www.samajalive.in
Wednesday, December 10, 2025
23.1 C
Bhubaneswar

୨୨ରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଜଳବାୟୁ ବାତ୍ୟା ଅନୁକୂଳ ରହିଛି । ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦେଶକ ଏଚ୍.ଆର.ବିଶ୍ୱାସ ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ସରକାରଙ୍କୁ ଅବଗତ କରିଛନ୍ତି। ମୌସୁମୀ ବାୟୁ ରାଜ୍ୟରେ ସକ୍ରିୟ ରହିଥିବାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୧୭ ତାରିଖ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ଅନୁମାନ କରାଯାଉଥିବାବେଳେ ଏହାର ପ୍ରଭାବରେ ୨୨ ରୁ ୨୩ ମଧ୍ୟରେ ବାତ୍ୟା ଆଶଙ୍କା ରହିଥିବା ଆମେରିକାର ଟ୍ରିଡ୍‌ବିଟ୍‌ସ୍‌.କମ୍‌ ଆକଳନ କରିଛି। ସଂସ୍ଥାର ଆକଳନ ଅନୁସାରେ ଆଣ୍ଡାମାନ ପୂର୍ବ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଯେଉଁଥିରେ ଓଡ଼ିଶା ପ୍ରଭାବିତ ହେବ। କିନ୍ତୁ ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) କିଛି ସ୍ପଷ୍ଟ କରିନାହିଁ। ଲଘୁଚାପ କେତେଦୂର ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଏବଂ କେତେ ଶକ୍ତିଶାଳୀ ହେବ ସେ ନେଇ ସପ୍ତାହେ ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସୋମବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୟଙ୍କର ବଜ୍ରପାତ ସହ ବର୍ଷା ହୋଇଛି।
ଓଡ଼ିଶାରେ ଅକ୍ଟୋବରରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଭୀଷଣ ବାତ୍ୟା ଆସିଥାଏ। ତେଣୁ ଏହି ବାତ୍ୟାଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଛନ୍ତି। ସୋମବାର ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।
ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବାତ୍ୟାରେ ଟେଲିଫୋନ୍ ଏବଂ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ମୋବାଇଲ୍ ଟେଲିକମ୍-ଟାୱାର,ସାଟେଲାଇଟ୍ ଫୋନ୍ ଜେନେରେଟର, ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ସବଷ୍ଟେସନ୍ ଏବଂ ଯଥେଷ୍ଟ ସଂଖ୍ୟକ ମାନବ ସମ୍ବଳ ଆଦିର ଆକଳନ ଏବଂ ଆବଶ୍ୟକ ବେଳେ ତୁରନ୍ତ ନିୟୋଜିତ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିଲେ। ପାନୀୟ ଜଳ ପାଇଁ ଗ୍ରାମ ଓ ସହରାଞ୍ଚଳରେ ଥିବା ହ୍ୟାଣ୍ଡପମ୍ପ ଓ ବାତ୍ୟା ଅତିକ୍ରାନ୍ତ ହେବା ପରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ। ବ୍ଲିଚିଂ, ହେଲୋଜେନ୍ ବଟିକା, ଔଷଧ, ଆମ୍ବୁଲାନ୍ସ୍ ଏବଂ ଡାକ୍ତରୀ ଦଳ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବା,ଓଡ଼୍ରାଫ୍ ଏବଂ ଅଗ୍ନିଶମ ଦଳ ସେମାନଙ୍କ ଉପକରଣକୁ ସଠିକ ଭାବେ ଯାଞ୍ଚ୍ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ। ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ସହ ଆସନ୍ନ ପ୍ରସବ, ବୟସ୍କ, ଦିବ୍ୟାଙ୍ଗ, ଅସହାୟମାନଙ୍କର ତାଲିକା ପ୍ରସ୍ତୁତ ରଖିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗଙ୍କୁ କୁହାଯାଇଥିଲା। ତୁରନ୍ତ ଗମନାଗମନ ସୁବିଧାର ପୁନଃ ସ୍ଥାପନ, ରାସ୍ତା ଓ ନଦୀବନ୍ଧ ମରାମତି, ବାତ୍ୟା ସମୟରେ ଲୁଣାଘେରି ବନ୍ଧର ସୁରକ୍ଷା, ପାନୀୟ ଜଳ, ସହରାଞ୍ଚଳରେ ଉଦ୍‌ବୃତ ବର୍ଷା ଜଳ ନିଷ୍କାସନ, ହସ୍ପିଟାଲ୍ ଗୁଡିକରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ଗୋ ଖାଦ୍ୟ ଯୋଗାଣ, ପରିମଳ ବ୍ୟବସ୍ଥା ପାଇଁ କଣ୍ଟିଜେଣ୍ଟ୍ ପ୍ଲାନ୍ ସହ ଆବଶ୍ୟକୀୟ ସାମଗ୍ରୀ ଓ ମାନବ ସମ୍ବଳ, କୃଷକମାନଙ୍କୁ ଉପଯୁକ୍ତ ପରାମର୍ଶ ଓ ସୂଚନା ପ୍ରଦାନ, ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରଖିବା ପାଇଁ ମଧ୍ୟ ବିଭାଗଗୁଡ଼ିକୁ କୁହାଯାଇଥିଲା।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବାତ୍ୟା ପରିଚାଳନା ସହ ସଂପୃକ୍ତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ। ନୌସେନା, ତଟରକ୍ଷୀ ଓ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ନିଜ ବିଭାଗର ପ୍ରସ୍ତୁତି ଓ ଆବଶ୍ୟକତା ସଂପର୍କିତ ସୂଚନା ଦେଇଥିଲେ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories