୨୦୧୯ ଅଟକଳ; କ୍ଷେତରୁ ଅମଳ

0

ଭୁବନେଶ୍ୱର: ୨୦୧୮-୧୯ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଧାନସଭାରେ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ବିଜେଡ଼ି ସରକାରଙ୍କ ଚତୁର୍ଥ ପାଳି ସରକାରରେ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ବଜେଟ। ୨୦୧୯ ହେଉଛି ନିର୍ବାଚନର ବର୍ଷ। ତେଣୁ ଆଗାମୀ ବଜେଟକୁ ଲୋକାଭିମୁଖୀ କରିବା ପାଇଁ ସରକାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ସେଥିପାଇଁ ବଜେଟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ରର ବିକାଶ ପ୍ରତି ଯଥେଷ୍ଟ ଧ୍ୟାନ ଦେଇଛନ୍ତି। ବିଶେଷ କରି କୃଷି ଓ କୃଷକଙ୍କ ଲାଗି ବଜେଟ୍‌ରେ ଅଧିକ ଅର୍ଥ ବରାଦ କରାଯାଇଛି। ୨୦୧୯ ଅଟକଳ ହେଉଛି ବିଜେଡିର କ୍ଷେତରୁ ଅମଳ (ଭୋଟ)ଲକ୍ଷ୍ୟ। ତେବେ ବଜେଟରେ ଅନ୍ୟ କ୍ଷେତ୍ର ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଅର୍ଥମନ୍ତ୍ରୀ ତାଙ୍କ ୧ଘଣ୍ଟା ୩୭ ମିନିଟର ଭାଷଣ ଭିତରେ କୃଷି ଓ ସାଧାରଣ ବଜେଟ ଅଭିଭାଷଣ ରଖିବା ସହିତ ଆଗାମୀ ଦିନର ପୁଞ୍ଜି ନିବେଶ, ଅଭିବୃଦ୍ଧି, ବିକାଶ ଓ ଭିତ୍ତିଭୂମି ଉନ୍ନୟନର ସାମଗ୍ରିକ ଚିତ୍ର ଉପସ୍ଥାପନ କରିଛନ୍ତି।
୨୦୧୭-୧୮ଆର୍ଥିକବର୍ଷ ତୁଳନାରେ ଆସନ୍ତା ଆର୍ଥିକବର୍ଷ ପାଇଁ ଉପସ୍ଥାପିତ ବଜେଟ ପରିମାଣ ୧୨.୩% ଅଧିକ। ବଜେଟରେ କୌଣସି ନୂଆ ଟିକସର ବ୍ୟବସ୍ଥା ନଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। କୃଷି ବଜେଟ ଓ ସାଧାରଣ ବଜେଟ ଉପସ୍ଥାପନ ପରିପ୍ରେକ୍ଷୀରେ ୨୦୧୮-୧୯ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସ୍ଥିର ମୂଲ୍ୟ ଅନୁଯାୟୀ ୭.୧୪ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଏହା ଜାତୀୟସ୍ତରରେ ଅଭିବୃଦ୍ଧି ହାର ଠାରୁ ଅଧିକ। ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମରେ ନିର୍ଦ୍ଧାରିତ ଆର୍ଥିକ ସୂଚକାଙ୍କ ହାସଲ କରିବାରେ ରାଜ୍ୟ ସମର୍ଥ ହୋଇଛିି। ଚଳିତ ବଜେଟରେ ପୁଞ୍ଜି ବ୍ୟୟ ଅଟକଳ ୨୪ ହଜାର ୫୬୭ କୋଟି ଟଙ୍କା ରହିଥିବା ବେଳେ ଏହା ସାମଗ୍ରିକ ଘରୋଇ ଉତ୍ପାଦର ୫.୫ ପ୍ରତିଶତ ଅଟେ। ପ୍ରଥମ ଥର ପାଇଁ ୨୦୧୮-୧୯ ବଜେଟରେ କାର୍ୟ୍ୟକ୍ରମ ବ୍ୟୟ ବଜେଟର ସମ୍ପୂର୍ଣ୍ଣ ବ୍ୟୟ ଅଟକଳର ଅଧାରୁ ଅଧିକ ରହିଛି।
ବ୍ୟୟ ଅଟକଳ ପାଇଁ ରାଜସ୍ୱ ପ୍ରାପ୍ତିରୁ ୧ଲକ୍ଷ ୨୦୦ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ପ୍ରାପ୍ତିରୁ ୧୯ ହଜାର ୬୭୮ କୋଟି ଟଙ୍କା ଭରଣା କରାଯିବାକୁ ଆକଳନ କରାଯାଇଛି। ସରକାର ଏହି ଆର୍ଥିକବର୍ଷରେ ୧୫ ହଜାର ୪୬୦ କୋଟି ଟଙ୍କା ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ପୋଷଣୀୟ ସ୍ତରରେ ରହିବ ବୋଲି ଦର୍ଶାଯାଇଛି। ରାଜସ୍ୱ ପ୍ରାପ୍ତିରୁ କେନ୍ଦ୍ରୀୟ ଟିକସ ବାବଦ ରାଜ୍ୟ
