www.samajalive.in
Saturday, December 13, 2025
23.1 C
Bhubaneswar

ଅଭିଯୋଗ ଶୁଣିଲାନି ପୁଲିସ; ରାସ୍ତାରେ ସାଲାଇନ୍‍ ଧରି ଚାଲିଲେ ଅସୁସ୍ଥ ମହିଳା

ଗୋପ: କୋଣାର୍କ ଥାନା ଆମ୍ବିଳିଗାଁର ଜଣେ ମହିଳା ପୁଲିସଠାରୁ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିବା ଓ ପରେ ସେ ଅସୁସ୍ଥ ଅବସ୍ଥାରେ ସାଲାଇନ ଧରି ରାଜରାସ୍ତାରେ ଚାଲିବା ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଗୋପ ଥାନା ଅଧିନ ଷୋଳପୁର ଗ୍ରାମର ରଶ୍ମିତା ମଲ୍ଲିକ୍‍ ୨୦୧୬ ମସିହାରେ କୋଣାର୍କ ଥାନା ଅଧିନ ଆମ୍ବିଳିଗାଁର ରାଧାଶ୍ୟାମ ମଲିକଙ୍କ ପୁତ୍ର ରଶ୍ମିରଞ୍ଜନଙ୍କୁ ବିବାହ କରିଥିଲେ। କିଛିଦିନ ସୁରୁଖୁରୁରେ ଚଳିବା ପରେ ସ୍ୱାମୀ ରଶ୍ମିରଞ୍ଜନ, ଶାଶୁ ଶାନ୍ତିଲତା ମଳିକ, ଶ୍ୱଶୁର ରାଧାଶ୍ୟାମ ମଳିକ, ନଣନ୍ଦ ରୀନା ମଳିକ, ନଣନ୍ଦେଇ ବାନା ବେହେରା ପ୍ରମୁଖ ବାରମ୍ବାର ନାନାଦି ନିର୍ୟ୍ୟାତନା ଦେଇଥିବା ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ କୋଣାର୍କ ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ନନେବା ଫଳରେ ରଶ୍ମିତା କୋଣାର୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପରେ କୋର୍ଟ ନିର୍ଦ୍ଦେଶ ମୁତାବକ କୋଣାର୍କ ପୁଲିସ ଏକ ୧୬୪/୧୮ରେ ଏକ ଯୌତୁକ ମାମଲା ରୁୁଜୁ କରିଥିବାବେଳେ ଦୀର୍ଘ ଦିନ ପରେ ବାରମ୍ବାର ନବବଧୂଙ୍କ ସ୍ୱାମୀଙ୍କୁ ପୁଲିସ ଗିରଫ କରିଥିବାବେଳେ ଏ ପର୍ୟ୍ୟନ୍ତ କୋଣାର୍କ ପୁଲିସ ଯୌତୁକ ସାମଗ୍ରୀ ଜବତ କରିପାରିନାହିଁ। ଅନ୍ୟପକ୍ଷରେ ସଂପୃକ୍ତ ନବବଧୂଙ୍କ ସ୍ୱାମୀ କୋର୍ଟରୁ ଜାମିନରେ ଆସିଥିବାବେଳେ କିଛି ଲୋକ ମିଶି ତାଙ୍କ ସ୍ୱାମୀଙ୍କୁ ନୟାହାଟ ଅଞ୍ଚଳରେ ବିବାହ କରିଥିବା ନେଇ ଗୋପ ଥାନାରେ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ପାଇବା ପରେ ଗୋପ ପୁଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ ହେବା ଫଳରେ ମହିଳା ଜଣକ ନିରୁପାୟ ହୋଇ ନିଜର ଜୀବନ ହାରିବା ଉଦ୍ଦେଶ୍ୟରେ କିରାସିନି ପିଇଦେଇଥିଲେ। ନବବଧୂ ଜଣଙ୍କ ଗୁରୁତର ଅବସ୍ଥାରେ ଗୋପ ଡାକ୍ତରଖାନାରେ ଚିକିତ୍ସିତ ହେଇଥିବାବେଳେ ପୁନରାୟ ଥାନାକୁ ଆସି ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ମଧ୍ୟ ପୁଲିସ ଶୁଣିନଥିଲା। ମହିଳା ଜଣଙ୍କ ଅସୁସ୍ଥ ହୋଇଥିବାରୁ ତାଙ୍କୁ ଥାନା ସମ୍ମୁଖରେ ସାଲାଇନ୍‍ ଲଗାଯାଇଥିବାବେଳେ ତାଙ୍କ ମାଆ ସାଲାଇନ୍‍ଟିକୁ ଟେକି ଧରିଥିବା ଦେଖିବାକୁ ମିଳିଥିଲା।
ପରବର୍ତ୍ତୀ ଅବସ୍ଥାରେ ପୁଲିସ କିଛି ନଶୁଣିବା ଫଳରେ ମହିଳା ଜଣକ ସାଲାଇନ୍‍ ଲାଗିଥିବା ଅବସ୍ଥାରେ ରାସ୍ତାରେ ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ ସଂପୃକ୍ତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ଗୋପ ଥାନାଧିକାରୀ ରଞ୍ଜନ କୁମାର ପ୍ରଧାନଙ୍କୁ ପଚାରିବାରେ ସେ କୁହନ୍ତି ମହିଳା ଜଣକ ପୂର୍ବରୁ କୋର୍ଟରେ କରିଥିବା କେଶ୍‍ ବିଚାରଧିନ ଅଛି। ଏହି ଘଟଣାର ତଦନ୍ତ ଚାଲିଛି। ଯଦି ତାଙ୍କ ସ୍ୱାମୀ କୌଣସି ବେନିୟମ କାର୍ୟ୍ୟ କରିଥାନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ। ପରେ ଅସୁସ୍ଥ ନବବଧୂକୁ ଗୋପ ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପୁରୀ ସଦର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories