ଦବୁଛି ଜେଟି, ଉପକୂଳ ବାସୀ ଆତଙ୍କିତ

ତାଳସାରିରୁ କୀର୍ତ୍ତନିଆ କୂଳ ଖାଉଛି ବଙ୍ଗୋପସାଗର

ଚନ୍ଦନେଶ୍ୱର,୧୪ା୭(ନିପ୍ର): ଦିନକୁ ଦିନ ବଙ୍ଗୋପସାଗର ଅଶାନ୍ତ ହେବାରେ ଲାଗିଛି। ପ୍ରବଳ ଜୁଆର ମାଡରେ ତାଳସାରିରୁ କୀର୍ତନିଆ ୧୪ କିମି କୂଳ ଖାଇବାରେ ଲାଗିଛି। ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଉପକୂଳିଆ ଅଞ୍ଚଳବାସୀ। ସୁବର୍ଣ୍ଣ ଦ୍ବୀପର ଝାଉଁ ଜଙ୍ଗଲ ଉଜୁଡି ଯିବାକୁ ବସିଛି। ତାଳସାରି ଓ କୀର୍ତନିଆ ଜେଟି ଦବିବାରେ ଲାଗିଛି। ଏହାର ପ୍ରତିକାର ଲାଗି ପଥର ବନ୍ଧ ନିର୍ମାଣ କରିବାକୁ ଦାବି ହେଉଛି।
ଭୋଗରାଇର ଉଦୟପୁର ସୀମାରୁ କୀର୍ତନିଆ ପର୍ଯ୍ୟନ୍ତ ପ୍ରାୟ ୧୪ କିମି ବଙ୍ଗୋପସାଗରକୁ ଛୁଇଁଛି। ଉଦୟପୁରରୁ ତାଳସାରି ୨.୭ କିମି ଓ କୀର୍ତନିଆ ଜେଟି ଠାରେ ୮ ଶହ ମିଟର ପଥର ବନ୍ଧ ରହିଛି। ଅନ୍ୟ ସବୁଠି କୂଳ ମୁକୁଳା ପଡ଼ିଛି। ଗତ ‘ୟସ’ ପ୍ରଭାବରେ ତାଳସାରିର ପ୍ରାୟ ସମସ୍ତ ଦୋକାନ ନିଶ୍ଚିହ୍ନ ହୋଇଯାଇଥିଲା। ବିଶେଷ କରି ସମୁଦ୍ର କୂଳିଆ ଗାଁ କୃଷ୍ଣନଗର, କନ୍ୟାନଗରୀ, ବିଚିତ୍ରପୁର, ଖଡିବିଲ, ବଡପାହି, ଚନ୍ଦ୍ରାବାଲି, କୀର୍ତନିଆ ଆଦି ଗାଁର ବହୁ ଲୋକଙ୍କ ଘରେ ପାଣି ମାଡି ଯାଇଥିଲା। ବହୁ ଜମିରେ ଲୁଣିପାଣି ମାଡିବା ଯୋଗୁଁ ଚାଷ ହେଉନାହିଁ। ଦୀର୍ଘ ଦିନ ପରେ ବ୍ୟବସାୟୀମାନେ କରଜ କରି ପୁଣି ବେଉସା ଆରମ୍ଭ କରିଛନ୍ତି। ହେଲେ ଲଘୁଚାପ, ଅମାବାସ୍ୟା ଓ ପୂର୍ଣ୍ଣମୀ ତିଥିରେ ସମୁଦ୍ର ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେଉଛି। ୬ ଫୁଟ ଉଚ୍ଚର ଲହଡି ସବୁ କୂଳ ଆଡକୁ ମାଡି ଆସୁଛି। ଝାଉଁ ଗଛ ଧରାଶାୟୀ କରିବା ସହିତ ସୁବର୍ଣ୍ଣ ଦ୍ବୀପକୁ ଶେଷ କରିବାକୁ ବସିଛି। ପ୍ରତିବର୍ଷ ଏଭଳି ପରିସ୍ଥିତି ଉପୁଜୁ ଥିଲେ ବି ଏଥିପ୍ରତି ବିଭାଗର ନିଘା ନାହିଁ। ଏ ନେଇ ଉଦୟପୁର ବନପାଳ ଅଜୟ କୁମାର ଜେନା କହନ୍ତି ଝାଉଁ ଜଙ୍ଗଲକୁ ସମୁଦ୍ର ଶେଷ କରି ଦେଲାଣି, ହେଲେ ଉପାୟ କିଛି ନାହିଁ। ଏବେ ଲଘୁଚାପ ଓ ସାମୁଦ୍ରିକ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ପ୍ରବଳ ଜୁଆର ମଧ୍ୟ ହେଉଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପାନ୍ତବାସୀଙ୍କ ଆଖିରୁ ନିଦ ହଜି ଗଲାଣି। ଏଠାରେ ଉଲ୍ଲେଖ କରାଯାଇପାରେ, ଜଳ ସମ୍ପଦ ବିଭାଗ ପକ୍ଷରୁ କୃଷ୍ଣନଗର ଅଞ୍ଚଳର ୨ କିମି ଓ କୀର୍ତନିଆର ୧୧ ଶହ ମିଟର ପଥର ବନ୍ଧ ପାଇଁ ପ୍ରସ୍ତାବ ଯାଇ ଅନୁମୋଦନ ମଧ୍ୟ ହୋଇ ସାରିଛି। ମାତ୍ର ଅର୍ଥ ମଞ୍ଜୁର ହୋଇ ନଥିବାରୁ କାର୍ଯ୍ୟ ଆରମ୍ଭ ହେଉନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହାଛଡା ପଶ୍ଚିମବଙ୍ଗର ଦୀଘା ମଧ୍ୟ ଜୁଆର ମାଡ଼ରେ ଜଳାର୍ଣ୍ଣବ ହୋଇ ଉଠିଛି। ପଥର ବନ୍ଧ ଉପରକୁ ପାଣି ଉଛୁଳି ବଜାର ମଧ୍ୟକୁ ପ୍ରବେଶ କରୁଥିବା ନଜରକୁ ଆସୁଛି। ଯଥାଶୀଘ୍ର ପଥର ବନ୍ଧ କାର୍ଯ୍ୟ ଆରମ୍ଭ ନହେଲେ ପୁଣି ସମୁଦ୍ର ବ୍ୟାପକ କ୍ଷୟକ୍ଷତି କରିବ , ଏହାକୁ ନେଇ ଅଞ୍ଚଳବାସୀ ଶଙ୍କାରେ ରହିଛନ୍ତି।

kalyan agarbati

Comments are closed.