ପର୍ଯ୍ୟଟକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ୩ ସଫାରୀ କର୍ମଚାରୀ ଗିରଫ
ତଦନ୍ତ ରିପୋର୍ଟ ମଗାଯାଇଛି: ଉପ ନିର୍ଦେଶକ
ନନ୍ଦନକାନନ : ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଛି। ନନ୍ଦନକାନନ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରି ସୋମବାର ଅଦାଲତ ଚାଲାଣ କରିଥିବାବେଳେ ଏକାଧିକ ଫେରାର ଥିବା ଜଣାପଡ଼ିଛି। ଗିରଫ ଯୁବକମାନେ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁ, କାହ୍ନୁ ମହାପାତ୍ର ଓ ଅମନ ପାଟ୍ଟସାହାଣୀ। ଏମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସଫାରୀ କର୍ମଚାରୀ।
ସୂଚନା ଅନୁଯାୟୀ, ଛତିଶଗଡ଼ ରାୟପୁରର ୨୬ଜଣ ପର୍ଯ୍ୟଟକ ରବିବାର ନନ୍ଦନକାନନ ବୁଲିବାକୁ ଆସିଥିଲେ। ସଫାରୀରେ ବୁଲିବା ପାଇଁ ଅପରାହ୍ଣରେ କାଉଣ୍ଟରରେ ପହଞ୍ଚି ଟିକଟ କାଟି ଧାଡ଼ିରେ ଛିଡ଼ା ହୋଇଥିଲେ। ମାତ୍ର ସେମାନଙ୍କୁ ବୁଲିବା ପାଇଁ ସୁଯୋଗ ମିଳିନଥିଲା। ଏହି ଘଟଣାକୁ ନେଇ ସଫାରୀ କାଉଣ୍ଟରରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ପରେ ପର୍ଯ୍ୟଟକଙ୍କୁ କର୍ମଚାରୀ ଠେଲାପେଲା କରିଥିଲେ। ସେମାନେ ଏହାକୁ ବିରୋଧ କରିବାରୁ ପ୍ରାୟ ୫୦ରୁ ଅଧିକ ବ୍ୟାଟେରି ଗାଡ଼ି ଓ ସଫାରୀ କର୍ମଚାରୀ ଏକାଠି ହୋଇ ପର୍ଯ୍ୟଟକଙ୍କୁ ବାଡ଼ି ଓ ଷ୍ଟିଲ୍ ରଡ୍ରେ ମାରପିଟ କରି ରକ୍ତାକ୍ତ କରିଥିଲେ। ଏଥିରେ ପର୍ଯ୍ୟଟକ ହିମାଂଶୁ ଗୁପ୍ତା, ହରିଶ ଗୁପ୍ତା, ଅନୁ ଗୁପ୍ତା, ରଣକ ଗୁପ୍ତା ପ୍ରମୁଖଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଘଟଣାର ଯାଞ୍ଚ କରାଯାଉଥିବା କହିଛନ୍ତି ନନ୍ଦନକାନନ ଉପ ନିର୍ଦେଶକ ଡ. ସଞ୍ଜିତ କୁମାର। ଆକ୍ରମଣ ଘଟଣାରେ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ତଦନ୍ତ ରିପୋର୍ଟ ମଗାଯାଇଛି। ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି।
ନିନ୍ଦିିତ ନନ୍ଦନକାନନ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା ବିଭାଗୀୟ ଅଧିକାରୀଙ୍କ ପ୍ରଶାସନିକ ସ୍ଥାଣୁତାକୁ ଅଙ୍ଗୁଳି ନିର୍ଦେଶ କରୁଛି। ରବିବାର ସଫାରୀ ଓ ବ୍ୟାଟେରିଚାଳିତ ଠିକା କର୍ମଚାରୀ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ପ୍ରାଣୀ ଉଦ୍ୟାନର ଛବିକୁ ନିନ୍ଦିତ କରିଛି। ଏଭଳି ଘଟଣା ଥରେ ନୁହେଁ ପ୍ରାୟ ପ୍ରତି ମାସରେ ୨ରୁ ୪ଥର ଘଟୁଥିଲେ ବି ଉଚ୍ଚ ଅଧିକାରୀଙ୍କ ଚେତା ପଶୁନାହିଁ। ଦିନକୁ ଦିନ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ଠିକାସଂସ୍ଥା କର୍ମଚାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିଲେ ହେଁ ସେଭଳି କଠୋର ପଦକ୍ଷେପ ନିଆଯାଉନାହିଁ।
ଅନ୍ୟପକ୍ଷେ ଟେଣ୍ଡର ନେବା ପାଇଁ ପ୍ରତିଯୋଗିତା ହେଉଥିବାରୁ ଠିକା ସଂସ୍ଥା ଲାଭ ଆଶାରେ ଅଧିକ ଦାମ୍ ଦେଇ ଟେଣ୍ଡର ନେଉଛନ୍ତି। ପରେ କ୍ଷତି ଆଶଙ୍କା କରି ଅଧିକ ଟଙ୍କାରେ ଟିକଟ ବିକ୍ରି କରି ପର୍ଯ୍ୟଟକଙ୍କୁ ନିରାଶ କରୁଛନ୍ତି। ସ୍ଥଳବିଶେଷରେ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। ଏସବୁ ସତ୍ତ୍ବେ ପ୍ରାଣୀଉଦ୍ୟାନ ପକ୍ଷରୁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଉଦ୍ୟାନରେ ବିଭିନ୍ନ ବିଭାଗ ପାଇଁ ଯେଉଁ ନିୟମ ରହିଛି ତା’ର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ପ୍ରଶାସନ ଏସବୁ ଜାଣି ମଧ୍ୟ ନିରବ ରହିଛି। ଏ ନେଇ ଉପନିର୍ଦେଶକ କହିଛନ୍ତି, ପର୍ଯ୍ୟଟକ ଆମ ପାଇଁ ଅତିଥି। ସେମାନଙ୍କୁ ଆକ୍ରମଣ ଅମାନୁଷିକ କାର୍ଯ୍ୟ।
Comments are closed.