ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ, ସେ ଭାରତରେ ଡାଟା ସେଣ୍ଟର ସ୍ଥାପନ କରୁଥିବା କମ୍ପାନୀ ଗୁଡିକର କ୍ଷମତା ବିଷୟରେ ଜାଣି ଉତ୍ସାହିତ ଏବଂ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିବେଶ ଯୋଜନା ବିଷୟରେ ଆଲୋଚନା କରିଛନ୍ତି ।
ଭାରତରେ ୧୭.୫ ବିଲିୟନ ଡଲାର ନିବେଶ କରିବ ମାଇକ୍ରୋସଫ୍ଟ । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି । ସେ ଏହାକୁ ଏସିଆ ମହାଦେଶରେ କମ୍ପାନୀର ସର୍ବବୃହତ ନିବେଶ ବୋଲି କହିଛନ୍ତି । ଶ୍ରୀ ନାଡେଲା ୨୦୩୦ ସୁଦ୍ଧା ଦେଶର ଏଆଇ-ଫାର୍ଷ୍ଟ-ଫ୍ୟୁଚର ପାଇଁ ଭିତ୍ତିଭୂମି ଏବଂ ସାର୍ବଭୌମ କ୍ଷମତା ନିର୍ମାଣରେ ସାହାଯ୍ୟ କରିବା ପାଇଁ ୧୭.୫ ବିଲିୟନ ଡଲାର ନିବେଶ ଘୋଷଣା କରିଛନ୍ତି । ଯାହା ଗତ ଦୁଇ ମାସ ମଧ୍ୟରେ ଦେଶରେ ତୃତୀୟ ପ୍ରମୁଖ ଏଆଇ-ଚାଳିତ ନିବେଶ । ସେ କହିଛନ୍ତି , ହେବାକୁ ଥିବା ସମସ୍ତ ଡାଟା ସେଣ୍ଟର କ୍ଷମତା ବିଷୟରେ ଜାଣି ଆମେ ବହୁତ ଉତ୍ସାହିତ । ପୁଣେ, ଚେନ୍ନଇ ଏବଂ ମୁମ୍ବାଇରେ ଆମର ପୂର୍ବରୁ ପ୍ରକଳ୍ପ ଅଛି । ଆମେ ହାଇଦ୍ରାବାଦରେ ଦକ୍ଷିଣ ଭାରତ କେନ୍ଦ୍ରୀୟ କ୍ଲାଉଡ୍ କ୍ଷେତ୍ର କରିବାକୁ ଯାଉଛୁ । ଯାହା ପରବର୍ତ୍ତୀ ବର୍ଷ ଆରମ୍ଭ ହେବାକୁ ଯାଉଛି ବୋଲି ଶ୍ରୀ ନାଡେଲା ନୂଆଦିଲ୍ଲୀରେ ଏକ ମାଇକ୍ରୋସଫ୍ଟ କାର୍ଯ୍ୟକ୍ରମରେ କହିଛନ୍ତି । ନିବେଶ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବିଷୟରେ ସେ କହିଥିଲେ ଯେ, ଆମେ ଏହି ନିବେଶ ପାଇଁ ପ୍ରକୃତରେ ଉତ୍ସାହିତ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ସହ ନିବେଶ ବିଷୟରେ ଆମର ଉତ୍ସାହ ବିଷୟରେ ଆଲୋଚନା କରିବାର ସୁଯୋଗ ପାଇଲି ବୋଲି ଶ୍ରୀ ନାଡେଲା କହିଛନ୍ତି । ଭାରତ ଡିଜିଟାଲ୍ କ୍ଷେତ୍ରରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ମାଇକ୍ରୋସଫ୍ଟ ଭାରତୀୟ ଗ୍ରାହକମାନଙ୍କ ପାଇଁ ସାର୍ବଭୌମ ପବ୍ଲିକ୍ କ୍ଲାଉଡ୍ ଏବଂ ସାର୍ବଭୌମ ପ୍ରାଇଭେଟ୍ କ୍ଲାଉଡ୍ ପ୍ରଚଳନ କରୁଛି । ମୁଁ ଭାବୁଛି ଯେ ଲୋକମାନେ ସାର୍ବଭୌମତ୍ୱ ସହିତ ବିଶ୍ୱସ୍ତରୀୟ ସାଇବର ସୁରକ୍ଷା ଏବଂ ସାଇବର ସ୍ଥିରତା ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ।



