ଜନଜାତିଙ୍କ ଜୀବିକାନିର୍ବାହ ଉପରେ ଦୁଇଦିିନିଆ ପରାମର୍ଶ ଶିବିର କୋଭିଡ୍ ମହାମାରୀଜନିତ ଆହ୍ୱାନର ମୁକାବିଲା ଉପରେ ବିମର୍ଶ
ଭୁବନେଶ୍ୱର: କୋଭିଡ୍ ମହାମାରୀଜନିତ ଅର୍ଥନୈତିକ ସଂକଟ ଓ ଜୀବିକାହାନିକୁ ସାମ୍ନା କରିବା ପାଇଁ ଜନଜାତି ବିକାଶ ଉପରେ ଗୁରୁତ୍ୱ ଦେଇ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଏକ ଦୁଇଦିନିଆ କର୍ମଶାଳା ଆଜି ଏସ୍ସିଏସ୍ଟିଆର୍ଟିଆଇ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି।
ଏହି ପରାମର୍ଶ ଶିବିରରେ ବିଭିନ୍ନ ରାଜ୍ୟର ଜନଜାତିଙ୍କ ସ୍ୱାର୍ଥରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବାବଦରେ ବିଶଦ ଆଲୋଚନା ସହିତ ଜନଜାତିଙ୍କ ଜୀବିକା ନିର୍ବାହ ନିମନ୍ତେ ପ୍ରବର୍ତ୍ତିତ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଏସ୍ସିଏସ୍ଟିଆର୍ଟିଆଇ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜନଜାତିଙ୍କ ସ୍ୱାର୍ଥରକ୍ଷା ପାଇଁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ସଂପର୍କରେ ପରାମର୍ଶ ସହିତ ମତବିନିମୟ ହୋଇଥିଲା ।
ଏହି ଜାତୀୟ ପରାମର୍ଶ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ମନ୍ତ୍ରଣାଳୟ ଅଧୀନସ୍ଥ ଟିଆର୍ଆଇ ଡିଭିଜନ୍ର ନିର୍ଦ୍ଦେଶିକା ସୁଶ୍ରୀ ସଂଗୀତା ଗୁପ୍ତା ଯୋଗଦେଇ ଜନଜାତି ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗୋଷ୍ଠୀଙ୍କର ସମସ୍ୟାଗୁଡ଼ିକର ମୁକାବିଲା ପାଇଁ ବିବିଧ ଉତ୍ତମ ପଦକ୍ଷେପଗୁଡ଼ିକର ଅଧ୍ୟୟନ ଓ ନଥିକରଣ ଉପରେ ଗୁରୁତ୍ୱ ଦେଇଥିଲେ। ଏସ୍ସିଏସ୍ଟିଆର୍ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ଏବଂ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର ଅଖିଳ ବିହାରୀ ଓତା ଦେଶ ତଥା ଦେଶ ବାହାରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ଅଂଶଗ୍ରହଣକାରୀ ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହିତ ପରାମର୍ଶ ଶିବିରର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଆଇବିଆର୍ଏଡିର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ଏସ୍.ବି. ରାୟ ଏହି ଅବସରରେ ମୁଖପତ୍ର ଉପସ୍ଥାପିତ କରିଥିଲେ। ବିବିଧ ଉପକ୍ରମ, ଜନଜାତି ବିକାଶ ଏବଂ କୋଭିଡ୍-୧୯ ଓ ତତ୍ଜନିତ ସମସ୍ୟା, ସୁଯୋଗ ଏବଂ ଅଗ୍ରସରତା ଉପରେ ସମ୍ୟକ ମତ ଉପସ୍ଥାପନ କରିଥିଲେ।
ଏହି ଦୁଇଦିନିଆ ପରାମର୍ଶ ଶିବିରରେ ବୈଷୟିକ ଅଧିବେଶନର ନିର୍ଘଣ୍ଟ ରହିଛି। ଦୁଇଦିନିଆ କର୍ମଶାଳାରେ ଜନଜାତି ଗବେଷଣା ସଂସ୍ଥାନ, ଉତ୍କର୍ଷ କେନ୍ଦ୍ରର ପ୍ରତିନିଧି, ବିଶେଷଜ୍ଞ, ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ, ଜାତିସଂଘର ପ୍ରତିନିଧି, ବୁଦ୍ଧିଜୀବୀ, ଗବେଷକ, ଭାରତର ଜନଜାତି ସଂସ୍କୃତି ଓ ବିକାଶ ଉପରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀ ଯୋଗଦେଇଛନ୍ତି।
Comments are closed.