ଆଠଗଡ଼: ଆଠଗଡ଼ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଙ୍ଗଳବାର ସକାଳେ ଛାତ୍ର ବିଜେଡି ପକ୍ଷରୁ ଗୋପବନ୍ଧୁ ବିଜ୍ଞାନ କଲେଜ, ଗୋପବନ୍ଧୁ ମହିଳା କଲେଜ, ବିଶ୍ୱନାଥ ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲ, କନ୍ତୋଲ ନୋଡାଲ ସ୍କୁଲ, ରାସରସିକପୁର ୟୁଜିୟୁପି ସ୍କୁଲ ଏବଂ କନ୍ତୋଲସ୍ଥିତ ଅଚ୍ୟୁତାନନ୍ଦ ବିଦ୍ୟାପୀଠରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ଓ ନଗର ଛାତ୍ର ବିଜେଡି ସଭାପତି ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଉପାଧ୍ୟକ୍ଷ ବି. ଶୁଭ୍ରଶଙ୍କର ଜ୍ୟୋତି, ପୂର୍ବତନ ନଗରପାଳ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ନଗର ଯୁବ ବିଜେଡି ସଭାପତି ଶିବଶଙ୍କର ଜେନା, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ନଗର ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସମେତ ବହୁ ଯୁବ, ଛାତ୍ର ଓ ମହିଳା ବିଜେଡି କର୍ମୀ ଯୋଗଦେଇ ବିଭିନ୍ନ କିସମର ବହୁ ଉପାଦେୟ ବୃକ୍ଷ ଚାରା ରୋପଣ କରିଥିଲେ।
ସନ୍ଧ୍ୟାରେ ସ୍ଥାନୀୟ ଲକ୍ଷ୍ମୀବଜାର ମଣ୍ଡପରେ ଆୟୋଜିତ କାରଗିଲ ବିଜୟ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶ୍ରୀମତୀ ରାଉତ ଯୋଗଦେଇ ଭାରତୀୟ ସେନାଙ୍କର ପରାକ୍ରମ ଅତୁଳନୀୟ ବୋଲି ମତବ୍ୟକ୍ତ କରିବା ସହ କାରଗିଲ ଯୁଦ୍ଧରେ ସହୀଦ୍ ଜବାନଙ୍କ ପ୍ରତି ଶ୍ରଦ୍ଧାସୁମନ ଜଣାଇଥିଲେ। ଏଥିରେ ଅବସରପ୍ରାପ୍ତ ସୈନିକ ସଂସାରୀ ମହାନ୍ତି, ଦିଲ୍ଲୀପ କୁମାର ସ୍ୱାଇଁ, ସନ୍ତୋଷ ମହାରଣା ଓ ବଳରାମ ପଣ୍ଡା ଯୋଗଦେଇ ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟ ବିଶ୍ୱର ଅନ୍ୟ ଶକ୍ତିଶାଳୀ ରାଷ୍ଟ୍ରଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଚାରିଜଣ ଯାକ ଅବସରପ୍ରାପ୍ତ ସୈନିକ କାରଗିଲ ଯୁଦ୍ଧର ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ କାରଗିଲ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ନଗର ଛାତ୍ର ବିଜେଡି ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ସଂଯୋଜନା କରିଥିଲେ। ତିଗିରିଆ ଛାତ୍ର ବିଜେଡି ସଭାପତି ହିମାଂଶୁ ଶେଖର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ର ନାଥ ରାଉତ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ନୃସିଂହ ମହାପାତ୍ର, ପୂର୍ବତନ ନଗରପାଳ ସୁଶ୍ରୀ ଭଞ୍ଜଙ୍କ ସମେତ ସମସ୍ତ ପାରିଷଦ ଏବଂ ଦଳୀୟ ନେତା ଓ କର୍ମୀ ଯୋଗଦାନ କରିଥିଲେ। ଏହି ଅବସରରେ ଆଠଗଡ଼ର ବିଭିନ୍ନ କଳା ଓ ସଂଗୀତ ଅନୁଷ୍ଠାନ ପକ୍ଷରୁ ଦେଶଭକ୍ତି ଉପରେ ଆଧାରିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



