www.samajalive.in
Monday, December 15, 2025
14.1 C
Bhubaneswar

ମୋବାଇଲ ଖୋଲିବ ଗୁମର

ଭୁବନେଶ୍ବର/ବାଳକାଟି/ କୋଣାର୍କ : ଶିଶୁପାଳଗଡ଼ ଲକ୍ଷ୍ମୀବିହାରସ୍ଥିତ ବାସଭବନରେ ପୁରୀ ଜିଲା ଗୋପ ବ୍ଲକ ୧୧ ନମ୍ବର ଜୋନ ଜିଲାପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଓରଫ ଟୁକୁନା ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି। ୧୫ ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତିଯାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ବେକରେ ଗାମୁଛା ବାନ୍ଧି ନିଜ କାର ଉପରେ ଛିଡା ହୋଇ ଘର ସମ୍ମୁଖ ପୋର୍ଟିକୋ ଛାତ ହୁକରେ ଝୁଲି ପଡ଼ିଥିଲେ। ଖବରପାଇ ଧଉଳି ଥାନା ପୁଲିସ ମୃତଦେହକୁ ଜବତ କରିବା ପରେ ରାଜଧାନୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ତାଙ୍କ ବାସଭବନ ଓ ଡାକ୍ତରଖାନାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ଟୁକୁନାଙ୍କ ବନ୍ଧୁ, ପରିବାର ବର୍ଗ ଓ କର୍ମୀଙ୍କ ଭିଡ ଜମିଥିଲା। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ହେଲେ ଆତ୍ମହତ୍ୟା ପୂର୍ବରୁ ସେ ସାମାଜିକ ଗଣମାଧ୍ୟମରେ ଭିଡିଓ ଓ କିଛି ଲେଖା ପୋଷ୍ଟ କରିବା ଏହି ଘଟଣାକୁ ରହସ୍ୟାବୃତ୍ତ କରିଛି। ମୃତ ଟୁକୁନାଙ୍କର ଗାଏବ ଥିବା ଦୁଇଟି ମୋବାଇଲକୁ ସନ୍ଧାନୀ କୁକୁର ଦ୍ବାରା ପୁଲିସ ଉଦ୍ଧାର କରିଛି। ତାଙ୍କ ଆତ୍ମହତ୍ୟା କାରଣ ଉପରୁ ଜବତ ମୋବାଇଲ ପରଦା ଉଠାଇବ ବୋଲି ପୁଲିସ ଆଶା ବାନ୍ଧିଛି।
ଗୁରୁବାର ରାତି ୧୨ଟା ୧୩ମିନିଟରେ ନିଜର କାର ନେଇ ଘରେ ପହଞ୍ଚିଥିଲେ ଧର୍ମେନ୍ଦ୍ର। ପରେ ଘର ବାହାରେ ଜଳୁଥିବା ବଲ୍‌୍‌ବକୁ ଖୋଲିଥିଲେ। ସମୟ ରାତି ୨ଟା ୪୮ ସମୟରେ କାର ରଖି ସିସିଟିଭିକୁ କିଛି ସମୟ ସେ ଚାହିଁଥିଲେ। ସେ ଗାମୁଛା ପିନ୍ଧିଥିବାବେଳେ ଆଉ ଏକ ଗାମୁଛା କାନ୍ଧରେ ପଡିଥିଲା। ପରେ ଗାଡି ଉପରକୁ ଉଠି କାନ୍ଧରେ ଥିବା ଗାମୁଛାରେ ପୋର୍ଟିକୋ ଛାତରେ ଲାଗିଥିବା ହୁକରେ ଝୁଲି ପଡ଼ିଥିଲେ। ଏସବୁ ଚିତ୍ର ଘରେ ଥିବା ସିସିଟିଭିରେ ରେକର୍ଡ ହୋଇଛି। ଉକ୍ତ ସିସିଟିଭି ଫୁଟେଜକୁ ପୁଲିସ ଜବତ କରିଛି। ‘ମୋ ଫୋନ ଦୁଇଟାରେ ସବୁ ଭିଡ଼ିଓ ଅଛି ତାକୁ ଲୋକଲୋଚନକୁ ଆଣିବେ’ ବୋଲି ମୃତ୍ୟୁର ୫ଘଣ୍ଟା ପୂର୍ବରୁ ନିଜର ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର। ଏହାର କିଛି ସମୟ ପରେ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା, ‘ରାଜନୀତି ପାଇଁ ମୋ ପରିବାରରେ ଅଶାନ୍ତି, କଳହ ଏବେ ଉଗ୍ରରୂପ ଧରିଛି। ଏହି ଅଶାନ୍ତିର କାରଣ ବହୁ ଶୀଘ୍ର ଉପସ୍ଥାପନ କରିବି, ମୋ ନାମରେ ମିଛ ପ୍ରଚାର କରାଯାଉଛି, ପରିବାର ଭିତରେ ରାଜନୀତି ଝଡ଼ ସୃଷ୍ଟି ହୋଇଛି, ଗୋଟିଏ ଖବରକାଗଜ ମୋ ନାମରେ ମିଛ ଖବର ପ୍ରସାରଣ କରିଥିଲା’। ଭାଇରାଲ ହୋଇଥିବା ଏସବୁ ତଥ୍ୟ ଆତ୍ମହତ୍ୟା ପଛର କାରଣ ହୋଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଆତ୍ମହତ୍ୟା