ରାସ୍ତାରୁ ଛାଲ ଉତୁରି ଗଲାଣି ପୋଲ ତିଆରି କାମ ଆରମ୍ଭରୁ ଠପ୍, ପୁରଣା ରାଞ୍ଚି ରୋଡ୍ର ଅବସ୍ଥା କହିଲେ ନସରେ
ରେଙ୍ଗାଲି – ସିନ୍ଦୁରପଙ୍କ ଛାକରୁ ପରମାଣପୁର ,ସୋଢାମାଲ ତଥା ବମାରା ଅଞ୍ଚଳ ଦେଇ ରାଞ୍ଚି କୁ ସଂଯୋଗ କରୁଥିବା ପୁରୁଣା ରାଞ୍ଚିରୋଡ୍ ହେଉଛି ଅବିଭକ୍ତ ସମ୍ବଲପୁର ଜିଲ୍ଲା ର ସବୁଠାରୁ ପୁରାତନ ରାସ୍ତା । ବ୍ରିଟିଶ୍ ଅମଳରୁ ଏହି ରାସ୍ତାରେ ଯାତାୟତ ହେଉଛି । ଏହି ରାସ୍ତାର ଅବସ୍ଥା ଏବେ ଅତି ଖରାପ । ବିଭିନ୍ନ ସ୍ଥାନରେ ରାସ୍ତାରୁ ଛାଲ ଉତୁରି ଗଲାଣି। ବର୍ଷା ପାଣି ଜମି ରହି ଏହା ଆହୁରି ବିପଦପୂର୍ଣ୍ଣ ହୋଇଯାଇଛି । ଲାଉମାଲ ଛକ ଏବଂ ରୁନିମହୁଲ ମଝିରେ ଚୁହୁକିକଟା ନିକଟରେ ଥିବା ପୋଲ ଅତି ପୁରୁଣା । ସଙ୍କୀର୍ଣ୍ଣ ପୋଲ ସହ ଅତି ଦୟନୀୟ ଅବସ୍ଥା ଯୋଗୁଁ, ବିପଦପୂର୍ଣ୍ଣ ଅବସ୍ଥାରେ ମାଲବୋଝେଇ ଟ୍ରକ ଏବଂ ଲୋକମାନେ ଯାତାୟତ କରୁଛନ୍ତି । ପୋଲ ଉପରର କେତକ ବାଡ ଭୁଶୁଡି ପଡିଲାଣି ।
ଲୋକଙ୍କ ଦାବି ପରେ କିଛିଦିନ ପୂର୍ବରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ଏବେ ତାହା ବନ୍ଦ ରହିଛି । ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ପୋଲ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିବା ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ନିରୋଦ ଦଳବେହେରା ସୂଚନା ଦେଇଛନ୍ତି । ବର୍ଷା ଋତୁପରେ ପୋଲି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ଖୁବ ଶୀଘ୍ର ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।
Comments are closed.