ଅଂଶ ୩୬, ୫୮୬କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ୨୮ହଜାର ୫୫୦ କୋଟି, ରାଜ୍ୟ ଅଣଟିକସ ରାଜସ୍ୱ ୧୦ହଜାର ୩୦୦ କୋଟି
ଏବଂ କେନ୍ଦ୍ରୀୟ ଅନୁଦାନ ୨୪ ହଜାର ୭୬୪ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଜିଏସଟି କ୍ଷତିପୂରଣ ନିମନ୍ତେ ପ୍ରତିବର୍ଷ ୧୪% ଅଭିବୃଦ୍ଧି ହାରରେ କ୍ଷତିପୂରଣ ପରିମାଣ ନିରୂପଣ କରାଯାଉଛି। ପ୍ରତି ଦୁଇମାସରେ ରାଜ୍ୟ କ୍ଷତିପୂରଣ ପାଉଛି। ମାସକୁ ପ୍ରାୟ ୩୦୦ କୋଟି ଟଙ୍କା ଏବାବଦରେ ମିଳୁଛି।
ବଜେଟରେ ଶିକ୍ଷା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ବାଧିକ ୧୯ ହଜାର ୬୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି ଟଙ୍କା, ମଧ୍ୟାହ୍ନଭୋଜନ ପାଇଁ ୮୮୦ କୋଟି ଏବଂ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାବ୍ୟତୀତ ମଧ୍ୟାହ୍ନଭୋଜନ ରୋଷେଇ ଖର୍ଚ୍ଚ ପାଇଁ ସରକାର ୮୫କୋଟି ଟଙ୍କା ଦେବେ। ଗଙ୍ଗାଧର ମେହର ଶିକ୍ଷାମାନକ ବୃଦ୍ଧି ଯୋଜନା ଅଧୀନରେ ପ୍ରଥମଶ୍ରେଣୀରୁ ପଞ୍ଚମଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ସ୍କୁଲ ବ୍ୟାଗ, ଅଷ୍ଟମଶ୍ରେଣୀ ପର୍ୟ୍ୟନ୍ତ ପିଲାଙ୍କୁ ମାଗଣା ବହି, ଜୋତା ସମେତ ୟୁନିଫର୍ମ ଦିଆଯିବ। ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ନବମ ଶ୍ରେଣୀ, ସଂସ୍କୃତ ଟୋଲ ଓ ମଦ୍ରାସାରେ ପଢ଼ୁଥିବା ପିଲାଙ୍କୁ ସାଇକଲ ପ୍ରଦାନ ବାବଦରେ ୩୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟର ୨୧ ଟି ଜିଲାରେ ୧୬୦ଟି ଆଦର୍ଶ ବିଦ୍ୟାଳୟ ରହିଛି। ଆସନ୍ତା ଆର୍ଥିକବର୍ଷରେ ଆଉ ୪୦ଟି ବିଦ୍ୟାଳୟ ଖୋଲିବ। ଏଥିପାଇଁ ୨୫୦କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପାଇଁ ୬କୋଟି ଟଙ୍କା ଓ ଭୁବନେଶ୍ୱର ସୈନିକ ସ୍କୁଲ ପାଇଁ ୩କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ବାବଦରେ ୪୦ ହଜାର କୃତୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯିବ। ପ୍ରତି ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫ହଜାର ଟଙ୍କା ପ୍ରଦାନ କରାଯିବ।
ଅନୁସୂଚିତ ଜନଜାତି ଓ ଜାତି ବର୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଦକ୍ଷତା ବିକାଶକୁ ବଜେଟରେ ଗୁରୁତ୍ୱ ଦିଆଯିବା ସହିତ ୧୦୦ଟି ଛାତ୍ରାବାସ ଓ ଛାତ୍ରୀ ନିବାସ ନିର୍ମାଣ ଯୋଜନା ରହିଛି। ସେମାନଙ୍କ ପାଇଁ କାର୍ୟ୍ୟକାରୀ ହେଉଥିବା ଅନ୍ୱେଷା ଯୋଜନାରେ ୩୯କୋଟି ଟଙ୍କା ବରାଦ କରାଯାଇଛି। ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଭିତ୍ତିଭୂମିର ବିକାଶ ପାଇଁ ୧୮୨କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯେଉଁଥିରେ ଲାପଟପ ବିତରଣ, ବୃତ୍ତି ସମ୍ପର୍କିତ ପରାମର୍ଶ ଏବଂ ପ୍ରଶିକ୍ଷଣ ପାଇଁ ୪୨କୋଟି ଟଙ୍କା ରଖାଯାଇଛି। ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୫୩ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖାଯାଇଛି। ଆକାଂକ୍ଷା ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ନଗରାଞ୍ଚଳରେ ଛାତ୍ରାବାସ ନିର୍ମାଣ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ବୈଷୟିକ ବିଶ୍ୱବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ ଓ ଆଇଟିଆଇ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୨୮୦ କୋଟି ଟଙ୍କା ରଖାଯାଇଛି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ବିଭିନ୍ନ ବିଭାଗରେ ପ୍ରାୟ ୨ଲକ୍ଷ ୫୦ ହଜାର ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଯୋଜନା ହାତକୁ ନିଆଯାଇଛି।
ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ଯୋଜନାରେ ଭିତ୍ତିଭୂମି ବକାଶ ପାଇଁ ୭୦୦ କୋଟି ଟଙ୍କା ଏବଂ ସମ୍ପୂର୍ଣ୍ଣା ଯୋଜନା ପାଇଁ ୫୨ କୋଟି ଟଙ୍କା ବ୍ୟବସ୍ଥା ରହିଛିି। ଛାତ୍ରୀଙ୍କ ପାଇଁ ବିନା ମୂଲ୍ୟରେ ସାନିଟାରୀ ନାପକିନ ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ୫୦ କୋଟି ଟଙ୍କା ରଖାଯାଇଛି। ମୁଖ୍ୟମନ୍ତ୍ରୀ ସାର୍ବଜନୀନ ଚକ୍ଷୁ ଯତ୍ନ କାର୍ୟ୍ୟକ୍ରମ-ସୁନେତ୍ର ଯୋଜନା ଆରମ୍ଭ କରାଯାଇଛି। ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିମଳ ମାନବୃଦ୍ଧି ପାଇଁ ନିର୍ମଳ ଯୋଜନାରେ ୭୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ସଡ଼କ ଦୁର୍ଘଟଣାରେ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ପାଇଁ ୯ଟି ଟ୍ରମ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। ବିଜୁ ଶିଶୁ ସୁରକ୍ଷା ଯୋଜାନା ପାଇଁ ୨କୋଟି ଟଙ୍କା ମହିଳା ଓ ଶିଶୁ ବିକାଶ ପାଇଁ ୩୪୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।
ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଏବଂ ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳଯୋଗାଣ ଯୋଜନା ପାଇଁ ମୋଟ ୧ହଜାର ୩୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଆମ ଗାଁ ଆମ ବିକାଶ ଯୋଜନା ପାଇଁ ୧୨୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଗୋପବନ୍ଧୁ ଗ୍ରାମୀଣ ଯୋଜନା ପାଇଁ ୫୦୦ କୋଟି ଟଙ୍କା ରଖାଯାଇଛି। ଖାଦ୍ୟ ନିରାପତ୍ତା ଯୋଜନାରେ ୯୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥର ମଧ୍ୟ ସ୍ମାର୍ଟସିଟି ମିଶନକୁ ଗୁରୁତ୍ୱ ଦିଆଯାଇ ୪୦୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି।