ପରେ ତାଙ୍କ ମୋବାଇଲ ଗାଏବ ହୋଇଯିବା ଘଟଣାକୁ ଭିନ୍ନ ମୋଡ ଦେଇଛି। ପ୍ରଥମେ ପୁଲିସ ପରେ ସନ୍ଧାନୀ କୁକୁର ଜରିଆରେ ମୋବାଇଲ ମିଳିଛି। ଅତିରିକ୍ତ ଡ଼ିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ମୋବାଇଲ ଘର ପାଖ ବୁଦା ମୂଳରୁ ଜବତ ହୋଇଛି। ମୋବାଇଲ ସମ୍ପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। ଉକ୍ତ ମୋବାଇଲ ଫୋନକୁ ପରୀକ୍ଷାଗାରକୁ ପଠାଇବା ପରେ ସେଥିରେ ତଥ୍ୟ ଅଛି କି ନାହିଁ ତାହା ଜଣାପଡିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଧର୍ମେନ୍ଦ୍ର କଂଗ୍ରେସ ଛାଡ଼ି ବିଜେଡିରୁ ଜିଲା ପରିଷଦ ଟିକେଟ ପାଇ ଗୋପ ବ୍ଳକ ୧୧ ନମ୍ବର ଜୋନରେ ନିର୍ବାଚନ ଲଢିଥିଲେ। ନିର୍ବାଚନରେ ପ୍ରତିପକ୍ଷଙ୍କଠାରୁ ୫୧୬୪ ଖଣ୍ଡ ଭୋଟ ପାଇ ସେ ବିଜୟୀ ହୋଇଥିଲେ। ଭୁବନେଶ୍ୱର ତମଣ୍ଡୋ ଥାନା ଅଞ୍ଚଳରେ ବିବାହ ହୋଇଥିବା ବେଳେ ଗତ ୧୦ ବର୍ଷ ହେବ ଶିଶୁପାଳଗଡ ଅଞ୍ଚଳରେ ତିନି ମହଲା ଘର କରିଥିଲେ। ବାପା ସ୍ବର୍ଗତଃ ହରିବନ୍ଧୁ ସାହୁଙ୍କ ନାମାନୁସାରେ ସେହି ଘରକୁ ‘ହରି ଭବନ’ ନାଁ ରଖିଥିଲେ। ସେଠାରେ ସେ ପତ୍ନୀ କସ୍ତୁରୀବାଳା ସ୍ୱାଇଁ ଏବଂ ଏକମାତ୍ର ପୁଅ ତରୁଣ କୁମାରଙ୍କ ସହ ରହୁଥିଲେ। କୋଠାରେ ତଳ ମହଲାରେ ଧର୍ମେନ୍ଦ୍ରଙ୍କ ଅଫିସ କାମ ଚାଲିଥିବା ବେଳେ ଦ୍ବିତୀୟ ମହଲାରେ ସେ ପରିବାର ସହ ରହୁଥିଲେ। ତୃତୀୟ ମହଲାକୁ ଭଡାସୂତ୍ରରେ ଦେଇଥିଲେ। କିଛି ମାସ ତଳେ ଭଡା ଘରେ ଲୋକ ରହୁନଥିଲେ। ଗତକାଲି ସନ୍ଧ୍ୟାରେ କୌଣସି ଘଟଣାକୁ ନେଇ ପତ୍ନୀ କସ୍ତୁରୀବାଳାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିବା କୁହାଯାଉଛି। ଏପରିକି ତାଙ୍କୁ ଜୀବନରେ ମାରିଦେବା ପାଇଁ ଧର୍ମେନ୍ଦ୍ର କହିଥିଲେ। ପରେ ରାଗି ଘରୁ ପଳାଇଥିଲେ। କସ୍ତୁରୀବାଳାଙ୍କ ଠାରୁ ଫୋନ ପାଇ ତାଙ୍କ ବାପା ଦୁଃଶାସନ ସ୍ବାଇଁ ନାତି ତରୁଣ ଓ ଝିଅଙ୍କୁ ନେଇ ତମାଣ୍ଡୋ ସ୍ଥିତ ଘରକୁ ନେଇଯାଇଥିଲେ। ପରେ ଧର୍ମେନ୍ଦ୍ର ରାତି ପ୍ରାୟ ୧୨ ଟାରେ ନିଜ କାରରେ ଘରକୁ ଫେରିଥିଲେ।
ଗଣଶିକ୍ଷାମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ
ଭୁବନେଶ୍ବର : ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ସିଧାସଳଖ ନିଶାଣ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ, ତାଙ୍କୁ ହତ୍ୟା କରା ଯାଇଥାଇପାରେ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଥିବା ସେ କହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ମନ୍ତ୍ରୀ ପରିଷଦରୁ ତାଙ୍କୁ ବାଦ୍ ଦେବାକୁ ଶ୍ରୀମତୀ ପରିଡ଼ା ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ଉପରେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ମନ୍ତ୍ରୀ ଶ୍ରୀ ଦାଶ। ଏହି ଘଟଣା ସଂପର୍କରେ କିଛି ଜାଣି ନ ଥିବା କହି ସେ ଗଣମାଧ୍ୟମକୁ ଏଡାଇଯାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories