ନବୀନଙ୍କୁ ଜାତୀୟ ସ୍ବୀକୃତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳି‌ଷ୍ଠ ନେତୃତ୍ବକୁ ପୁଣି ଥରେ ଜାତୀୟସ୍ତରରେ ସ୍ବୀକୃତି ମିଳିଛି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ତାଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ନବୀନଙ୍କ ପ୍ରଶଂସାରେ ସୋସାଇଟି ପକ୍ଷରୁ କୁହାଯାଇଛି ଯେ, ଦୁଇ ଦଶନ୍ଧି ତଳେ ତାଙ୍କ ନେତୃତ୍ବରେ ଓଡ଼ିଶାରେ ପରିବର୍ତ୍ତନର ଯାତ୍ରା ଆରମ୍ଭ ହୋଇଥିଲା। ଇତିମଧ୍ୟରେ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରିପାରିଛି। ତାଙ୍କ ସରଳ ଜୀବନଶୈଳୀ ରାଜ୍ୟବାସୀଙ୍କ ମନ ଜିଣି ପାରିଛି ବୋଲି ଏଥିରେ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଉଥିବାବେଳେ ସେପ୍ଟେମ୍ବର ୪ରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଅଡିଟୋରିୟମଠାରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କଠାରୁ ସେ ପୁରସ୍କାର ଗ୍ରହଣ କରିବେ। ଜଷ୍ଟିସ ଏ.କେ. ପଟ୍ଟନାୟକ ଏହି ଅବସରରେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ୧୯୮୭ରେ ପ୍ରତିଷ୍ଠିତ କ୍ୟାପିଟାଲ ଫାଉଣ୍ଡେସନ
ସୋସାଇଟି ପୁରସ୍କାର ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ, ବରିଷ୍ଠ ଆଡଭୋକେଟ ରାମ ଜେଠମଲାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ, ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କୁ ମିଳିଛି।
ଏହି ଅବସରରେ ବିଚାରପତି ଶ୍ରୀ ରମଣା ‘ଭାରତୀୟ ବିଚାର ବ୍ୟବସ୍ଥାରେ ମୋ ଅଭିଜ୍ଞତା’ ଶୀର୍ଷକ ମର୍ଯ୍ୟାଦାପୂର୍ଣ୍ଣ ବାର୍ଷିକ ବାଖ୍ୟାନ ପ୍ରଦାନ କରିବେ। ସୂଚନାଯୋଗ୍ୟ କି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟିରେ ସାଂସଦ, ବିଚାରପତି, କୂଟନୀତିଜ୍ଞ, ବରିଷ୍ଠ ପ୍ରଶାସକ ଓ ବୁଦ୍ଧିଜୀବୀ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ ସକାଶେ ଏକତ୍ର ହୋଇଥାନ୍ତି। ତେଣୁ ଜାତୀୟ ସ୍ତରରେ ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ଓ ପ୍ରଭାବ ରହିଛି।

kalyan agarbati

Comments are closed.