www.samajalive.in
Wednesday, December 10, 2025
26.1 C
Bhubaneswar

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ୩ୟ ଦିନିକିଆ ଆଜି

ନୂଆଦିଲ୍ଲୀ : ସପ୍ତାହକ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆରମ୍ଭ ହେଉଥିବା ବେଳେ ଦିନିକିଆ ଶୃଙ୍ଖଳାକୁ କ୍ରିକେଟ୍‌ପ୍ରେମୀ ଏତେ ଗୁରୁତ୍ବ ଦେବେ; ତାହା କେହି ଭାବିନଥିଲେ। ଏବେ ସମସ୍ତ ଦଳ ଟ୍ବେଣ୍ଟି-୨୦ ଖେଳୁଥିବା ବେଳେ କେବଳ ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ଖେଳୁଛି; ତାହା ପୁଣି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ମନୋନୀତ ସମସ୍ତ ପ୍ରମୁଖ ଖେଳାଳିଙ୍କୁ ନେଇ। ଏହାର କାରଣ ହେଉଛି ଦିନିକିଆ ବିଶ୍ବକପ୍‌ ସୁପର ଲିଗ୍‌ ପଏଣ୍ଟ ତାଲିକାରେ ଦକ୍ଷିଣ ଆଫ୍ରିକା ଏବେ ୧୧ଶ ସ୍ଥାନରେ ରହିଛି। ପ୍ରଥମ ୮ଟି ସ୍ଥାନରେ ରହିଲେ ହିଁ ଏହା ୨୦୨୩ ଦିନିକିଆ ବିଶ୍ବକପ୍‌ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଅନ୍ୟପକ୍ଷରେ ଭାରତର ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳ ଅଷ୍ଟ୍ରେଲିଆ ଯାଇଥିବା ବେଳେ ବାକି ଖେଳାଳିଙ୍କୁ ନେଇ ଶିଖର ଧାୱନ ନେତୃତ୍ବାଧୀନ ଦଳ ଗତ ୨ଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛି। ପ୍ରଥମ ମ୍ୟାଚ୍‌କୁ ଅଳ୍ପ ବ୍ୟବଧାନରେ ହାରିବା ପରେ ୨ୟ ମ୍ୟାଚ୍‌କୁ ସହଜରେ ଘରୋଇ ଭାରତ ଜିତିପାରିଛି। ୩ ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଛି। ମଙ୍ଗଳବାର ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯିବ।
୩ୟ ଦିନିକିଆକୁ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ଉଭୟ ଦଳ ଅଛନ୍ତି। ଏହି ଶୃଙ୍ଖଳା ଜିତି ଦୃଢ଼ ମନୋବଳରେ ଦକ୍ଷିଣ ଆଫ୍ରିକା ଟି୨୦ ବିଶ୍ବକପ୍‌ ଖେଳିବାକୁ ଯିବ। ହେଲେ ୧୫/୧୬ ଜଣ ପ୍ରମୁଖ ଖେଳାଳିଙ୍କ ବିନା ପୂର୍ଣ୍ଣଶକ୍ତିରେ ଆସିଥିବା ଦକ୍ଷିଣ ଆଫ୍ରିକାକୁ ଦିନିକିଆ ଶୃଙ୍ଖଳାରେ ହରାଇବା ଭାରତ ପାଇଁ ଛୋଟ କୃତିିତ୍ବ ନୁହେଁ। ସଞ୍ଜୁ ସାମ୍‌ସନ, ଶ୍ରେୟାସ ଆୟର ଓ ଈଶାନ୍ କିଷନ୍‌ ଅଦ୍ୟାବଧି ଶୃଙ୍ଖଳାରେ ବ୍ୟାଟିଂ ତାରକା ରହିଛନ୍ତି। ଏମାନଙ୍କ ପ୍ରଦର୍ଶନ କଦାପି ନଜର ଅଢ଼ୁଆଳରେ ରହିବନାହିଁ। ମହମ୍ମଦ ସିରାଜ୍‌ ନିଜକୁ ଭଲ ଧଳା ବଲ୍ ବୋଲର ଭାବେ ପୁଣି ପ୍ରମାଣିତ କରିଛନ୍ତି। ଫଳରେ ମହମ୍ମଦ ସାମିଙ୍କ ସହ ଟି୨୦ ବିଶ୍ବକପ୍‌ରେ ଯଶପ୍ରୀତ ବୁମ୍‌ରାଙ୍କ ବଦଳ ଖେଳାଳି ଭାବେ ସିରାଜ୍ ଦାବି ଉପସ୍ଥାପନ କରି ସାରିଛନ୍ତି। କୁଲଦୀପ ଯାଦବ ଲୟ ଫେରି ପାଇଛନ୍ତି। ଜଣେ ଅଲ୍‌ରାଉଣ୍ଡର ଭାବେ ସାର୍ଦୁଳ ଠାକୁର ତାଙ୍କ ଦକ୍ଷତା ଦେଖାଇ ସାରିଛନ୍ତି। ପୁଣି ବାମହାତି ସ୍ପିନର ଶାହ୍‌ବାଜ ଅହମ୍ମଦ ଭବିଷ୍ୟତର ଆନ୍ତର୍ଜାତିକ ଖେଳାଳି ଭାବେ ଉଭା ହୋଇଛନ୍ତି। ତେଣୁ ଏହି ଦଳକୁ ୨ୟ ଶ୍ରେଣୀର ଦଳ କହିବା ଠିକ୍‌ ହେବନାହିଁ।
ଦକ୍ଷିଣ ଆଫ୍ରିକା ୨୦୧୫ରେ ଶେଷଥର ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳା ଜିତିଥିବା ବେଳେ ୭ ବର୍ଷ ପରେ ଏହି କୃତିତ୍ବ ହାସଲ ଲକ୍ଷ୍ୟରେ ରହିଛି। ପୁଣି ତାଙ୍କର ଅନ୍ତିମ ସୀମିତ ଓଭର ଶୃଙ୍ଖଳାରେ ପ୍ରଶିକ୍ଷକ ଭାବେ ବିଜୟୀ ହେବାକୁ ଚାହିଁବେ ମାର୍କ ବୌଚର। ଦକ୍ଷିଣ ଆଫ୍ରିକା ତା’ର ଅଧିନାୟକ ତେମ୍ବା ବଭୁମାଙ୍କୁ ନେଇ ଚିନ୍ତିତ। ଭାରତ ଗସ୍ତରେ ବଭୁମା ୪ଟି ମ୍ୟାଚ୍‌ରୁ ମୋଟ ୧୧ ରନ୍‌ କରିଛନ୍ତି। ଟି୨୦ ବିଶ୍ବକପ୍‌ରେ ବଭୁମା ଦଳର ନେତୃତ୍ବ ନେବାକୁ ଯାଉଥିବା ବେଳେ ଜଲ୍‌ଦି ସେ ଫର୍ମକୁ ଫେରନ୍ତୁ ବୋଲି ଦଳ ଆଶାରଖିଛି। ୨ୟ ଦିନିକିଆରେ ବଭୁମାଙ୍କ ସ୍ଥାନରେ ଖେଳିଥିବା ରିଜା ହେଣ୍ଡ୍ରିକ୍‌ସ ଚମତ୍କାର ବ୍ୟାଟିଂ କରିଥିଲେ। ତେଣୁ ବିଶ୍ବକପ୍‌ରେ ଏହା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌ ଗଠନକୁ ପ୍ରଭାବିତ କରିବ। ୩ୟ ଦିନିକିଆରେ ଭାରତୀୟ ବ୍ୟାଟିଂ ଲାଇନ୍‌ରେ ପରିବର୍ତ୍ତନର ସମ୍ଭାବନା କମ୍‌। ତେବେ ଯଦି ଭାରତ ଅତିରିକ୍ତ ପେସ୍ ବୋଲର ଖେଳାଇବାକୁ ଚାହେଁ; ତେବେ ବଙ୍ଗଳାର ସ୍ପିନର ଶାହ୍‌ବାଜ ଅହମ୍ମଦଙ୍କ ସ୍ଥାନରେ ତାଙ୍କ ରାଜ୍ୟର ମୁକେଶ କୁମାର ଖେଳିପାରନ୍ତି। ଯଦି ତେମ୍ବା ବଭୁମା ଖେଳିବା ଲାଗି ଫିଟ୍‌ ଘୋଷିତ ହୁଅନ୍ତି; ତେବେ ୟାନେମାନ ମଲାନ୍‌ଙ୍କୁ ବସିବାକୁ ପଡ଼ିବ। ସ୍ପିନର ଫୋର୍ଟୱିନ୍‌ଙ୍କ ସ୍ଥାନରେ ଲୁଙ୍ଗି ଏନ୍‌ଗିଡି ଖେଳିପାରନ୍ତି। ଗତ କିଛିଦିନ ହେଲା ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ମଙ୍ଗଳବାର ମଧ୍ୟ ଅଳ୍ପ ବର୍ଷାହେବାର ପୂର୍ବାନୁମାନ କରାଯାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories