ନୁଆଁଖାଇ ଭେଟଘାଟ- ପଶ୍ଚିମ ଓଡିଶାର ସର୍ବ ପ୍ରଥମ ଚିତ୍ରୋତ୍ପଳା ମୁକ୍ତ ରଙ୍ଗମଞ୍ଚ ଦୁଲକିଲା
ବାର୍ଷିକ ମାଗାଜିନ ସଞ୍ଚୟନର ଡିଜିଟାଲ ସଙ୍କଳନ ଲୋକାର୍ପଣ
ସମ୍ବଲପୁର,– ପଶ୍ଚିମ ଓଡିଶାର ସର୍ବପ୍ରଥମ ମୁକ୍ତ ମଞ୍ଚ ‘ଚିତ୍ରୋତ୍ପଳା ରଙ୍ଗମଞ୍ଚ’ ଠାରେ କରୋନାର ୨ ବର୍ଷ ଅନ୍ତରାଳ ପରେ ନୁଆଁଖାଇ ଭେଟଘାଟ ଧୁମଧାମରେ ପାଳିତ ହୋଇଯାଇଛି । ସମ୍ବଲପୁର ନନ୍ଦପଡା ଠାରେ ୧୯୧୮ ମସିହାରେ ସ୍ଥାପିତ ଏହି ମୁକ୍ତ ରଙ୍ଗମଞ୍ଚରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦର ମିଳିତ ଆନୁକୁଲ୍ୟରେ ଗୁରୁବାର ଆୟୋଜିତ ହୋଇଯାଇଛି । ସଂଘର ସଭାପତି ଜିତେନ୍ଦ୍ର ନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ବିଧାୟକ ତଥା ବିଧାନସଭାରେ ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ସମ୍ମାନୀତ ଅତିଥି ରୂପେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର ଓ ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷକ ପ୍ର. ଶଶାଙ୍କ ଶେଖର ନନ୍ଦ ଯୋଗ ଦେଇଥିଲେ । ସଂଘର ସମ୍ପାଦକ ପ୍ରଭୁଦତ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଭେଟଘାଟ କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର ପୁରସ୍କାର ବିତରଣି କାର୍ଯ୍ୟକ୍ରମକୁ ବାଲଗୋପାଲ ନନ୍ଦ ପରିଚାଳନା କରିଥିଲେ ।
ବକ୍ତୃତା ପ୍ରତିଯୋଗୀତାରେ ଅର୍ଣ୍ଣବ ସଞ୍ଜିବ ମିଶ୍ର ଓ ରିସିତା ପାଣିଗ୍ରାହୀ ପ୍ରଥମ, ସ୍ନେହାରାଣୀ ମିଶ୍ର ଦ୍ୱିତୀୟ, ସୁନୟାନା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯାଇଥିଲା । ଚିତ୍ରାଙ୍କନର ସବ ଜୁନିୟର ବର୍ଗରେ ଅନୁପ୍ରଭା ବେହେରା ପ୍ରଥମ, ସ୍ମୃତି ପରୁଆ ଦ୍ୱିତୀୟ, ସାନଭୀ ପଣ୍ଡା ତୃତୀୟ, ଜୁନିୟର ବର୍ଗରେ ସୁନୟନା ସାହୁ ପ୍ରଥମ, ଅବନ୍ତିକା ନାୟକ ଦ୍ୱିତୀୟ ଓ ଦିବ୍ୟାଂଶି ଗୁରୁ ତୃତୀୟ ଏବଂ ବରିଷ୍ଠ ବର୍ଗରେ ସ୍ୱାଗତିକା ବିଶି ପ୍ରଥମ, ଆକାଂକ୍ଷା ଭୁମିଜ ଦ୍ୱିତୀୟ ଓ ଅଂଶୁମାନ ତ୍ରିପାଠୀ ତୃତୀୟ ପୁରସ୍କାର ଲାଭ କରିଛନ୍ତି । ସେହିଭଳି ପ୍ରବନ୍ଧରେ ଦିବ୍ୟାଂଶି ଗୁରୁ ପ୍ରଥମ, ସୁନୟନା ସାହୁ ଦ୍ୱିତୀୟ ଏବଂ ଅର୍ଣ୍ଣବ ସଞ୍ଜୀବ ମିଶ୍ର ତୃତୀୟ ପୁରସ୍କାର ହାସଲ କରିଛନ୍ତି । ଚେସର ବରିଷ୍ଠ ବର୍ଗରେ ସୁବୀର ପାଢ଼ୀ ପ୍ରଥମ, କିଶୋରୀଲାଲ ଭୋଇ ଦ୍ୱିତୀୟ ଓ ନଗେନ୍ଦ୍ର କୁମାର ପୁରୋହିତ ତୃତୀୟ ଏବଂ କନିଷ୍ଠ ବର୍ଗରେ ସଞ୍ôଚତ ଆର୍ଚାଜୀ ପ୍ରଥମ, ସାଇ ଅମ୍ରିତ ପରିଜା ଦ୍ୱିତୀୟ ଏବଂ ପ୍ରଜ୍ଞାଶ୍ରୀ ଦେହୁରୀ ତୃତୀୟ ପୁରସ୍କାର ଲାଭ କରିଛନ୍ତି ।
ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧା ଶୀତଳଷଷ୍ଠୀ ଯାତ୍ରାରେ ସ୍ୱେଚ୍ଛାକୃତ ଭାବରେ ସେବା ପ୍ରଦାନ କରିଥିବାରୁ ଲାଲଗୋପାଳ ନନ୍ଦ, ଶୁଭମ ଶଙ୍କର ନାୟକ, ଧନଞ୍ଜୟ ପାଣିଗ୍ରାହୀ, ରାଜୀବ କୁମାର ଗର୍ଗ ଏବଂ ଆଶିଷ ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥି ସହ ୧୯୭୫ ମସିହାରେ ଚିତ୍ରୋତ୍ପଳା ଯୁବକ ସଂଘ ଓ ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ବାର୍ଷକ ମାଗାଜିନ ‘ସଞ୍ଚୟନ’ କୁ ପୁନଃ ପ୍ରକାଶିତ କରାଯାଇ ତାକୁ ଡିଜିଟାଲ କରାଯାଇଛି । ‘ଇ – ସଞ୍ଚୟନ’ ମାଗାଜିନକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଲୋକାର୍ପଣ କରିଥିଲେ ।
ଏହି ଅବସରରେ ଆୟୋଜିତ ରାମାଶିଷ ତ୍ରିପାଠୀ ଙ୍କ ସଂଯୋଜନାରେ ଭବ୍ୟ ସାଂସ୍କତିକ କାର୍ଯ୍ୟକ୍ରମରେ ରବିନ୍ଦ୍ର ପଣ୍ଡା, ମାନସ କୁମାର ପ୍ରଧାନ, ସ୍ୱର୍ଣ୍ଣମୟୀ ତ୍ରିପାଠୀ, ଅନମୋଲ ମିଶ୍ର, ରାଜକୁମାର ଜାଲ, ସୁରଜ ବେହେରା, ବିଭୁତି ଦାଶ, ତ୍ରିଲୋଚନ ତ୍ରିପାଠୀ, ବିଜୟ ମିଶ୍ର, ଶ୍ରେୟାଂଶ ପାଢ଼ୀ, ପ୍ରିତି ନନ୍ଦ, ଅନୀଲ ଶଙ୍ଖାରୀ ପ୍ରମୁଖ ବିଭିନ୍ନ ଲୋକପ୍ରିୟ ଗୀତ ଗୁଡିକ ପରିବେଷଣ କରିଥିଲେ । ଦୟାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସମେତ ଅନ୍ୟ କଳାକାର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସନ୍ତୋଷ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ବବା’ ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ସନ୍ତୋଷ ମିଶ୍ର, ନନ୍ଦଲାଲ ବେହେରା, ଶୂଭେନ୍ଦ୍ର ନନ୍ଦ, ଶୁଭମ ସାସ୍ୱତ ମିଶ୍ର, ଗୌରବ, ସୁଶାନ୍ତ ବାବୁ, ଏମ ପଣ୍ଡା, ସଂକଳ୍ପ ଗୁରୁ ଓ ଅନୀଲ ଶଙ୍ଖାରୀ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିବାରେ ଚିତ୍ରୋତ୍ପଳା ଯୁବକ ସଂଘର ଶିବ ମିଶ୍ର, ସମୀର ରଞ୍ଜନ ବାବୁ, ସନତ ନନ୍ଦ, ଅନୀଲ ପଣ୍ଡା, ଫଣିଭୂଷଣ ମିଶ୍ର, ଚକ୍ର ନାୟକ, ସୁଶ୍ରିତ ମିଶ୍ର ଙ୍କ ସମେତ ସମସ୍ତ ସଦସ୍ୟ ଓ ମୁରବୀ ଶ୍ରେଣୀୟ ବ୍ୟକ୍ତି ମାନେ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଅମିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.