ପୁଣି ଚକଡା ଚିନ୍ତାରେ ଚାଷୀ
ବଲାଙ୍ଗୀର: ପୁଣି ଫେରିଛି ଚକଡା ପୋକ, ଚିନ୍ତାରେ ଏବେ ଚାଷୀ । ଗତବର୍ଷ ଭଳି ଏବର୍ଷ ମଧ୍ୟ ଚକଡା ପୋକ ଯୋଗୁଁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ରୁ ଆସିଛି । ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ଚକଡା ପୋକ ତାର କାୟା ବିସ୍ତାର କରିବାରେ ଲାଗିଛି । ଯାହାକୁ ନେଇ ଏବେ ଚାଷୀ ଚିନ୍ତାରେ ପଡିଯାଇଛନ୍ତି । ଏନେଇ କୃଷି ଅଧିକାରୀଙ୍କ ନିକଟରେ ଗୁହାରି କରାଯାଇଥିଲେ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି ।
ଚକଡା ପୋକ ଲାଗିଥିବା ଧାନ ଗଛ ନେଇ ଚାଷୀମାନେ କୃଷି ବିଭାଗ କାର୍ଯ୍ୟାଳୟ ଯାଇଥିଲେ । କୃଷି ଅଧିକାରୀ କ୍ଷେତକୁ ନଆସି ଔଷଧ କିଣି କ୍ଷେତରେ ପକାଇବାକୁ ଚାଷୀଙ୍କୁ ପରାମର୍ଶ ଦେଇ ପଠାଇଥିଲେ । ପରେ ଚାଷୀମାନେ ସେହି ଔଷଧ କିଣି କ୍ଷେତରେ ପ୍ରୟୋଗ କରିଥିଲେ ମଧ୍ୟ ଚକଡ଼ା ପୋକ ନିୟନ୍ତ୍ରଣକୁ ଆସିବା ପରିବର୍ତ୍ତେ ଆହୁରି ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ, ଗତବର୍ଷ ବଲାଙ୍ଗୀର ଜିଲାରେ ଚକଡା ପୋକ ଯୋଗୁ ଫସଲ ନଷ୍ଟ ହେବା କାରଣରୁ ଅନେକ ଚାଷୀଙ୍କୁ ପ୍ରାଣ ହରାଇବାକୁ ପଡିଥିଲା। ଫସଲ ଉଜୁଡି ଯିବାରୁ ବୃନ୍ଦା ସାହୁ ନାମକ ଜଣେ ଚାଷୀ ଫସଲରେ ନିଆଁ ଲଗାଇବା ପରେ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଯାହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିଲା। ବୃନ୍ଦା ସାହୁ ଘରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସୁଅ ଛୁଟିଥିଲା । ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ପୁଅ ଓ ଝିଅଙ୍କ ପାଠପଢା ଖର୍ଚ୍ଚ ତୁଲାଇବେ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।
ସେହିପରି ସମ୍ବଲପୁରରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିମା ରାଶି ପ୍ରଦାନ ଦାବିରେ ଚାଷୀସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି ।