ଆନ୍ତର୍ଜାତୀୟ ହାତଧୁଆ ଦିବସରେ ସଚେତନତା

ଆଠଗଡ :  ଆନ୍ତର୍ଜାତୀୟ ହାତଧୁଆ ଦିବସ ଅବସରରେ ମେଘା ସ୍ୱାସ୍ଥ୍ୟ ସେକ୍ଟରର ରାଜନଗର ପଞ୍ଚାୟତର ମିଶନ ଶକ୍ତି କାର୍ଯ୍ୟାଳୟଠାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ୍ ଏଥିରେ ସଂଯୋଜନା କରି ହାତଧୁଆ ଦିବସ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ କାର୍ଯ୍ୟ ସଂପାଦନ ପୂର୍ବରୁ ଓ ପରେ ନିୟମିତ ସଠିକ୍‌‌ ଶୈଳୀରେ ହାତ ଧୋଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ହାତ ମାଧ୍ୟମରେ ବିଭିନ୍ନ ଜୀବାଣୁ, ଭୂତାଣୁ ଓ ମଇଳା ଆମ ଖାଦ୍ୟ ଓ ପାନୀୟ ମାଧ୍ୟମରେ ଶରୀର ମଧ୍ୟକୁ ପ୍ରବେଶ କରି ବିଭିନ୍ନ ରୋଗର କାରଣ ହୋଇଥାଏ। ତେଣୁ ଖାଦ୍ୟ ରନ୍ଧା ପୂର୍ବରୁ, ଖାଦ୍ୟ ପରସିବା ପୂର୍ବରୁ, ଖାଇବା ପୂର୍ବରୁ ଓ ପରେ, ଘରର ବିଭିନ୍ନ କାର୍ଯ୍ୟ କରିବା ପରେ ସାବୁନରେ ହାତକୁ ଭଲ ଭାବରେ ଏବଂ ସଠିକ୍‌‌ ଶୈଳୀରେ ଧୋଇବା ଦରକାର ବୋଲି ଶ୍ରୀ ଅସଲମ ବୁଝାଇଥିଲେ । ହାତ ମାଧ୍ୟମରେ ଶରୀର ମଧ୍ୟକୁ ଯାଉଥିବା ମଇଳା, ଜୀବାଣୁ ଓ ଭୂତାଣୁ ମଣିଷ ଶରୀରରେ ଡାଇରିଆ, ଶ୍ୱାସନଳୀ ସଂକ୍ରମଣ, ଆଖି ଓ ଚର୍ମ ସଂକ୍ରମଣ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗ ସୃଷ୍ଟି ହୋଇଥାଏ । ହାତକୁ ମାଟି ବା ପାଉଁଶରେ ଆଦୌ ନ ଧୋଇ ସାବୁନ କିମ୍ବା ହାଣ୍ଡ ୱାସ ଲଗାଇ ଧୋଇବା ଆବଶ୍ୟକ ବୋଲି ସେ କହିଥିଲେ। ଆଶାକର୍ମୀମାନେ ଘରକୁ ଘର ବୁଲି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଜରିଆରେ ଓ ଅଙ୍ଗନବାଡି ଦିଦିଙ୍କ ସାହାଯ୍ୟରେ ପିଲାମାନଙ୍କ ସମେତ ଘରର ସମସ୍ତ ସଦସ୍ୟ ସଠିକ୍‌‌ ଶୈଳୀରେ କିପରି ହାତଧୋଇବେ ତାହା ପ୍ରଦର୍ଶନ କରୁଛନ୍ତି। ପ୍ରତି ସୋପାନରେ ଅତିକମ୍‌‌ରେ ୨୦ ସେକେଣ୍ଡ ହାତର ଉଭୟ ପାର୍ଶ୍ବ ଓ ଆଙ୍ଗୁଠି ସନ୍ଧିଗୁଡିକୁ ସଫା କରିବା ଲାଗି ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, ସ୍ୱାସ୍ଥ୍ୟକର୍ମୀ ସୁଜାତା ଲେଙ୍କା, ଅଙ୍ଗନବାଡି କର୍ମୀ ମମତା ପଣ୍ଡା, ଜସ୍ମିନ ରାଉତ, ଆଶାକର୍ମୀ ବାସନ୍ତୀ ବର୍ମା, ଉର୍ବଶୀ ପରିଡାଙ୍କ ସମେତ ବହୁ ଅଙ୍ଗନବାଡି ଶିଶୁ ଓ ଗାଁ କଲ୍ୟାଣ ସମିତିର ସଭ୍ୟମାନେ ଯୋଗଦାନ କରିଥିଲେ।

kalyan agarbati

Comments are closed.