ଓସାକା ପକ୍ଷରୁ ସମ୍ବଲପୁର ନାନ୍ଦେଡ ଟ୍ରେନର ପ୍ରତ୍ୟେହ ଚଳାଚଳ ଦାବି
ସମ୍ବଲପୁର : ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦ ଠାରେ ରହୁଥିବା ପଶ୍ଚିମ ଓଡିଶାବାସୀଙ୍କ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସାମାଜିକ ସଙ୍ଗଠନ ‘ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ପଶ୍ଚିମ ଓଡିଶାର ସମ୍ବଲପୁରରୁ ନାନ୍ଦେଡକୁ ଚଳାଚଳ କରୁଥିବା ରେଳଗାଡିକୁ ପ୍ରତ୍ୟେହ ଚଳାଚଳ କରିବା ପାଇଁ ଦାବି କରାଯାଇଛି । ଏହି ମର୍ମରେ ହାଇଦ୍ରାବାଦ ଠାରେ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଓସାକାର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କରୋନା ପରେ ବର୍ତ୍ତମାନ ସମ୍ବଲପୁର – ନାନ୍ଦେଡ ନାଗାବଳୀ ଏକ୍ସପ୍ରେସ ରେଳଗାଡି ସପ୍ତାହକୁ ମାତ୍ର ୩ ଦିନ ଚଳାଚଳ କରୁଥିବା ବେଳେ ପଶ୍ଚିମ ଓଡିଶାବାସୀ ଜରୁରୀ କାଳୀନ କାର୍ଯ୍ୟ ଓ ଚିକିତ୍ସା ସେବା ପାଇଁ ହାଇଦ୍ରାବାଦକୁ ଆସିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇଦ୍ରାବାଦ ଠାରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ସହିତ ଜୀବିକା ଅର୍ଜନ ପାଇଁ ଅଧିକ ସୁଯୋଗ ଥିବା ଦୃଷ୍ଟିରୁ ପଶ୍ଚିମ ଓଡିଶାବାସୀ ବିଭିନ୍ନ ପ୍ରକାରରେ ନିର୍ଭର ରହିଛନ୍ତି । ଏଣୁ ନାଗାବଳୀ ଏକ୍ସପ୍ରେସକୁ ଝାରସୁଗୁଡା ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବା ସହିତ ପ୍ରତିଦିନ ଚଳାଚଳ କରିବାକୁ ଦାବି କରାଯାଇଛି । ଏହି ଅବସରରେ ଓସାକା ହାଇଦ୍ରାବାଦ ପକ୍ଷରୁ ନୁଆଁଖାଇଁ ସ୍ମରଣୀକା ‘ମାଟିର ମହକ’ ମଧ୍ୟ ଉଭୟ ସାଂସଦଙ୍କୁ ପ୍ରଦାନ କରାଯାଇଥିଲା । ସାକ୍ଷାତ କରିଥିବା ପ୍ରତିନିଧି ମଣ୍ଡଳରେ ଓସାକାର ବରିଷ୍ଠ ସଦସ୍ୟ କୁମୁଦ ରଞ୍ଜନ ପଣ୍ଡା, ସୁନୀଲ କୁମାର ଗର୍ଡତିଆ, ସଭାପତି ରାମକୃଷ୍ଣ ବାରିକ, ଶଙ୍କର ସାହୁ, ପଦ୍ମନାଭ ପ୍ରଧାନ, ସୁଧାଂଶୁ ତ୍ରିପାଠୀ, ଅଜିତ ପ୍ରଧାନ ଏବଂ ନୀଳାଞ୍ଚଳ ପ୍ରଧାନ ସାମିଲ ରହିଥିଲେ।
Comments are closed.