ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଜୀକୁ ସମ୍ପ୍ରସାରିତ
କୋଚ ଇଣ୍ଡିକେସନ ବୋର୍ଡ ଓ ପାଦଚଲା ପୋଲ ଉଦଘାଟିତ
ସମ୍ବଲପୁର – ପଶ୍ଚିମ ଓଡିଶାର ଟିଟିଲଗଡରୁ ପଶ୍ଚିମବଙ୍ଗର ରାଜଧାନୀ କୋଲକତା (ହାୱାଡା) ସହିତ ସଂଯୋଗ କରୁଥିବା ଯାତ୍ରୀବାହୀ ରେଳ ଇସ୍ପାତ ଏକ୍ସପ୍ରେସକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ମଙ୍ଗଳବାର ଏହି ସମ୍ପ୍ରସାରିତ ଏକ୍ସପ୍ରେସର ଏକ ଅଂଶ କଣ୍ଟାବାଞ୍ଜି ଠାରୁ ପୂର୍ବାହ୍ନ ୧୦ଟାରେ ଛାତି ସ୍ୱତନ୍ତ୍ର ରେଳ ରୂପେ ହାୱଡା ଯାତ୍ରାରମ୍ଭ କରିଛି ।
ଏହି ରେଳ ସେବା ଆସନ୍ତା ୧୪ ତାରିଖରୁ ହାୱଡାରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଦିନ ଗୁଡିକରେ ଚଳାଚଳ କରିବ । ସେହିଭଳି କଣ୍ଟାବାଞ୍ଜିରୁ ଆସନ୍ତା ୧୫ ତାରିଖରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ । ସମ୍ପ୍ରସାରିତ ଅଂଶରେ ଏହି ରେଳ ସପ୍ତାହରେ ୪ ଦିନ କଣ୍ଟାବାଞ୍ଜି ଓ ହାୱଡା ମଧ୍ୟରେ ଚଳାଚଳ କରିବ । ସପ୍ତାହର ଦିନ ଗୁଡିକରେ ଏହି ଯାତ୍ରୀବାହୀ ଦ୍ରୁତଗାମୀ ରେଳ ଟିଟିଲାଗଡ ରୁ ହାୱଡା ମଧ୍ୟରେ ଚଳାଚଳ କରିବ ।
ଏହି ସମ୍ପ୍ରସାରିତ ରେଳଗାଡିର ଉଦଘାଟନୀ ଉତ୍ସବରେ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ବଲାଙ୍ଗୀରର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିଥିଲେ । ରେଳଗାଡିର ଉଦଘାଟନ ପୂର୍ବରୁ ସାଂସଦ ସିଂହଦେଓ ଏବଂ ବିଧାୟକ ସାଲୁଜା କଣ୍ଟାବାଞ୍ଜି ରେଳ ଷ୍ଟେସନର ପ୍ଲାଟଫର୍ମ ସଂଖ୍ୟା ୧ ରୁ ୨ କୁ ସଂଯୋଗ କରୁଥିବା ଏକ ପାଦଚଲା ପୋଲ ଏବଂ ରେଳ ବଗି ରହଣି ସ୍ଥାନ ଜାଣିବା ନିମନ୍ତେ କୋଚ ଇଣ୍ଡିକେସନ ବୋର୍ଡର ଉଦଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସମ୍ବଲପୁର ରେଳ ମଣ୍ଡଳର ପ୍ରବନ୍ଧକ ପ୍ରଦୀପ କୁମାର ସଂଯୋଜନା କରିଥିଲେ ।
Comments are closed.