ରାଜନଗରରେ ବିଶ୍ୱାସ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ରାଜନଗର ପଞ୍ଚାୟତ କାର୍ଯ୍ୟାଳୟଠାରେ ଗୁରୁବାର ୧୧ମାସିକ ବିଶ୍ୱାସ କାର୍ଯ୍ୟକ୍ରମ ଓ ଗାଁ କଲ୍ୟାଣ ସମିତିର କାର୍ଯ୍ୟଶୈଳୀ ସଂପର୍କୀତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସିଏଚସିର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ ଓ ସିଡିପିଓ ନିବେଦିତା ରାୟଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅଙ୍ଗନୱାଡି ପରିଦର୍ଶିକା ସତ୍ୟପ୍ରିୟା ସାମନ୍ତରାୟ ଓ ପ୍ରମିଳା ଖୁଜୁର ଯୋଗଦାନ କରି ବାର୍ଷିକ ବିଶ୍ୱାସ କାର୍ଯ୍ୟକ୍ରମର ରୂପରେଖ ଏବଂ ରୂପାୟନ ସଂପର୍କରେ ସମୀକ୍ଷା କରିଥିଲେ । ଗୋଷ୍ଠୀ ସହଭାଗିତାରେ ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା ପାଇଁ ପ୍ରତି ରାଜସ୍ୱ ଗ୍ରାମରେ ଗାଁ କଲ୍ୟାଣ ସମିିତି ଗଠନ କରାଯାଇଛି। ଗାଁର ସ୍ୱାସ୍ଥ୍ୟ ଓ ପରିମଳ, ସ୍ୱଚ୍ଛତା ରକ୍ଷା ଦିଗରେ ଗାଁ କଲ୍ୟାଣ ସମିତିର ଗୁରୁ ଦାୟିତ୍ୱ ରହିଛି ବୋଲି ଶ୍ରୀ ଅସଲମ ପ୍ରକାଶ କରିଥିଲେ । ୧୧ମାସିକ ବିଶ୍ୱାସ କାର୍ଯ୍ୟକ୍ରମ ଅନ୍ତର୍ଗତ ଉନ୍ନତ ଜଳ, ପରିମଳ, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ଲାଗି ବାର୍ଷିକ ଯୋଜନା, ଗାଁ ସ୍ୱାସ୍ଥ୍ୟ ପରିମଳ ଦିବସ, ଖୋଲା ମଳତ୍ୟାଗ ମୁକ୍ତ ଗାଁ ଦିବସ, ହାତଧୂଆ ଦିବସ, ସ୍କୁଲ ଓ ଅଙ୍ଗନବାଡି ପରିଚ୍ଛନ୍ନତା ଦିବସ, ବ୍ୟକ୍ତିଗତ ଓ ଗୃହ ପରିଚ୍ଛନ୍ନତା ଦିବସ, ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଦିବସ, ଉତ୍ତମ ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉତ୍ସାହ ଦିବସ, ରୋଗବାହକ ନିୟନ୍ତ୍ରଣ ଦିବସ, ସ୍ୱଚ୍ଛତା ଚମ୍ପିଆନ ଦିବସ ଏବଂ ୧୧ତମ ଅଭିଯାନରେ ଗ୍ରାମସଭା ଦିବସ ଆଦି କାର୍ଯ୍ୟକ୍ରମ ସଂପର୍କରେ କିପରି ବ୍ୟାପକ ରୂପେ ଜନସଚେତନତା ଓ ଜନଜାଗରଣ ସୃଷ୍ଟି କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ନିଷ୍ଠା ଓ ନିସ୍ୱାର୍ଥପର ଭାବେ ରୂପାୟନ କରିବା ଲାଗିି ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ବିଜୟ କୁମାର ଜେନା ଓ ଅମରେନ୍ଦ୍ର ପ୍ରଧାନଙ୍କ ସମେତ ଗାଁ କଲ୍ୟାଣ ସମିତି ସମୂହର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.