳ (ଏସ୍‌ଆଇଟି) ମାମଲାର ତଦନ୍ତ ପାଇଁ ଇଡିକୁ ତଥ୍ୟ ମାଗିଥିବା ଜଣାପଡ଼ିଛି। ଆସନ୍ତା ୧୩ରେ ଏସ୍ଆଇଟିର ବୈଠକ ବସିବାକୁ ସ୍ଥିର ହୋଇଛି। ଏହି ବୈଠକରେ ଅର୍ଚ୍ଚନାଙ୍କ କଳା କାରନାମା ଉପରେ ଆଲୋଚନା ହେବ। ପ୍ରବର୍ତ୍ତନ ନିର୍ଦେଶାଳୟକୁ ଏସ୍ଆଇଟି ରିପୋର୍ଟ ମାଗିଥିବା ସୂଚନା ମିଳିଛି। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅର୍ଚ୍ଚନା ନାଗ ମାମଲା ସମ୍ପର୍କରେ ଆଲୋଚନା ହେବ। କେଉଁଠାରୁ ଅର୍ଚ୍ଚନା ଏତେ କଳାଟଙ୍କା ଆଣିଲେ ତା’ର ତଦନ୍ତ କରିବ ଏସ୍ଆଇଟି। ଏସଆଇଟି ତଥ୍ୟ ମାଗିବା ପୂର୍ବରୁ ଇଡ଼ି ମାମଲାର ସବୁ କିଛି ତଥ୍ୟ ବାହାର କରିବା ପାଇଁ ତଦନ୍ତକୁ ଜୋରଦାର କରିଛି। ଅଳ୍ପଦିନ ମଧ୍ୟରେ ଅମାପ ସମ୍ପତ୍ତିର କିପରି ମାଲିକ ହେଲେ ବୋଲି ତଦନ୍ତକାରୀ ସଂସ୍ଥା ତାଜୁବ ହୋଇଛି। ଏସ୍ଆଇଟି ତଦନ୍ତ କଲେ ନାଗଫାଶରେ ପଡ଼ିଥିବା ହେଭିୱେଟଙ୍କ ରଙ୍ଗିନ ମୁଖା ନିଶ୍ଚୟ େଖାଲିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories