ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ ; ବିକାଶ ପାଣ୍ଠି ବିନିଯୋଗରେ ପିସି
କେନ୍ଦ୍ର ଅନୁଦାନ କମୁଛି, ରାଜ୍ୟ ଚଳାଇଛି ୩୪ ନିଜସ୍ବ ଯୋଜନା: ମନ୍ତ୍ରୀ, ୨ ବିଭାଗର ଖର୍ଚ୍ଚ ଦାବି ପାରିତ
ଭୁବନେଶ୍ୱର : ରାଜ୍ୟରେ ଯୋଜନା ଓ ସମନ୍ବୟ ବିଭାଗ ନାଁ ବଦଳାଇ ଯୋଜନା ଓ ସଂଯୋଜନା ବିଭାଗ ରଖିଦେଲେ ବିକାଶ ହେବନାହିଁ। ବିକାଶ ଲାଗି ସ୍ବତନ୍ତ୍ର ଯୋଜନା ଓ ଗବେଷଣାକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଦୂରଦୃଷ୍ଟିସମ୍ପନ୍ନ ଯୋଜନାର ଅଭାବ ଏବଂ ଠିକଣା କାର୍ଯ୍ୟାନ୍ବୟନ ନ ହେବାରୁ ୨୦ବର୍ଷ ତଳେ ରାଜ୍ୟ ଯେଉଁ ଗରିବ ଥିଲା ଏବେ ବି ସେଇ ଗରିବ ତାଲିକାରେ ରହିଛି। ରାଜ୍ୟରେ ଦିନକୁ ଦିନ ଆଞ୍ଚଳିକ ବୈଷମ୍ୟ ବଢ଼ୁଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଣ୍ଠି ଖର୍ଚ୍ଚ ବେଳେ ମଧ୍ୟ ପିସି ଦେବାକୁ ପଡ଼ୁଛି। ଏହିଭଳି ଏକାଧିକ ଅଭିଯୋଗ ଉଠାଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ଘେରିଥିଲେ। ମାତ୍ର ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ରାଜ୍ୟ ସରକାରଙ୍କ ନିଜସ୍ବ ୩୪ଟି ଯୋଜନା କିଭଳି ରାଜ୍ୟର ବିକାଶକୁ ତ୍ବରାନ୍ବିତ କରୁଛି ତାହାର ଲମ୍ବା ଚିଠା ଦେଇ ବିକାଶ ଗାଡି ଦୌଡ଼ୁଥିବା କହିଥିଲେ। ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ଦିନକୁ ଦିନ ଏହା ସୁଦୂର ପ୍ରସାରୀ ହେଉଛି ବୋଲି କହିଥିଲେ। ଉପବାଚସ୍ପତି ରଜନୀକାନ୍ତ ସିଂହ ଉଭୟ ବିଭାଗର ଆଲୋଚନା ଶୁଣିବା ପରେ ବାଚନିକ ଭୋଟରେ ଖର୍ଚ୍ଚଦାବି ପ୍ରସ୍ତାବ ପାରିତ କରିଥିଲେ। ମାତ୍ର ବିଜେପି ଓ କଂଗ୍ରେସ ଉଭୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ୟାଗ କରିଥିଲେ।
ଅପରାହ୍ଣରେ ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝି ଉଭୟ ବିଭାଗର ଖର୍ଚ୍ଚ ଦାବି ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି କହିଥିଲେ ଯେ, ରାଜ୍ୟ ସରକାର ବିଗତ ଦିନରେ ଯେଉଁ ବିଜୁ ପକ୍କାଘର ଯୋଜନା ପ୍ରଣୟନ କରିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଧାରିତ। କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ତଥ୍ୟ ଅନୁଯାୟୀ ଓଡ଼ିଶା ଏବେ ୧୦ଟି ଗରିବ ରାଜ୍ୟ ମଧ୍ୟରୁ ୯ମ ସ୍ଥାନରେ ରହିଛି। ଆକଳନ ଅନୁଯାୟୀ ଏବେ ବି ରାଜ୍ୟର ୫ ବର୍ଷ ବୟସରୁ କମ୍ ୩୪.୪ ପ୍ରତିଶତ ଶିଶୁଙ୍କ ଓଜନ ସ୍ବାଭାବିକ ଓଜନଠାରୁ ଯଥେଷ୍ଟ କମ୍। ସେହିପରି ଜିଲା ଖଣିଜ ପାଣ୍ଠି ଖର୍ଚ୍ଚରେ ଜିଲାପାଳମାନେ ନିୟମ ଉଲ୍ଲଙ୍ଘନ କରୁଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେଉନାହିଁ, ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି, ତେଣୁ ରାଜ୍ୟର ବିକାଶ କିପରି ହେବ କହି ପ୍ରସ୍ତାବକୁ ବିରୋଧ କରିଥିଲେ। ବିଧାୟକ ନାଉରୀ ନାୟକ ପର୍ଯ୍ୟଟନସ୍ଥଳୀ ଅର୍ଥ ଖର୍ଚ୍ଚରେ ପାତରଅନ୍ତର ଓ ବିଧାୟକ ସନାତନ ବିଜୁଳି ଶିମିଳିପାଳ ଅଭୟାରଣ୍ୟକୁ ଯେଭଳି ବିକଶିତ କରାଯିବା କଥା ତାହା ହୋଇପାରି ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଭୟ ବିଭାଗର ଖର୍ଚ୍ଚଦାବିକୁ ବିରୋଧ କରି କହିଥିଲେ ଯେ, ଶିକ୍ଷା ହେଉଛି ମୂଳଦୁଆ, ହେଲେ ଏକ୍ଷେତ୍ରକୁ ଅଧିକ ପାଣ୍ଠିର ବ୍ୟବସ୍ଥା କରାଯାଉନାହିଁ। ବଲାଙ୍ଗୀର ମେଡିକାଲ କଲେଜ ପ୍ରତିଷ୍ଠାକୁ ୧୬ବର୍ଷ ଧରି ରାଜ୍ୟ ସରକାର ଝୁଲାଇ ରଖିବା ପରେ ନିର୍ମାଣ କଲେ। କେନ୍ଦ୍ର ସରକାର ୮ଟି ଯୋଜନା ଉଚ୍ଛେଦ କରିବା ଦ୍ବାରା ପଛୁଆ ଜିଲାର ବିକାଶ ସ୍ଥାଣୁ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଜୁ କେବିକେ ଯୋଜନା କୌଣସି କାର୍ଯ୍ୟରେ ଆସୁନାହିଁ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଠକ ବର୍ଷକୁ ଥରଟିଏ ବସୁନାହିଁ। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ, ବିଧାୟକ ପାଣ୍ଠି ୧୦ କୋଟିକୁ ବଢ଼ାଯାଉ। ସ୍ବତନ୍ତ୍ର ପ୍ରସ୍ତାବ ପାଣ୍ଠି ବିଧାୟକଙ୍କ ଚେହେରା ଦେଖି ଦିଆଯାଉଛି। ପର୍ଯ୍ୟଟନ କ୍ଷେତ୍ର ପାଣ୍ଠି ଖର୍ଚ୍ଚ ବେଳେ ପିସି ମଗାଯାଉଥିବା ଅଭିଯୋଗ ବାଢ଼ିବା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିର ଦୁରୂପଯୋଗ ନେଇ ସରକାରଙ୍କୁ ନିଶାଣ କରିଥିଲେ।
ସରକାରୀ ଦଳର ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହ କହିଥିଲେ ଯେ, ଜଙ୍ଗଲ ଓ ପରିବେଶ ବିଭାଗ ସହାୟତାରେ ପର୍ଯ୍ୟଟନ କ୍ଷେତ୍ର ବିକାଶ ଲାଗି ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଗତକିଛି ବର୍ଷ ଭିତରେ ରାଜ୍ୟ ସରକାର ୩୪ଟି ନିଜସ୍ବ ଯୋଜନା କରିଛନ୍ତି। ୨୦ବର୍ଷ ତଳେ ଥିବା ଓଡ଼ିଶା ଏବଂ ଆଜିର ଓଡ଼ିଶା ମଧ୍ୟରେ ବହୁ ବ୍ୟବଧାନ ରହିଛି। ଏହାକୁ ବିରୋଧୀ ଠିକ୍ ଭାବେ ଦେଖିବାର ଆବଶ୍ୟକତା ରହିଛି। ବିଧାୟକ ପଦ୍ମନାଭ ବେହେରା କହିଥିଲେ ଯେ, କେନ୍ଦ୍ର ସରକାର ଇନ୍ଦିରା
ଆବାସ ଯୋଜନାକୁ ବଦଳାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ। ପୂର୍ବରୁ ଆବାସ ଯୋଜନାରେ ୯୦:୧୦ ପ୍ରତିଶତ ଅଂଶଧନ ଥିବାବେଳେ ଏବେ ଏହା ପ୍ରାୟ ୫୦:୫୦ ପ୍ରତିଶତରେ ରହିଛି। ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କୋଣାର୍କ ମହୋତ୍ସବ, ପୁରୀ ବେଳାଭୂମିରେ ‘ବ୍ଲୁ-ଫ୍ଲାଗ୍’ କିଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେ ସମ୍ପର୍କରେ କହିଥିବାବେଳେ ବିଧାୟକ ଚନ୍ଦ୍ରସାରଥି ବେହେରା ଜିଲାପାଣ୍ଠି ଖର୍ଚ୍ଚ ନିୟମରେ ଥିବା ଅସଙ୍ଗତି ସମ୍ପର୍କରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବିଧାୟକ ରାଜେନ୍ଦ୍ର ପ୍ରସାଦ ସାହୁ ବିଧାୟକଙ୍କ ହାତପାଣ୍ଠି ପ୍ରସଙ୍ଗରେ ଓ ବିଧାୟକ ଧ୍ରୁବଚରଣ ସାହୁ, ବିଧାୟିକା ମିନାକ୍ଷୀ ମହନ୍ତ ପ୍ରମୁଖ ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ଅବତାରଣା କରିଥିଲେ।
ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଥିଲେ ଯେ, ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ବିଶେଷ ଗୁରୁତ୍ବ ଦେଉଛନ୍ତି। ନୂତନ ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ ଓ ଏହାର ବିକାଶ କରୁଛନ୍ତି। ସରକାରଙ୍କ ପକ୍ଷରୁ ୧୩ଟି ପର୍ଯ୍ୟଟନସ୍ଥଳୀର ବିକାଶ ତ୍ବରାନ୍ବିତ ଲାଗି ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇ କାର୍ଯ୍ୟ ହାତକୁ ନିଆଯାଇଛି। ନିକଟେର ଧଉଳି, ରଘୁରାଜପୁର ଓ ଶିଖରଚଣ୍ଡୀର ଉନ୍ନତିକରଣ କରାଯିବ। ରାଜ୍ୟରେ ୪୯ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ୨୬ଟି ଲାଗି ବ୍ୟୟବରାଦ କରାଯାଇଛି। ଏବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ, ପୁଟ୍ସିଲ ଓ ସୋନପୁରଠାରେ ଇକୋ ରିଟ୍ରିଟ କରାଯିବ। ଚିଲିକା ଓ ହୀରାକୁଦରେ ଗୋଟିଏ ଲେଖାଏଁ ‘କ୍ରୁଇଜ ବୋଟ୍’ ଚଳାଚଳ କରିବ ବୋଲି ମନ୍ତ୍ରୀ କହିବା ସହ ବିଭାଗର ୫୯୦.୦୮କୋଟି ଟଙ୍କାର ଖର୍ଚ୍ଚଦାବି ପ୍ରସ୍ତାବ ପାରିତ କରିବାକୁ ସଦସ୍ୟଙ୍କୁ ଅନୁରୋଧ କରିଥିଲେ।
ସେହିପରି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ, ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ବିଭାଗ ବିସ୍ତାରିତ ଉନ୍ନୟନ ଖସଡ଼ା ପ୍ରସ୍ତୁତ କରିଥାଏ। ସାମାଜିକ ନିରାପତ୍ତା, ସାଧାରଣ ଅର୍ଥନୈତିକ ସେବା, ଶସ୍ୟ ଉତ୍ପାଦନ ଓ ସଂରକ୍ଷଣ, ଜନଗଣନା ସର୍ବେକ୍ଷଣ, ଗୃହନିର୍ମାଣ ଆଦି କ୍ଷେତ୍ରକୁ ଗୁରୁତ୍ବ ଦେଇଥାଏ। ରାଜ୍ୟ ସରକାର ୧୯୯୭-୯୮ରୁ ସ୍ବତନ୍ତ୍ର ସମସ୍ୟାଜନିତ ପାଣ୍ଠି ଖର୍ଚ୍ଚକୁ ଗୁରୁତ୍ବ ଦେଉଛନ୍ତି। ଏବେ ସୁଦ୍ଧା ୧୦୦୨କୋଟି ବ୍ୟୟବରାଦ ହୋଇଥିବାବେଳେ ୬୬୧. ୯୧କୋଟି ଖର୍ଚ୍ଚ ହୋଇସାରିଲାଣି। କେବିକେ ଜିଲାରେ ବିଜୁଳି, ସଡ଼କ, ପାଣି ପ୍ରଭୃତି କ୍ଷେତ୍ର ଲାଗି ବିଜୁ କେବିକେ ପାଣ୍ଠି ୨୦୦୬-୦୭ରେ ପ୍ରଚଳନ କରାଯାଇଛି। ଇତିମଧ୍ୟରେ ୧୪୩୧କୋଟି ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇସାରିଲାଣି। ଏଣୁ ବିଭାଗର ଚଳିତବର୍ଷ ଲାଗି ଥିବା ୩୦୩୪.୭୬କୋଟି ଟଙ୍କାର ପ୍ରସ୍ତାବକୁ ପାରିତ କରିବାକୁ ସମସ୍ତ ସଦସ୍ୟଙ୍କ ଅନୁରୋଧ କରିଥିଲେ।
Comments are closed.