www.samajalive.in
Wednesday, December 10, 2025
14.1 C
Bhubaneswar

ସଫଳ ମା’ଙ୍କ ଆତ୍ମସନ୍ତୋଷ

ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ଅଭିଭାବକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଜ ପିଲାଙ୍କୁ କୋଚିଂ ଦେଇ ବିଭିନ୍ନ ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରାଉଛନ୍ତି। ତେବେ ଏପରି ମଧ୍ୟ ବାପା-ମା’ ଅଛନ୍ତି, ଯେଉଁମାନେ ପିଲାଙ୍କୁ ଘରେ ପାଠ ପଢ଼ାଇ କୃତକାର୍ଯ୍ୟ କରାଇପାରୁଛନ୍ତି। ଏହିଭଳି ଏକ ଦମ୍ପତି ହେଲେ ପାଟଣାନିବାସୀ ରବିଶଙ୍କର ଓ ବୈଜୟିନ୍ତୀ। ସାଧାରଣ ପରିବାରର ଝିଅ ଥିଲେ ବୈଜୟିନ୍ତୀ, ସେସମୟରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଅଧିକ ଯଦିଓ ପଢ଼ିବା ନିମନ୍ତେ ଆଗ୍ରହ ଥିଲା, କିନ୍ତୁ ପରିବାର ଲୋକ ଆଦୌ ରାଜି ହୋଇନଥିଲେ। ବରଂ ଯଥା ଶୀଘ୍ର ଝିଅର ବିବାହ ପାଖ ଗାଁର ହୋମିଓପାଥି ଡାକ୍ତର ରବିଶଙ୍କରଙ୍କ ସହ ସମ୍ପନ୍ନ କଲେ। ଯେନତେନ ପ୍ରକାର ସଂସାର ଚାଲିଲା। ଏସବୁ ଭିତରେ ସମୟ କ୍ରମେ ଚାରି କନ୍ୟା ସନ୍ତାନର ପିତାମାତା ହେଲେ ରବି ଓ ବୈଜୟିନ୍ତୀ। ଶାଶୂ ଘରର ପ୍ରତ୍ୟେକ ସଦସ୍ୟ ବୈଜୟିନ୍ତୀଙ୍କୁ ଖୁବ୍ ଘୃଣା କଲେ, କାରଣ କନ୍ୟା ଜନ୍ମ ହେବାର ଦୋଷ ତାଙ୍କର ଥିଲା। ସ୍ବାମୀ ରବି କିନ୍ତୁ ପତ୍ନୀଙ୍କୁ ସବୁବେଳେ ସାହସ ଦେଉଥିଲେ। ଏଇ ୪ଝିଅଙ୍କୁ ଭଲଭାବେ ପାଠ ପଢ଼ାଇ ମଣିଷ କରିବାକୁ ଦୁହେଁ ନିଷ୍ପତ୍ତି ନେଲେ। ରବିଙ୍କ ରୋଜଗାର ଭଲନଥିଲା, ଏହା ସତ୍ତ୍ବେ ପିଲାଙ୍କ ପାଠପଢ଼ାରେ ଯେଭଳି ଅଭାବ ନହୁଏ ସେପ୍ରତି ସଜାଗ ହେଲେ। ଈଶ୍ବରଙ୍କ ଆଶୀର୍ବାଦରୁ ପିଲା ୪ଜଣ ମେଧାବୀ ହେଲେ। ଶାଶୂ ପ୍ରଥମେପ୍ରଥମେ ଖୁବ୍ ରାଗୁଥିଲେ ଝିଅଙ୍କୁ ପାଠପଢ଼ାରେ ଏତେ ପ୍ରୋତ୍ସାହନ ଦେଖି, କିନ୍ତୁ ରାଜ୍ୟସ୍ତରରେ ସେମାନଙ୍କ କୃତିତ୍ବ ଦେଖି ସେ ମଧ୍ୟ ପରିବର୍ତ୍ତନ ହେଲେ। ବୈଜୟିନ୍ତୀ କହିଛନ୍ତି, ତାଙ୍କ ଝିଅମାନେ ଭୋରରୁ ଉଠି ପଢ଼ନ୍ତି। ନିଦ ଭାଙ୍ଗିବା ପାଇଁ ସେମାନେ କଫି ପିଇବାକୁ ବରାଦ୍ କରନ୍ତି। ଦିନେ ତାଙ୍କୁ ଗାଢ଼ ନିଦ ହୋଇଯାଇଥିଲା, ସେଇଦିନ ଶାଶୂ ନିଜେ କଫି କରି ନାତୁଣୀମାନଙ୍କୁ ପିଆଇଥିଲେ। ପିଲାମାନେ ସବୁ ପରୀକ୍ଷାରେ ଟପ୍ପର ହେବା ସହ ୨୦୦୯ରେ ବଡ଼ ଝିଅ ରବି ରଞ୍ଜନା ପୁଲିସ୍ ସେବାରେ ଭର୍ତ୍ତି ହୋଇଥିଲେ। ବଡ଼ ମଝିଆଁ ଝିଅ ତହିଁ ଆର ବର୍ଷ ରବି କିରଣ ଗୁଜରାଟ୍‌ର ସିଆଇଏସ୍‌ଏଫ୍‌ରେ ଇନ୍‌ସପେକ୍ଟର, ସାନ ମଝିଆଁ ଝିଅ ରବି ରୋଶନୀ ଆରପିଏଫ୍‌ରେ ସବ୍-ଇନସେପକ୍ଟର ଭାବେ କାର୍ଯ୍ୟରତ। ଅନ୍ୟପାଖେ ସାନ ଝିଅ ରବି ଈଶା ଇସ୍ରୋରେ ଗବେଷିକା ଭାବେ କାର୍ଯ୍ୟ କରୁଛି। ପ୍ରାରମ୍ଭିକ ଅବସ୍ଥାରେ ୪ ଝିଅଙ୍କୁ ପାଠପଢ଼ା ପାଇଁ ଏତେ ପ୍ରୋତ୍ସାହନ କରୁଥିବାରୁ ସାହିପଡ଼ିଶା, ବନ୍ଧୁବାନ୍ଧବ ସମସ୍ତେ ଟାହିଟାପରା କରୁଥିଲେ, ତୋ ଝିଅମାନେ କୋଉ ଡାକ୍ତର-ଇଂଜିନିୟର ହେବେ ଦେଖିବା? ବୈଜୟିନ୍ତୀଙ୍କ ବୟସ୍କା ଶାଶୂ ମଧ୍ୟ କହିଛନ୍ତି, ମୋ ନାତୁଣୀମାନେ କୌଣସି ଗୁଣରେ କମ୍‌ ନୁହନ୍ତି। ବୋହୂର ଉଦ୍ୟମକୁ ସେ ମଧ୍ୟ ପ୍ରଶଂସା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories