ଶୁଣିଲାନି ପ୍ରଶାସନ : ସ୍ତ୍ରୀ ଖୋଳିଲେ ସ୍ୱାମୀର କବର

ଚମ୍ପୁଆ: ରତ୍ନଗର୍ଭା ଚମ୍ପୁଆ ଉପଖଣ୍ଡରେ ପ୍ରଶାସନିକ ବ୍ୟବସ୍ଥା ଉପରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି। ସରକାରଙ୍କର ବିଭିନ୍ନ ଯୋଜନା ସତେ ଯେମିତି ଗରିବ ଗୁରୁବାଙ୍କ ପାଇଁ ସାତ ସପନ। ରାଜ୍ୟ ସରକାର ଦେଶର ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଉଥିଲାବେଳେ ରାଜ୍ୟରେ ଥିବା ପ୍ରଶାସନିକ ବ୍ୟବସ୍ଥା ପାଇଁ ଲଜ୍ଜିତ ହେବାକୁ ପଡୁଛି। ଯାହାକି ପ୍ରଶାସନିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଉଛି। ଏପରି ଏକ ଘଟଣା ଚମ୍ପୁଆ ବ୍ଲକର ବଡନଇଁ ଗ୍ରାମପଞ୍ଚାୟତ ସେହି ଗାଆଁର ଢିପାସାହି ଠାରେ ଘଟିଛି। ନିଜ ସ୍ୱାମୀର କବର ସ୍ଥାନ ଖୋଳିବା ପାଇଁ ନିଜେ ଅଣ୍ଟା ଭିଡି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ପତି ମୁଣ୍ଡା (୪୫)। ଗତ ଦୁଇଦିନ ତଳେ ସ୍ୱାମୀ ଅସୁସ୍ଥ ହେବାରୁ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ଚିକିତ୍ସାପାଇଁ ନେଇଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାମୀ ଭଞ୍ଜ ମୁଣ୍ଡା (୫୮)ଙ୍କ ମୃତ୍ୟୁ ଘଟିଥିଲା। ଦିନ ପ୍ରାୟ ୧୦ଟା ବେଳେ ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଶବ ଆଣିବାକୁ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଲାଗିଯାଇଥିଲା। ଶେଷରେ ଘରେ ପହଞ୍ଚିଲାବେଳକୁ ରାତି ହୋଇଯାଇଥିଲା। ସାହି ଭାଇ କିଛି ଲୋକଙ୍କୁ ଖବର ଦେଲାପରେ ସେମାନେ ଟିକିଏ ବିଳମ୍ବରେ ପହଞ୍ଚିଥିଲେ। ଫଳରେ ଅନନ୍ୟ ଉପାୟ ନପାଇ ଶେଷରେ ନିଜ ଗଇଁତିରେ କବର ଖୋଳିବାକୁ ଲାଗିଲେ। ପରେ ସାହି ଲୋକ ଡକାଡକି ହୋଇ ଆସିଥିଲେ ଏବଂ କବର ଦେଇଥିଲେ। ତେବେ ଏଠାରେ ପ୍ରଶ୍ନଉଠୁଛି, ଶବ ଆଣିବାକୁ ପ୍ରଶାସନିକ ବ୍ୟବସ୍ଥା ରହିଥିଲାବେଳେ ପତି ମୁଣ୍ଡା ନିଜେ ଧାରକରଜ କରି ୧୫୦୦ଟଙ୍କା ମହାଯାତ୍ରା ଗାଡିକୁ ଦେଇଥିଲା। ଏଠାରେ ଉଲ୍ଲେଖ କରାଯାଇପାରେକି, ଡାକ୍ତରଖାନା ପରିସରରେ ଜିଲା ଖଣିଜ ପ୍ରତିଷ୍ଠାନର ଏକ ବିଭାଗ ରହି ଏତେ ସବୁ ବ୍ୟବସ୍ଥା ବୁଝୁଥିଲାବେଳେ ଏଠାରେ ମଧ୍ୟ ଦାନ ମାଝିର ଉଦାହରଣ ଭଳି ପ୍ରତୀୟମାନ ହେଉଛି। ଏହା ବ୍ୟତୀତ ଜିଲା ଖଣିଜ ପ୍ରତିଷ୍ଠାନ ଏସବୁ ବ୍ୟବସ୍ଥା ପ୍ରତି ଅଣଦେଖା କରିବା କେତେଦୂର ସମୀଚୀନ ତାହା ପ୍ରଶାସନକୁ ହିଁ ଜଣା। ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ଟଙ୍କା ପ୍ରଦାନ କରାଯାଇଥିଲାବେଳେ ଆନୁସାଙ୍ଗିକ ଖର୍ଚ୍ଚ ପ୍ରଦାନ କରିବାକୁ ଦାବି ହେଉଛି। ଏହାଛଡ଼ା ପରବର୍ତ୍ତୀ ସମୟରେ ବିଧବା ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପତି ମୁଣ୍ଡାକୁ ଯୋଗାଇଦେବାକୁ ଦୃଢ଼ ଦାବି ହେଉଛି।

kalyan agarbati

Comments are closed.