ବିଓଆଇ, କେନ୍ଦୁଝର ପକ୍ଷରୁ ୧୧୭ତମ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କର ୧୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବ୍ୟାଙ୍କ ପକ୍ଷରୁ ଷ୍ଟାର୍ ବଣ୍ଡିଙ୍ଗ୍ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ ପାଠାଗାରକୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା ବେଳେ ଆଦୃତା ଚିଲ୍ଡ୍ରେନ ହୋମକୁ ଗ୍ରୋସରୀ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବିଓଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକଲବ୍ୟ ମଡେଲ ସ୍କୁଲଠାରେ ଚାରା ପ୍ରତିରୋପଣ କରାଯାଇଥିଲା ।
ଭାରତ ସରକାରଙ୍କ “ବେଟି ବଚାଓ, ବେଟି ପଢାଓ” ଅନ୍ତର୍ଗତ ବ୍ୟାଙ୍କ ଅଫ୍ ଇଣ୍ଡିଆର ‘ଷ୍ଟାର ଏଞ୍ଜେଲ୍’ ଯୋଜନାର ଶୁଭାରମ୍ଭ ସୁଆକାଟି ଶାଖା ଓ ଚିଲିକା ଶାଖାରେ କରାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କର କେନ୍ଦୁଝର ଅଞ୍ଚଳ ଓ ୩୬ ଗ୍ରାମୀଣ ଶାଖା ମାଧ୍ୟମରେ ୧୮୦ଜଣ ଛାତ୍ରୀଙ୍କୁ ୧୨୦୦ଟଙ୍କାର ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ଉପରୋକ୍ତ ଶିବିରରେ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଶାଖାର କର୍ମଚାରୀମାନଙ୍କ ଦ୍ୱାରା ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
ଶେଷରେ ସଂସ୍କୃତି ଭବନଠାରେ ବ୍ୟାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ତଥା ଆଞ୍ଚଳିକ ପ୍ରବନ୍ଧକ ଉମେଶ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର, ଉପ-ଆଞ୍ଚଳିକ ପ୍ରବନ୍ଧକ ମହେନ୍ଦ୍ର ନାଥ ସୋରେନ, ସହାୟକ ମହପ୍ରବନ୍ଧକ ଲଳିତ କୁମାର ମହନ୍ତ ଏବଂ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ରବି ନାରାୟଣ ମହାଳିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
Comments are closed.