ମୁଲତବୀ ଅଗ୍ରାହ୍ୟ, ଗର୍ଜିଲେ ବିରୋଧୀ

ହଟ୍ଟଗୋଳରୁ ଧୋଇଗଲା ପ୍ରଶ୍ନକାଳ, ଶୂନ୍ୟକାଳ

ମାମଲା ବିଚାରାଧୀନ, ହେବନାହିଁ ଆଲୋଚନା: ବାଚସ୍ପତି, ପୂର୍ତ୍ତ ବିଭାଗର ୧୦୦କୋଟିର ବୋଝକୁ ନେଇ ହଙ୍ଗାମା

prayash

ଭୁବନେଶ୍ୱର :  କେଉଁ ପରିସ୍ଥିତିରେ ଏଲ୍‌ ଆଣ୍ଡ ଟି’କୁ ୧୦୦କୋଟିର ତଣ୍ଡ ଗଣିବାକୁ ଅଦାଲତ ନିର୍ଦେଶ ଦେଲେ ଏବଂ ସରକାର ନିର୍ଦେଶ ପାଳନ ନକରିବା ଦ୍ୱାରା ନିର୍ମାଣ ସୌଧରୁ ସମ୍ପୃକ୍ତ କମ୍ପାନୀ କିପରି ଜିନିଷପତ୍ର ଜବତ କଲା ସେ ପ୍ରସଙ୍ଗରେ ଆସିଥିବା ଏକ ମୁଲତବୀ ନୋଟିସ ଉପରେ ଗୃହରେ ଆଲୋଚନା ପାଇଁ ଅନୁମତି ନ ମିଳିବାରୁ ଏହାର ପ୍ରତିବାଦରେ ଆଜି ବିରୋଧୀ ଦଳର ସଭ୍ୟମାନେ ଗୃହରେ ତୁମୁଳ ହଟ୍ଟଗୋଳ କରିଥିଲେ। ଫଳରେ ଆଜିର ପ୍ରଶ୍ନକାଳ ଓ ଶୂନ୍ୟକାଳ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା। ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ସୋମବାର ପ୍ରଶ୍ନ କାଳ ଆରମ୍ଭରୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ପ୍ରଥମ ଓ ଦ୍ୱିତୀୟ ପ୍ରଶ୍ନକର୍ତ୍ତାଙ୍କୁ ଡାକିଥିଲେ। ସେମାନେ ଅନୁପସ୍ଥିତ ଥିବାରୁ ତୃତୀୟ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଡାକିଥିଲେ। ମନ୍ତ୍ରୀ ଉତ୍ତର ରଖିବା ସମୟରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ମୁଲତବୀ ନୋଟିସ କାହିଁକି ଗ୍ରହଣ କରାଗଲା ନାହିଁ ସେ ବିଷୟରେ ବାଚସ୍ପତିଙ୍କଠାରୁ ଜାଣିବାକୁ ଚାହିଁଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ଉଭୟ ଦଳର ଅନ୍ୟ ସଭ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ଏ ବିଷୟ ଶୂନ୍ୟକାଳରେ ଉଠାଇବେ ଏବଂ ସେ ସମୟରେ ସେ ଏହାର ଉତ୍ତର ରଖିବେ ବୋଲି ବାଚସ୍ପତି କହିବା ସହିତ ସଭ୍ୟଙ୍କୁ ନିଜ ଆସନରେ ବସି ପ୍ରଶ୍ନୋତ୍ତରରେ ଭାଗ ନେବାକୁ ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ। ମନ୍ତ୍ରୀ ଉତ୍ତର ରଖୁଥିଲେ ହେଁ ଏହା ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଠିକ୍‌ ଭାବେ ଶୁଣାଯାଉ ନଥିଲା। ଗୃହ ଅଶାନ୍ତ ରହିବାରୁ ବାଚସ୍ପତି ବାଧ୍ୟ ହୋଇ ୧୦ଟା ୩୪ରୁ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।
ଶୂନ୍ୟକାଳ ଆରମ୍ଭରେ ବିରୋଧୀ ପୁଣି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ବାଚସ୍ପତି କହିଥିଲେ ଯେ ଶୂନ୍ୟକାଳରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଆଲୋଚନା ପାଇଁ ଅଛି, ଆପଣମାନେ ନିଜ ଆସନକୁ ଯାଇ ସେଗୁଡ଼ିକ ଉତ୍‌ଥାପନ କରନ୍ତୁ। କିନ୍ତୁ ମୁଲତବୀ ନୋଟିସ କାହିଁକି ଅଗ୍ରାହ୍ୟ ହେଲା ସେ ବିଷୟରେ ବିରୋଧୀ ବାଚସ୍ପତିଙ୍କ ରୁଲିଂ ଚାହିଁଥିଲେ। ବାଚସ୍ପତି ତାଙ୍କ ରୁଲିଂରେ କହିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନଚରଣ ମାଝି ଏବଂ ଅନ୍ୟ ସଦସ୍ୟଙ୍କ ଦ୍ୱାରା ‘ସରକାର ଗଣିବେ ତଣ୍ଡ, କି ବିଚିତ୍ର କଥା କାନ ଶୁଣିଲା, ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନୀ ଜବତ କଲା’ ବିଷୟରେ ଗତ ୨୫ ତାରିଖରେ ଗୃହରେ ଆଲୋଚନା ପାଇଁ ଏକ ମୁଲତବୀ ପ୍ରସ୍ତାବ ନୋଟିସ ଦେଇଥିଲେ। ଇତିମଧ୍ୟରେ ନିର୍ମାଣ ବିଭାଗ ମନ୍ତ୍ରୀ ଉକ୍ତ ବିଷୟ ଉପରେ ସରକାରଙ୍କ ଦ୍ୱାରା ଉଚ୍ଚତମ ନ୍ୟାୟାଳୟରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ଏପର୍ଯ୍ୟନ୍ତ ବିଚାରାଧୀନ ଅଛି। ଏହି ଦୃଷ୍ଟିରୁ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୬୦ ବ୍ୟବସ୍ଥା ଅନୁଯାୟୀ ଉକ୍ତ ବିଷୟଟି ଗୃହର ଆଲୋଚନା ପରିସରଭୁକ୍ତ ହେଉନାହିଁ। ତେଣୁ ଉକ୍ତ ମୁଲତବୀ ନୋଟିସକୁ ଗୃହରେ ଆଲୋଚନା ପାଇଁ ଅଣାଯାଇ ନାହିଁ।
ଏହା ଉପରେ ପ୍ରଶ୍ନ ଉଠାଇ ବିଜେପି ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ ସରକାରଙ୍କ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ବିଚାରଯୋଗ୍ୟ ବୋଲି ଗ୍ରହଣ କରି ନଥିବାରୁ ଏହା ବିଚାରାଧୀନ ନୁହେଁ। ତେଣୁ ଗୃହରେ ଏଥିନେଇ ଆଲୋଚନା କରାଯିବାରେ କିଛି ସମସ୍ୟା ନାହିଁ। ବାଚସ୍ପତି ପୁଣି ଥରେ ତାଙ୍କ ରୁଲିଂ ଦୋହରାଇବା ସହିତ କହିଥିଲେ, ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ। ଆମ ମାଟିର ଝିଅ, ଆମ ଭଉଣୀ ଦ୍ରୌପଦୀ ମୁର୍ମୁ ଭାରତବର୍ଷର ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଆମେ ଗୃହରେ ସଂକଳ୍ପ ଆଣି ତାକୁ ପାରିତ କରିବା, ଆମ ରାଜ୍ୟର ଗରିମା ବୃଦ୍ଧି କରିବା। ସଭ୍ୟମାନେ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ବାଚସ୍ପତି କହିଥିଲେ।
ପୁଣି ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ ଯେ ୨୦୦୪ରୁ ମାମଲା ଜିଲା କୋର୍ଟରୁ, ହାଇକୋର୍ଟ ଦେଇ ସର୍ବୋଚ୍ଚ ଅଦାଲତକୁ ଯିବା ପରେ ସେଠାରେ ପିଟିସନକୁ ଖାରଜ କରିଦିଆଗଲା, ପୁଣି ରିଭ୍ୟୁ ପିଟିସନ କଥା କେଉଁଠି ଉଠୁଛି ବୋଲି ପ୍ରଶ୍ନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରିଭ୍ୟୁ ପିଟିସନ ଫାଇଲ ହୋଇଛି ବୋଲି ବାଚସ୍ପତି ପୁନର୍ବାର କହିଥିଲେ। ଏହି ସମୟରେ ଶାସକ ଦଳର ସଭ୍ୟ ଅମରପ୍ରସାଦ ଶତପଥୀ କହିଥିଲେ ଯେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ଅମେ ବିଧି ବ୍ୟବସ୍ଥା ଭିତରେ ରିଭ୍ୟୁ ପିଟିସନର ସୁଯୋଗ ରହିଛି। ଯେଉଁଦିନ ଅଗ୍ରାହ୍ୟ ହେବ ସେଦିନ ଏହା ବିଚାରାଧୀନ ନୁହେଁ ବୋଲି କୁହାଯିବ। ବର୍ତ୍ତମାନ ଏହା ସବ୍‌ଜୁଡ଼ିସ(ବିଚାରାଧୀନ) ଅଛି। ଶାସକ ଦଳର ସଭ୍ୟ ଭୂପିନ୍ଦର ସିଂହ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଶୂନ୍ୟକାଳରେ ରାଜ୍ୟର ଅନ୍ୟାନ୍ୟ ସମସ୍ୟା ଥିବାରୁ ସେ ବିଷୟରେ ଆଲୋଚନା ପାଇଁ ମତ ରଖିଥିଲେ। ବିଜେପିର ମୁଖ୍ୟ ସଚେତକ ମୋହନଚରଣ ମାଝି କହିଥିଲେ ୨୦୦୪ରୁ ମାମଲା ଆରବିଟ୍ରେସନ ମାମଲାରୁ ଆରମ୍ଭ ହୋଇ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଇ ଖାରଜ ହୋଇଛି। ୧୦୦କୋଟି ଟଙ୍କା ତଣ୍ଡ ଦେବାକୁ କୁହାଯାଇଛି। ପୂର୍ବରୁ ଥିବା ୨୦କୋଟି ଏବେ ୧୦୦କୋଟି ମିଶାଇ ୧୨୦କୋଟି ପୂର୍ତ୍ତ ବିଭାଗ ଦେବା କଥା। ପୂର୍ତ୍ତମନ୍ତ୍ରୀ ଗଣମାଧ୍ୟମରେ କହୁଛନ୍ତି ସେ ଏକଥା ଜାଣିନାହାନ୍ତି, ଯାହା ଦୁର୍ଭଗ୍ୟଜନକ କଥା। ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି, ଯଦି ଗ୍ରହଣ କରିଛନ୍ତି ସରକାର ସେ ତଥ୍ୟ ଗୃହରେ ଦେଖାନ୍ତୁ। ମୁଲତବୀ ନୋଟିସରୁ ବିରୋଧୀଙ୍କୁ ବଞ୍ଚିତ କରନ୍ତୁ ନାହିଁ। ଶ୍ରୀ ମାଝି ଉଠାଇଥିବା ପ୍ରଶ୍ନ ପରିପ୍ରେକ୍ଷୀରେ ଶ୍ରୀ ଶତପଥୀ ୧୦.୩.୨୦୨୨ରେ ରିଭ୍ୟୁ ପିଟିସନ ଦାଖଲ କରାଯିବା ସହ ଏ ମାମଲା ବିଚାରାଧୀନ ଥିବା ଗୃହକୁ ଜଣାଇଥିଲେ। କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ଯଦି ମାମଲା ବିଚାରାଧୀନ ଥିଲା କିପରି ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗର କମ୍ପ୍ୟୁଟରକୁ ପୁଲିସ ଜବତ କଲା ଏବଂ ସରକାର ଏହାକୁ କିପରି ଅନୁମତି ଦେଲେ ବୋଲି ପ୍ରଶ୍ନ କରିଥିଲେ। ସମ୍ପୃକ୍ତ କମ୍ପାନୀକୁ କଳାତାଲିକାଭୁକ୍ତ କରିବା ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଥିଲେ। ବିଧାୟକ ସୁରେଶ ରାଉତରାୟ କହିଥିଲେ ଯେ ରାଉରକେଲା-ସମ୍ବଲପୁର ରାସ୍ତା ପାଇଁ ଏଲ୍‌ ଆଣ୍ଡ ଟି ୨୦କୋଟି ଦାବି କଲା। ସେ‌େ‌ତବେଳର ଓକିଲ, ଅଧିକାରୀ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିବା ସହିତ ସରକାରଙ୍କ ଅବହେଳାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି କହିଥିଲେ। ୧୨୦କୋଟି ଟଙ୍କା ଗରିବ ଜନସାଧାରଣଙ୍କ ପଇସା। ଯେଉଁମାନେ ଏଥିପାଇଁ ଦାୟୀ, ତଦନ୍ତ କରି ସେମାନଙ୍କଠାରୁ ଭରଣା କରିବାକୁ ସେ ମତ ରଖିଥିଲେ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଗୃହର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ହେଉଛି ଚୂଡ଼ାନ୍ତ। ପୂର୍ତ୍ତ ବିଭାଗ ଖର୍ଚ୍ଚଦାବି ଆଲୋଚନା କାଳରେ ଏ ବିଷୟରେ ଆଲୋଚନା ହୋଇଛି। ପୁଣି ଆଗକୁ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ଅଛି। ମାମଲା ଏବେ ବିଚାରାଧୀନ ଥିବାରୁ ଆଲୋଚନା ହେଲେ ନିଷ୍ପତ୍ତି ନେବା କର୍ତ୍ତୃପକ୍ଷଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। ଏହା ଉପରେ ଆଲୋଚନା କରିପାରିବା ନାହିଁ। ଆଜି ଓଡ଼ିଶା ପାଇଁ ଗର୍ବ, ଗୌରବ ଓ ଐତିହାସିକ ଦିବସ ହୋଇଥିବାରୁ ଆମେ ସମସ୍ତେ ଏକ ହୋଇ ସଂକଳ୍ପକୁ ଯିବା ବୋଲି କହିଥିଲେ। ବାଚସ୍ପତି ପୁନର୍ବାର ସମସ୍ତଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ଭାଗନେବା ଓ ରାଷ୍ଟ୍ରପତି ଦ୍ରୌପଦୀଙ୍କ ଉଦ୍ଦେଶ୍ୟରେ ଗୃହରେ ସଂକଳ୍ପ ଆଣିବାକୁ ଅନୁରୋଧ କରିଥିଲେ। ମାତ୍ର ବିରୋଧୀ ହଟ୍ଟଗୋଳରୁ ନିବୃତ୍ତ ନହେବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଫଳରେ ପ୍ରଶ୍ନକାଳଠୁ ଆରମ୍ଭ କରି ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରି ନଥିଲା।

kalyan agarbati

Comments are closed.