ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଆଠଗଡ : ଆଠଗଡ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ତଥା ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ହେମନ୍ତ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗତ ୨ବର୍ଷ ଧରି କରୋନା କଟକଣା ଯୋଗୁଁ ବିନା ପ୍ୟାରେଡରେ ନିରାଡମ୍ବର ଭାବେ ଜାତୀୟ ଦିବସ ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ଏହା ଯଥାରୀତି ପାଳନ କରିବା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ତେବେ ଚତୁର୍ଥ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ସ୍ୱାଧୀନତା ଦିବସ ପାଳନ ପାଇଁ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ଏହି ଜାତୀୟ ଦିବସ ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ତେବେ ସ୍ୱଭାବିକ ଭାବେ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଆଠଗଡ ପ୍ରଶାସନ ନିଷ୍ପତ୍ତି ନେଇଛି ।
ସ୍ୱାଧୀନତା ଦିବସ ଦିନ ଭୋର ସମୟରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୂନ ପ୍ରଚାର, ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ସକାଳ ୭.୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଆଠଗଡ ମୁଖ୍ୟ କ୍ରୀଡାଙ୍ଗନରେ ସକାଳ ଉପ- ଖଣ୍ଡସ୍ତରୀୟ ପ୍ୟାରେଡ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ସକାଳ ୯.୧୫ମିନିଟରେ ମୁଖ୍ୟଅତିଥି ତଥା ଉପ-ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ। ଯଦି କୌଣସି କୋଭିଡ କଟକଣା ଲାଗୁ ନହୁଏ ତେବେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧ ସଙ୍ଗୀତ ଆବୃତ୍ତି, ଓଡିଆ ଓ ଇଂରାଜୀ ବକ୍ତୃତା, ଦେଶାତ୍ମବୋଧ ସଙ୍ଗୀତ ଗାନ, ଚିତ୍ରକଳା ଏବଂ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥି ସହିତ ସମ୍ମିଳିତ ପ୍ୟାରେଡରେ ଯୋଗ ଦେଇଥିବା ଦଳ ଗୁଡିକୁ, ବ୍ଲକସ୍ତରରେ ମାଟ୍ରିକ ଏବଂ +୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ।
ରାଜ୍ୟ ସରକାର ଯଦି କୋଭିଡ ସଂକ୍ରମଣ ପାଇଁ କୌଣସି କଟକଣା ଜାରି କରନ୍ତି ତେବେ ଏହି ସମସ୍ତ କାର୍ଯ୍ୟକ୍ରମ ଓ ସ୍ଥାନ ଆଦି ପରିବର୍ତ୍ତନ ଲାଗି ଉପଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ତହସିଲଦାର ପ୍ରିୟବ୍ରତ ଦାସ, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଥାନା ଭାରପ୍ରାପ୍ତ ନିରୀକ୍ଷକ ବାମଦେବ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Comments are closed.