www.samajalive.in
Saturday, December 6, 2025
17.1 C
Bhubaneswar

ଜଳଖିଆ ଦୋକାନୀଙ୍କ ପରେ ଅଟୋଚାଳକଙ୍କ ଏକାଉଣ୍ଟରେ ୩୦୦ କୋଟି

କରାଚୀ : ସପ୍ତାହକ ପୂର୍ବେ କରାଚୀର ଓରାଙ୍ଗୀ ଅଞ୍ଚଳର ଜଣେ ଜଳଖିଆ ଦୋକାନୀଙ୍କ ବ୍ୟାଙ୍କ ଜମାଖାତାରେ ୨୦୦କୋଟି ଟଙ୍କା ଜମା ହେବା ନେଇ ହଇଚଇ ସୃଷ୍ଟି ହୋଇଥିଲା; କିନ୍ତୁ ଏବେ ଏହାକୁ ବଳି ଯାଇଛନ୍ତି ଜଣେ ଅଟୋରିକ୍ସା ଚାଳକ। ମହମ୍ମଦ ରଶିଦ ନାମକ ଏହି ଅଟୋରିକ୍ସା ଚାଳକଙ୍କ ବ୍ୟାଙ୍କ ଏକାଉଣ୍ଟରେ ୩୦୦କୋଟି ଟଙ୍କା ଜମା ହୋଇଥିବା ଜଣପଡ଼ିବା ପରେ ଜଳଖିଆ ଦୋକାନିଙ୍କ ପରି ରଶିଦ ମଧ୍ୟ ବିସ୍ମୟ ପ୍ରକାଶ କରିଛନ୍ତି। ନିଜ ଜମା ଖାତାରେ ଏତେ ଟଙ୍କା ଥିବା ପୂର୍ବରୁ ଜାଣିଥିଲେ ହୁଏତ ତାଙ୍କ ଭାଗ୍ୟ ବଦଳି ଯାଇଥାଆନ୍ତା; କିନ୍ତୁ ପାକିସ୍ତାନର ଫେଡେରାଲ ଇନ୍‍ଭେଣ୍ଟିଗେଟିଂ ଏଜେନ୍ସି(ଏଫ୍‍ଆଇଏ) ଏ ସମ୍ପର୍କରେ ସୂଚନା ପାଇ ତଦନ୍ତ ଆରମ୍ଭ କରିବା ପରେ ହିଁ ରଶିଦ ନିଜର ସମ୍ପତ୍ତି ବିଷୟ ଜାଣିଥିଲେ। ଏତେ ଟଙ୍କା କୁଆଡ଼ୁ ଆସିଲା ବୋଲି ଏଫ୍‍ଆଇଏ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବା ଶକ୍ତି ମଧ୍ୟ ତାଙ୍କ ନିକଟରେ ନଥିଲା କିମ୍ବା ଏବେ ମଧ୍ୟ ନାହିଁ।
ରଶିଦଙ୍କ କହିବାନୁଯାୟୀ, ସେ ଏଫ୍‍ଆଇଏ ଅଧିକାରୀଙ୍କଠାରୁ ନିଜର ବ୍ୟାଙ୍କ ଏକାଉଣ୍ଟ ଯାଞ୍ଚ ପାଇଁ ନିର୍ଦେଶ ପାଇବା ପରେ ଚମକି ପଡ଼ିଥିଲେ। ଏଫ୍‍ଆଇଏ ଅଧିକାରୀମାନେ ତାଙ୍କୁ ଅଫିସକୁ ଡକାଇ ଜମା ଖାତା ଷ୍ଟେଟ୍‍ମେଣ୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ। ସେମାନଙ୍କ ପ୍ରଶ୍ନରେ ତାଙ୍କ ପ୍ରତି କ’ଣ ଘଟୁଛି ବୋଲି ରଶିଦ ଭୟଭୀତ ହୋଇପଡ଼ିଥିଲେ। ପରିବାର ସହ କରାଚୀରେ ଏକ ଭଡ଼ା ଘରେ ରହୁଥିବା ରଶିଦ ଜୀବନରେ ଲକ୍ଷେ ଟଙ୍କା ଦେଖି ନଥିଲାବେଳେ ତାଙ୍କ ପାଇଁ ଏତେଗୁଡ଼ିଏ ଟଙ୍କା ସ୍ୱପ୍ନ ଥିଲା। ୨୦୦୫ରେ ସେ ଏକ ଘରୋଇ କମ୍ପାନୀରେ କାମ କଲାବେଳେ ବ୍ୟାଙ୍କ ଏକାଉଣ୍ଟ ଖୋଲିଥିଲେ; କିନ୍ତୁ ମାସକ ପରେ ଚାକିରି ଛାଡ଼ି ନିଜ ଅଟୋ ବାହାର କରିଥିଲେ। ସେହି ଦରମା ଏକାଉଣ୍ଟରେ ୩୦୦କୋଟି ଟଙ୍କା ଜମା ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏଫଆଇଏ ଅଧିକାରୀଙ୍କୁ ସେ ନିଜର ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ଚେଷ୍ଟା କରିଥିଲେ।
ଏଫଆଇଏ ସୂତ୍ର ଅନୁଯାୟୀ, ଏମିତି ବେଆଇନ ଅର୍ଥ କାରବାର ଦେଶରେ ବଢ଼ିଚାଲିଥିବାରୁ ପାକିସ୍ତାନ ସୁପ୍ରିମକୋର୍ଟ ଏକ ମିଳିତ ତଦନ୍ତ ୟୁନିଟ୍‍ (ଜେଆଇଟି) ସ୍ଥାପନ କରିଛନ୍ତି। ଅଚଳ ହୋଇପଡ଼ିଥିବା ବା ସ୍ୱଳ୍ପ ଅର୍ଥ କାରବାର ହେଉଥିବା ବ୍ୟାଙ୍କ ଏକାଉଣ୍ଟରେ ଏମିତି ବିପୁଳ ଅର୍ଥ ଜମା କରାଯିବା ପଛରେ କୌଣସି ର‍୍ୟାକେଟ୍‍ କାମ କରୁଥିବା ସନ୍ଦେହ କରାଯାଉଛି। ଏହି ଅର୍ଥ କିଛି ଦୁର୍ନୀତିଖୋର୍‍ ବ୍ୟବସାୟୀ ଓ ରାଜନେତାଙ୍କ ବ୍ୟବହାର ପାଇଁ ବେନାମୀ ସୂତ୍ରରୁ ମିଳୁଛି ଓ ଧରା ନ ପଡ଼ିଲେ ସେମାନେ ସୁରୁଖୁରୁରେ ଏହାକୁ ଉଠାଇ ନେଉଛନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜେଆଇଟି ପକ୍ଷରୁ ବିଭିନ୍ନ ବ୍ୟକ୍ତିଗତ ଏକାଉଣ୍ଟ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ ସମୟରେ ରଶିଦଙ୍କ ଏକାଉଣ୍ଟରେ ଥିବା ବିପୁଳ ଟଙ୍କାର ସୂଚନା ମିଳିଥିଲା। ଏହି କାରବାର ପଛରେ କିଛି ବ୍ୟାଙ୍କ କର୍ମଚାରୀଙ୍କର ହାତ ରହିଥିବା ଜେଆଇଟି ପକ୍ଷରୁ କୁହାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories