ଡେପୁଟେସନ୍ରେ ଯାଇଥିବା ଶିକ୍ଷକଙ୍କ ଫେରସ୍ତ ଦାବିରେ ବିଦ୍ୟାଳୟ ଫାଟକରେ ତାଲା; ଧାରଣାରେ ବସିଲେ ଅବିଭାବକ ଓ ଛାତ୍ରଛାତ୍ରୀ
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତର ଆମ୍ବଝରୀ ଗ୍ରାମର ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଡେପୁଟେସନରେ ପଠାଯାଇଥିବା ଶିକ୍ଷକଙ୍କୁ ଫେରସ୍ତ ଦାବି କରି ଗତକାଲି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଫାଟକରେ ତାଲା ମାରି ଧାରଣାରେ ବସିଥିଲେ । ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟକରିଆସୁଥିବା ଗୌରାଙ୍ଗ ଚରଣ ପଣ୍ଡାଙ୍କୁ ଗତ ୨୦୧୯ ମସିହା ନଭେମ୍ବର ୨୬ ତାରିଖରେ ଖଣ୍ଡହତା ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି ।
ହେଲେ ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୪ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ଫଳରେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରୁ ଡେପୁଟସେନରେ ଯାଇଥିବା ଶିକ୍ଷକଙ୍କୁ ଫେରାଇ ଦେବା ପାଇଁ ଗ୍ରାମବାସୀ ମାନେ ପୂର୍ବରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଥିଲେ । ଅଗଷ୍ଟ ୫ ତାରିଖ ମଧ୍ୟରେ ଡେପୁଟେସନ ଶିକ୍ଷକଙ୍କୁ ଫେରସ୍ତ କରା ନଗଲେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଥିଲେ । ହେଲେ ଶିକ୍ଷା ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଅବିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ ।
ଏନେଇ ଖବର ପାଇବା ପରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନରୋତ୍ତମ ପୁରୋହିତ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନ କରାଯିବ ବୋଲି କହିଥିଲେ । ହେଲେ କେବେ ଶିକ୍ଷକ ଦେବେ ଗ୍ରାମବାସୀ ନିର୍ଦ୍ଧିଷ୍ଟ ତାରିଖ କହନ୍ତୁ ବୋଲି କହି ନିଜ ଜିଦ୍ ରେ ରହି ତାଲା ଖୋଲି ନଥିବା ଜଣାପଡିଛି ।
Comments are closed.