ଯୁବ ଉଦ୍ୟମୀଙ୍କ ପାଇଁ ଜାଗୃତି ଯାତ୍ରା
ସମ୍ବଲପୁର : ଦେଶର ଯୁବ ଉଦ୍ୟମୀ ମାନଙ୍କ ପାଇଁ ଆସନ୍ତା ଡିସେମ୍ବର ୨୪ ତାରିଖରୁ ଚଳିତ ବର୍ଷର ଜାଗୃତି ଯାତ୍ରା ଆୟୋଜିତ ହେବ । ପ୍ରତି ବର୍ଷ ଏହି ଜାଗୃତି ଯାତ୍ରା ଦଳ ପକ୍ଷରୁ ଆୟୋଜିତ ହେଉଥିବା ବେଳେ କରୋନା ପାଇଁ ୨ ବର୍ଷ ଏହା ବନ୍ଦ ରହିଥିଲା । ସାରା ଭାରତର ବଛା ବଛା ଯୁବ ଉଦ୍ୟମୀଙ୍କୁ ନେଇ ଆୟୋଜିତ ହେଉଥିବା ଏହି ଯାତ୍ରା ସର୍ମ୍ପକରେ ସମ୍ବଲପୁର ଠାରେ ଜାଗୃତି ଯାତ୍ରା ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଶୁକ୍ରବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏହି ଯାତ୍ରା ୧୫ ଦିନ ପାଇଁ ରେଳ ଯୋଗେ ଆୟୋଜିତ ହୋଇଥାଏ ବୋଲି ସମ୍ବଲପୁର ଦଳର ମୁଖ୍ୟ ଗୋପାଳ ସାହା ଓ ଚେତନ ଟିବ୍ରେୱାଲ ସୂଚନା ଦେଇଛନ୍ତି। ଏହି ଯାତ୍ରାରେ ସାରା ଭାରତରୁ ପ୍ରାୟ ୨୦ ହଜାର ଯୁବ ଉଦ୍ୟମୀ ଆବେଦନ କରୁଥିବା ବେଳେ ମାତ୍ର ୫ ଶହ ଜଣଙ୍କୁ ଚୟନ କରାଯାଇ ଯାତ୍ରାରେ ସାମିଲ ହେବାକୁ ସୁଯୋଗ ଦିଆଯାଇଥାଏ । ପ୍ରତି ବର୍ଷ ଏହି ଯାତ୍ରା ପାଇଁ ଯୁବ ଉଦ୍ୟମୀ ମାନେ ଏହାର ଆଧିକାରିକ ୱେବସାଇଟ ଜରିଆରେ ପଞ୍ଜିକୃତ କରିବାର ବ୍ୟବସ୍ଥା କରା ଯାଇଛି । ଯୁବ ଉଦ୍ୟମୀଙ୍କ ବୟସ ୧୯ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ନିତାନ୍ତ ଆବଶ୍ୟକ। ଯେଉଁ ଯୁବ ଉଦମୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ରହିଥାଏ, ତାଙ୍କୁ ଆୟୋଜକ ମାନଙ୍କ ତରଫରୁ ବୃତ୍ତି ଦିଆଯାଇ ଯାତ୍ରାରେ ସାମିଲ କରାଯାଇଥାଏ । ଯୁବ ଉଦ୍ୟମୀ ମାନେ ଏହି ଯାତ୍ରା ପ୍ରତି ବର୍ଷ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ଆରମ୍ଭ ହୋଇ ୮ ହଜାର କିଲୋମିଟର ରେଳ ଯୋଗେ ଯାତ୍ରା କରିବା ପରେ ପୁର୍ନବାର ୧୫ ଦିନ ପରେ ମୁମ୍ବାଇ ଠାରେ ଶେଷ ହୋଇଥାଏ । ଚଳିତ ବର୍ଷ ଏହା ଡିସେମ୍ବର ୨୪ ରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରେ ଶେଷ ହେବ । ଏହି ଯାତ୍ରାରେ ସମୁଦାୟ ୧୨ଟି ରହଣି ସ୍ଥଳ ଯଥା ମୁମ୍ବାଇ, ହୁବଲି, ବାଙ୍ଗାଲୁରୁ, ମଦୁରାଇ, ଚେନ୍ନାଇ, ବିଖାପଟନମ, ବ୍ରହ୍ମପୁର, ରାଜଗିର, ଦେଓରିଆ, ନୂଆଦିଲ୍ଲୀ, ତିଲୋନିଆ, ଅହମହଦାବାଦରେ ରହଣି କରି ମୁମ୍ବାଇ ଠାରେ ଉଦଯାପିତ ହେବ । ଏହି ଯାତ୍ରା ସମୟରେ ଦେଶର ପ୍ରତିଷ୍ଠିତ ସଫଳ ଉଦ୍ୟୋଗୀ, ପ୍ରତିଷ୍ଠିତ ବ୍ୟକ୍ତି, ସଫଳ ବ୍ୟବସାୟୀ ଙ୍କ ଯୁବ ଉଦ୍ୟମୀଙ୍କୁ ସିଧାସଳକ ଆଲୋଚନାର ସୁଯୋଗ ମିଳବା ସହିତ ଦେଶର ବିକାଶ ଓ ରୋଜଗାର ସୃଷ୍ଟି କରି ଆତ୍ମନିର୍ଭର ପାଇଁ ନୂତନ ଉପାୟ ଗୁଡିକର ଆଦାନପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସାହା ଓ ଟିବ୍ରେୱାଲ ସୂଚନା ଦେଇଛନ୍ତି ।
Comments are closed.