ପୁରୁଷ ବିଶ୍ୱ କପ ହକି ପ୍ରତିଯୋଗିତାର ଆୟୋଜକ ଭାବେ ଭୁବନେଶ୍ୱରରେ ପରିବହନ ବ୍ୟବସ୍ଥାର ଉନ୍ନତିକରଣ କରାଯିବ। ଏବାବଦରେ ୧୨୫ କୋଟି ଟଙ୍କା ରଖାଯାଇଛି।
ନୂଆ ଯୋଜନାରେ ‘ଆମ ଘରେ ଏଲଇଡି ଲାଇଟ’ କାର୍ୟ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ସରକାର ବଜେଟରେ ୧୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସେହିଭଳି ପୂର୍ତ୍ତ ବିଭାଗ ମାଧ୍ୟମରେ ସେତୁ ରେଳ ଓଭରବ୍ରିଜ ନିର୍ମାଣ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଗ୍ରାମୀଣ ରାସ୍ତା ନିର୍ମାଣକୁ ପ୍ରାଧାନ୍ୟ ଦିଆଯାଇଛି। ବିମାନ ଅବତରଣ ପଡ଼ିଆ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।
ଆଭ୍ୟନ୍ତରୀଣ ନିରାପତ୍ତା ଓ ନ୍ୟାୟିକ ପ୍ରଶାସନ ପାଇଁ ୫୨୭୪ କୋଟି ଟଙ୍କା, ଆମ ଜଙ୍ଗଲ ଯୋଜନାରେ ୩୦ କୋଟି ଟଙ୍କା, ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨୧୩ କୋଟି, ହସ୍ତଶିଳ୍ପ ଓ ହସ୍ତତନ୍ତ ପାଇଁ ୧୯୦ କୋଟି ଟଙ୍କାର ବରାଦ ହୋଇଛି।
ପ୍ରଥମ ଥର ପାଇଁ ଆସନ୍ତା ବର୍ଷରୁ ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଏକ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୬୦ କୋଟି ଟଙ୍କା ବରାଦ କରାଯାଇଥିବା ବେଳେ କଳାମଣ୍ଡଳ ପ୍ରତିଷ୍ଠା ଏବଂ ପ୍ରେକ୍ଷାଳୟ ଓ କଳାମଣ୍ଡପର ଉନ୍ନତିକରଣ ପାଇଁ ୧୫ କୋଟି ଟଙ୍କା ରଖାଯାଇଛି। ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ପାଇଁ ସ୍ୱର୍ଣ୍ଣ ଯୋଜନାରେ ୧୦୦ କୋଟି ଟଙ୍କା, ସନ୍‍ ଆଣ୍ଡ ସ୍ୟାଣ୍ଡ ମାରାଥନ ପାଇଁ ୧୫ କୋଟି ଟଙ୍କା ବରାଦ କରାଯାଇଛି।
ବିଜୁ ଯୁବ ସଶକ୍ତୀକରଣ ଯୋଜନା ଏବଂ ଏହାର ଉପ ଯୋଜନା ‘ବିଜୁ ଯୁବ ବାହିନୀ’ ପାଇଁ ୧୦୩ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା ରହିଛି। ବିଜ୍ଞାନ, ଇଲେକଟ୍ରୋନିକ୍ସ ଓ ଆଇଟି ପାଇଁ ୧୧୩ କୋଟି, ଭୁବନେଶ୍ୱର ଆଇଆଇଟି ପାଇଁ ୧୪ କୋଟି, ବିପର୍ୟ୍ୟୟ ପ୍ରଶମନ ପାଇଁ ୧୫୦ କୋଟି ବ୍ୟୟବରାଦ ହୋଇଛି। ସେହିପରି ଯୋଜନା ଓ ସଂଯୋଜନା ବିଭାଗ ପାଇଁ ୯୩୫ କୋଟି, ୯ ଆଦିବାସୀ ଅଧ୍ୟୁଷିତ ଜିଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୬ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ବିଜୁ କେବିକେ ଯୋଜନା ପାଇଁ ୧୨୦ କୋଟି ଟଙ୍କା ରଖାଯାଇଥିବାବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ନିମନ୍ତେ ୮୦ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରଖାଯାଇଛି।
ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପାଇଁ ୧୪୭ କୋଟି ଟଙ୍କା, ଖଣିି କ୍ଷେତ୍ର ପାଇଁ ୧୧୪କୋଟି, ଜିଲାଗୁଡ଼ିକରେ ସ୍ୱତନ୍ତ୍ର ଉନ୍ନୟନ କାର୍ୟ୍ୟକ୍ରମ ପାଇଁ ୧୦୯ କୋଟି ଟଙ୍କା ରଖାଯାଇଛି।

Leave A Reply