ଭୁବନେଶ୍ବର: ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୨୬ରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇବ। ପଞ୍ଚାୟତ ନିର୍ବାଚନ ହେବା ସ୍ଥାନରେ ଆଜିଠାରୁ ଆଚରଣ ବିଧି ଲାଗୁ କରାଯାଇଛି। ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରାଯିବ। ପୂର୍ବରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କୁ ପୁଣି ଥରେ ନାମାଙ୍କନପତ୍ର ଦାଖଲ କରିବା ଦରକାର ନାହିଁ। ଯେଉଁମାନେ ନୂତନ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ କେବଳ ସେମାନେ ହିଁ ନାମାଙ୍କନପତ୍ର ଦାଖଲ କରିପାରିବେ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ଏପ୍ରିଲ ୨୯ରୁ ମେ’ ୨ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ ଏବଂ ମେ’ ୪ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ମେ’ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ ମେ’ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ମେ’ ୨୭ତାରିଖ ସକାଳ ୭ଟାରୁ ଦିନ ୧ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଏବଂ ମେ’ ୨୮ରେ ଭୋଟ ଗଣତି ହେବାକୁ ଥିବାବେଳେ ମେ’ ୩୧ରେ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।



