ବୌଦ୍ଧ: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କନ୍ଧମାଳ ପଟରୁ ବୌଦ୍ଧ ଜିଲ୍ଲା ସୀମାନ୍ତ ରାଣୀପଥର ଠାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅହିଂସା ରଥକୁ ସ୍ୱାଗତ କରାଯିବା ସହିତ ଜିଲା ପରିକ୍ରମାରେ ପାଛୋଟି ଅଣାଯାଇଥିଲା। ହରଭଙ୍ଗା ବ୍ଲକର ଚାରିଛକଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବାପରେ ଝାଡରାଜିଂ ସେବାଶ୍ରମ, ପଞ୍ଚାୟତ ହାଇସ୍କୁଲ ଚାରିଛକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସନୀ ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ନୋଡାଲ ଅଧିକାରୀ ଏପିଡି ପ୍ରତାପ କୁମାର ପ୍ରଧାନ, ବାଣିଭୂଷଣପୁର ସରପଞ୍ଚ ଶ୍ରୀବନ୍ତ ମେହେର, ସିଡିପିଓ ନିରୂପମା ପାଣି, ଡିପିଏମ ବେଣୁଧର ମହାପାତ୍ର, ବ୍ଲକ ସଂପ୍ରସାରଣ ଅଧିକାରୀ ପ୍ରଦିପ କୁମାର ନାଏକ, ସେକ୍ସନ ଅଧିକାରୀ ବିଜୟ କୁମାର ପାଢି, ଆଇସିଡିଏସ ସୁପରଭାଇଜର, ଅଙ୍ଗନବାଡି କର୍ମୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ।
ହରଭଙ୍ଗା ବିଡିଓ ସ୍ମିତା ରଥ ଓ ଏବିଡିଓ ସୁବାଶ ଚନ୍ଦ୍ର ଜାନିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଠାରୁ ଅହିଂସା ରଥ ବୌଦ୍ଧ ଅଭିମୁଖେ ଯାତ୍ରା କରିବା ଅବସରରେ ପୁରୁଣାକଟକ ଖେଳପଡ଼ିଆଠାରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ଭୈରବୀ ଜୁନିୟର ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସରକାରୀ ଉଚ୍ଚ ବିଦ୍ୟାଳୟ, ହରେକଷ୍ଣପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ା ଓ ବୀରନରସିଂହପୁର ବିଦ୍ୟାଳୟ, ସାଧୁଚରଣ ଉଚ୍ଚ ବିଦ୍ୟାଳୟ, ବାମଣ୍ଡା ଉଚ୍ଚ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ ମହାବିଦ୍ୟାଳୟ, ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର, ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ରଥକୁ ସ୍ୱାଗତ କରାଯାଇଥିଲା। ବଭିନ୍ନ ସ୍ଥାନରେ ଅତିଥି ଭାବରେଥି ଭାବରେ ରାଜ୍ୟ ଅହିଂସା ରଥ ସଂଯୋଜକ ତେଜେଶ୍ୱର ଜଗତ ଓ ବ୍ଲକ ସଂଯୋଜକ ବସନ୍ତ କୁମାର ସାହୁ, ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ, ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକ, ପୁରୁଣାକଟକ ସରପଞ୍ଚ ଅଶୋକ ସେଠୀ, ପ୍ରଧାନଶିକ୍ଷକ ନବ କୁମାର ଦୀପ, ଚିତ ରଞ୍ଜନ ମେହେର ଓ ଭି.ଚନ୍ଦ୍ର ଶେଖର ରାଜୁ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନଙ୍କୁ ବାଜି ରାଉତ ଓ ବାପୁଜୀଙ୍କ ଜିବନୀ ଉପରେ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା।
ବୌଦ୍ଧ ସହରର ବୁଟୁପାଲିଠାରେ ରଥ ପହଞ୍ଚିବାପରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା ଓ କାଉନସିଲ ସଦସ୍ୟ ସଦସ୍ୟାମାନେ ସ୍ୱାଗତ କରିବା ସହିତ ପାଛୋଟି ନେଇଥିଲେ। ଏଠାରେ ବୁଟୁପାଲି ଜେବି ହାଇସ୍କୁଲ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଅହିଂସା ରଥକୁ ସ୍ୱାଗତ କରିଥିଲେ। ବୌଦ୍ଧ ଟାଉନହଲ ନିକଟରେ ଅହିଂସା ରଥ ପହଞ୍ଚିବାପରେ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ରତ୍ନାକର ବେହେରା ଓ ସଂପାଦକ ଶଶାଙ୍କ ଶେଖର ମିଶ୍ରଙ୍କ ନେତୃତ୍ୱରେ ଏହାକୁ ସ୍ୱାଗତ କରାଯାଇଥିଲା। ପରେ ଜିଲା ପରିଷଦ ଅଧ୍ୟକ୍ଷା, ଏନଏସି ଅଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଟାଉନହଲ ସମ୍ମୁଖରେ ସ୍ଥାପିତ ବୌଦ୍ଧର ଦୁଇ ସ୍ୱାଧୀନତା ସଂଗ୍ରାମୀ ପ୍ରେମଶଙ୍କର ପଟ୍ଟନାୟକ ଓ ପ୍ରହଲ୍ଲାଦ ବିଶିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ବ୍ୟାଣ୍ଡ ଦ୍ୱାରା ରଥକୁ ସ୍ୱାଗତ କରାଯିବା ସହିତ ଟାଉନହଲଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୌଦ୍ଧର ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସେଣ୍ଟ୍ ଜାଭିୟର ବିଦ୍ୟାଳୟ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଟାଉନହଲଠାରୁ ଅହିଂସା ରଥକୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବୌଦ୍ଧ ବ୍ଲକକୁ ନିଆଯାଇଥିଲା। ଉଭୟ ରଥ ବୌଦ୍ଧ ବ୍ଲକରେ ପହଞ୍ଚିବାପରେ ଆଇଆରବି ୫ମ ବାଟାଲିୟନ ଓ ଆଦର୍ଶ ବିଦ୍ୟାଳୟ ବୌଦ୍ଧର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଗେହ୍ଲାମା କଳାନିକେତନ, ପ୍ରଣାମ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗିତ ପରିବେଷଣ କରିବା ସହିତ ବିଭିନ୍ନ ମହାପୁରୁଷମାନଙ୍କ ବେଶ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ବୌଦ୍ଧ ବ୍ଲକରେ ସହୀଦ ସ୍ତମ୍ବରେ ମାଲ୍ୟାର୍ପଣ କରାଯାଇଥିଲା। ଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଉପାଧ୍ୟକ୍ଷ ପାନେଶ୍ୱରୀ ଦେହୁରୀ,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଏବିଡିଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ବିଡିଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।



