ଶ୍ରାବଣ ୨ୟ ସୋମବାର ; ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୪୦ହଜାରରୁ ଅଧିକ କାଉଡିଆ
୨୪ଘଣ୍ଟା ଧରି ଧାଡିରେ ଯାଇ ଜଳଲାଗି କଲେ କାଉଡିଆ, ଅବ୍ୟବସ୍ଥା ଯୋଗୁ ମନ୍ଦିରର ଲକ୍ଷାଧିକ ଟଙ୍କା କ୍ଷତି
ଆରଡି : ପବିତ୍ର ଶ୍ରାବଣମାସର ୨ୟ ସୋମବାରରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ ହଜାରରୁ ଅଧିକ କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହାତକୁ ନିଆଯାଇଥିଲେ ମଧ୍ୟ କେତକ ଅବ୍ୟବସ୍ଥା ଯୋଗୁ ଭିଡ ନିୟନ୍ତ୍ରଣ କରିବାରେ ନାକେଦମ ହେବାକୁ ପଡିଥିଲା ପୁଲିସକୁ । ଏପରିକି ଆଗନ୍ତୁକ କାଉଡିଆଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲାସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଭିଡ ନିୟନ୍ତ୍ରଣ କରିବା, ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟାରିକେଡକୁ ସଜାଗ ରଖିବା ଆଦିରେ ଢିଲା ମନୋଭାବ ଯୋଗୁ କାଉଡିଆମାନେ ଧାଡିରେ ଦୀର୍ଘ ସମୟ ନରହି ବିନା ଟିକେଟରେ ଏଣେତେଣେ ଅର୍ଥାତ କୃତ୍ରିମ ମହାଦେବ ଓ ବାସୁଆଙ୍କ ଉପରେ ଜଳଲାଗି କରିଥିଲେ । ଏପରି ଘଟଣାକୁ ଉଭୟ ପ୍ରଶାସନ ଓ ପୁଲିସ ଦେଖିଥିଲେ ମଧ୍ୟ ନଦେଖିବା ପରି ଚୁପ ରହିବାରୁ ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲା ମନ୍ଦିର।
ପୀଠକୁ ୪୦ ହଜାରରୁ ଅଧିକ କାଉଡିଆଙ୍କ ଆଗମନ ହୋଇଥିଲେ ମଧ୍ୟ ଏପରି ଅବ୍ୟବସ୍ଥା ଯୋଗୁ ମାତ୍ର ୨୧ହଜାର କାଉଡିଆଙ୍କ ଟିକଟ ଅସୁଲ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତାହା ସହ ମନ୍ଦିର ଭିତର ବେଢା ଓ ବାହାର ବେଢାରେ ଭକ୍ତଙ୍କ ସୁଗମ ଯାତାୟତ ନିମନ୍ତେ ଆଂଶିକ ସମ୍ପ୍ରସାରଣ କରାଯାଇଥିଲା। ହେଲେ କେତେକ ସେବାୟତ ମନ୍ଦିର ଆଇନକୁ ଖୋଲମ ଖୁଲା ଉଲଂଘନ କରି ଦୀପ ଦୋକାନ ବସାଇବା ସହ କୃତିମ ମହାଦେବ, ନାଗ, ବାସୁଆ ବସାଇ ଭକ୍ତଙ୍କ ଠାରୁ ଦକ୍ଷିଣା ଆଦାୟ କରୁଥିବାରୁ ଦର୍ଶନ ଓ ଜଳଲାଗି ସ୍ଥାନରେ ଭିଡ ନିୟନ୍ତ୍ରଣ କରିବାରେ ସମସ୍ୟା ଦେଖାଦେଉଛି । ଆଗନ୍ତୁକ ହଜାର ହଜାର କାଉଡିଆମାନେ ରବିବାର ସଂଧ୍ୟା ୫ଟାରୁ ସୋମବାର ସଂଧ୍ୟା ୫ଟା ଯାଏଁ ୨୪ଘଣ୍ଟା ଧରି ଧାଡିରେ ରହି ମଣିବାବାଙ୍କ ନିକଟରେ ଜଳଲାଗି କରିଥିଲେ। ଚଳିତ ସୋମବାରରେ ଅଧିକ ସଂଖ୍ୟକ ମହିଳା କାଉଡିଆ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଏପରିକି ବୈତରଣୀ ଓ ସାଳନ୍ଦୀ ନଦୀରେ ଡଙ୍ଗା ଦ୍ବାରା ପାରି ହୋଇ ଆସୁଥିବା ତିନିଟି ନଦୀଘାଟକୁ ଜଗି ରହିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ଜଣେ ମାଜିଷ୍ଟ୍ରେଟ, ଜଣେ ଏଏସପି, ୬ଜଣ ଡିଏସପି, ୧୫ଜଣ ଇନ୍ସିପେକ୍ଟର, ୫୪ଜଣ ଅଫିସରଙ୍କ ସହ ୮ପ୍ଲାଟୁନ ଫୋର୍ସ ଆଦି ନିୟୋଜିତ ହୋଇଥିବା ଏଏସପି ଜତିନ ପଣ୍ଡା କହିଛନ୍ତି । କାଉଡିଆ ଯେପରି ସୁବିଧାରେ ଜଳଲାଗି କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଥିବା ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି ।
Comments are closed.