୧୧ ଗୋ ରକ୍ଷାକାରୀଙ୍କୁ ଆଜୀବନ କାରାଦଣ୍ଡ
ରାଞ୍ଚି: ଝାଡଖଣ୍ଡ ରାମଗଡ ଜିଲାରେ ୧୧ଜଣ ଗୋ ରକ୍ଷାକାରୀଙ୍କୁ ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଜଣେ ବିଜେପି ନେତା ରହିଛନ୍ତି। ଗୋ ମାଂସ ଚାଲାଣ ଅଭିଯୋଗରେ ଜଣେ ମୁସଲମାନ ବ୍ୟବସାୟୀଙ୍କୁ ଏମାନେ ପିଟିପିଟି ହତ୍ୟା କରିଥିଲେ। ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ଓମ୍ ପ୍ରକାଶ ଆଇପିସି ଧାରା ୩୦୨ ଓ ଅନ୍ୟ ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜୀବନ କାରାଦଣ୍ଡ ସହିତ ପ୍ରତ୍ୟେକ ଦୋଷୀ ଉପରେ ୨ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡ ଧାର୍ୟ୍ୟ ହୋଇଛି। ଗତବର୍ଷ ଜୁନ୍ ୨୯ରେ ଅସଗର ଅଲି ନାମରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିଥିଲେ। ଅଲି ତାଙ୍କ କାରରେ ଯାଉଥିବାବେଳେ ୧୦୦ରୁ ଊର୍ଦ୍ଧ୍ବ ଲୋକ ତାଙ୍କୁ ଅଟକାଇ ହତ୍ୟା କରିଥିଲେ। କାର୍ରେ ଗୋମାଂସ ଚାଲାଣ କରିବା ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୨ଜଣଙ୍କୁ ଗିରଫ କରାଯାଇଥିଲା। ଏଥିରୁ ଜଣେ ନାବାଳକ ଥିଲା।