ସାମ୍ନାକୁ ଆସିଲା ମମତାଙ୍କ ଚତୁରତା
ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନରୁ ବିରତ ପ୍ରସଙ୍ଗ
ନୂଆଦିଲ୍ଲୀ/କଲକାତା : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣାରେ ତାଙ୍କ ସହ ପରାମର୍ଶ କରାଯାଇ ନ ଥିବା ଅଭିଯୋଗ କରି ମତଦାନରୁ ବିରତ ରହିବାକୁ ଘୋଷଣା କରିଥିବା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଅସଲ ଉଦ୍ଦେଶ୍ୟ ଏବେ ସାମ୍ନାକୁ ଆସିଛି । ଏନ୍ଡିଏ ପ୍ରାର୍ଥୀଙ୍କୁ ପରୋକ୍ଷ ସମର୍ଥନ ଦେବା ଲକ୍ଷ୍ୟରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଏକ ଘଟଣାରୁ ସୂଚନା ମିଳିଛି । ତିନି ଦିନ ପୂର୍ବେ ଦାର୍ଜିଲିଂରେ ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ମମତାଙ୍କୁ ନିଭୃତରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ଧନଖଡ଼ଙ୍କୁ ସମର୍ଥନ ବିଷୟରେ ଆଲୋଚନା ହୋଇଥିଲା ଏବଂ ଏହାର କୌଶଳ ନିର୍ଦ୍ଧାରଣ କରାଯାଇଥିଲା। ରାଷ୍ଟ୍ରପତି ନିର୍ବାଚନରେ ଆଗୁଆ ଭୂମିକା ନିଭାଗଇଥିବା ମମତା ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲ୍ଭାଙ୍କୁ ସମର୍ଥନ ନ କରିବା ସମ୍ଭବ ନୁହେଁ ; ତେଣୁ ପ୍ରାର୍ଥୀ ମନୋନୟନରେ ବିରୋଧୀ ଦଳ ନେତାମାନେ ତାଙ୍କ ସହ ଆଲୋଚନା କରି ନ ଥିବାରୁ ମମତା ଏହାକୁ ଆଧାର କରି ମତଦାନରୁ ବିରତ ରହିବାର ନାଟକ ରଚନା କରିଥିବା କୁହାଯାଉଛି । ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବ ନେଇ ତାଙ୍କର ସ୍ବର ପରିବର୍ତ୍ତନକୁ ଅନେକ ଲକ୍ଷ୍ୟ କରିଥିଲେ। ଯଶୋବନ୍ତ ସିହ୍ନାଙ୍କୁ ସେ ନିଜେ ପ୍ରାର୍ଥୀ କରିଥିଲେ ମଧ୍ୟ ନିର୍ବାଚନର ଶେଷ ଚରଣରେ ଶାସକ ଦଳ ଆଲୋଚନା କରିଥିଲେ ଦ୍ରୌପଦୀଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରାଯାଇପାରିଥାନ୍ତା ବୋଲି ମମତା କହିଥିଲେ। ତାଙ୍କର ଏପରି ମନ୍ତବ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପଟକୁ ଢ଼ଳିବାର ସୂଚନା ଦେଇଥିଲା। ଏବେ ଆଲ୍ଭାଙ୍କୁ ସମର୍ଥନ ନ କରିବାର କାରଣରୁ ମମତାଙ୍କ ମତିଗତି ସ୍ପଷ୍ଟ ହୋଇଛି।
ସୂଚନାନୁଯାୟୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମନୋନୟନ ସମ୍ପର୍କରେ ଆଲୋଚନା ପାଇଁ ମମତାଙ୍କୁ ଦୁଇ ଥର ଫୋନ୍ କରି କଥା ହୋଇଥିଲେ ଏବଂ ମମତା ତାଙ୍କୁ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏନ୍ସିପି ନେତା ଶରଦ ପୱାରଙ୍କ ସହ ଆଲୋଚନା କରି ସୋନିଆ ଯାହାଙ୍କୁ ପ୍ରାର୍ଥୀ କରିବେ ତାହାଙ୍କୁ ନିଶ୍ଚୟ ସେ ସମର୍ଥନ ଦେବେ ବୋଲି ମମତା କହିଥିଲେ ବୋଲି ଜଣାପଡ଼ିଛି । ଏମିତି କି ଶରଦ ପୱାରଙ୍କୁ ମଧ୍ୟ ସେ ସମାନ ପ୍ରତିଶ୍ରୁତି ଦେଇଥିଲେ ବୋଲି ସୂଚନା ମିଳିଛି। ଏପରି ସ୍ଥଳେ ମମତାଙ୍କ ମନ୍ତବ୍ୟ କେତେଦୂର ସତ୍ୟ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଧନଖଡ଼ ଓ ମମତାଙ୍କ ମଧ୍ୟରେ ଅହି-ନକୁଳର ସମ୍ପର୍କ ବେଶ୍ ଜଣାଶୁଣା । ଏହାସତ୍ତ୍ବେ ଉପରାଷ୍ଟ୍ରପତି ନିର୍ବାଚନରେ ତୃଣମୂଳ କଂଗ୍ରେସ ମତଦାନରୁ ବିରତ ରହିବା ଅର୍ଥ ଧନଖଡ଼ଙ୍କୁ ସମର୍ଥନ କରିବା। ମମତାଙ୍କ ଏହି ଚତୁର ନିଷ୍ପତ୍ତିର ଯଥାର୍ଥତା ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି ।
ଅପରପକ୍ଷରେ ବିରୋଧୀ ଦଳଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା ଶୁକ୍ରବାର ମମତାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିଛନ୍ତି। ସାମ୍ପ୍ରତିକ ସମୟ କ୍ରୋଧ ବା ଅହମିକା ପ୍ରଦର୍ଶନର ନୁହେଁ। ଏହି ନିର୍ବାଚନ ବିରୋଧୀ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଏବେ ବିରୋଧୀ ଏକତା ଓ ସାହସିକ ନେତୃତ୍ବ ପ୍ରଦର୍ଶନ କରିବାର ସମୟ। ମମତା ସାହସର ପ୍ରତୀକ। ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର ପୂର୍ବକ ତାଙ୍କୁ ସମର୍ଥନ କରିବେ ବୋଲି ଆଲ୍ଭା ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଶିବସେନା ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏନ୍ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ କରିବା ଦ୍ବାରା ବିରୋଧୀ ଏକତା ପ୍ରଭାବିତ ହୋଇଥିଲା। ଏବେ ମମତାଙ୍କ ନିଷ୍ପତ୍ତି ବିରୋଧୀ ଏକତା ପ୍ରତି ବଡ଼ ଧକ୍କା ହୋବକୁ ଯାଉଛି । ନ୍ୟାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା ଏହାକୁ ଗ୍ରୀକ୍ କାହାଣୀ ‘ସିମେରା’ ସହିତ ତୁଳନା କରି ବିରୋଧୀ ନେତାମାନେ ସ୍ବାର୍ଥ ତ୍ୟାଗ ନ କରିବା ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେେ ଏକତା ଅସମ୍ଭବ ବୋଲି କହିଛନ୍ତି।
Comments are closed.