ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ପରିଷଦର ଅଧ୍ୟକ୍ଷ ପଦ ନିର୍ବାଚନରେ ଆଜି ଶାସକ ବିଜେଡ଼ିର କୁନ୍ତୀ ପ୍ରଧାନ ନିର୍ଦ୍ବନ୍ଦରେ ଅଧ୍ୟକ୍ଷା ନିର୍ବାଚିତ ହୋଇଥିବାର ଜଣାପଡ଼ିଛି।
ସୂଚନା ଯୋଗ୍ୟ, ୩୫ ଆସନ ବିଶିଷ୍ଟ ସୁନ୍ଦରଗଡ଼ ଜିଲା ପରିଷଦରେ ଶାସକ ବିଜେଡ଼ି ୩୩ଟି ଆସନ ଅକ୍ତିଆର କରିଥିବାରୁ ଅଧ୍ୟକ୍ଷା ପଦ ବିଜେଡ଼ି ହିଁ ରହିବ ବୋଲି ସ୍ପଷ୍ଟ ହୋଇଯାଇଥିଲା। ଆଜି ଏହି ପଦ ପାଇଁ କୁନ୍ତୀ ପ୍ରଧାନ ହିଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିର୍ଦ୍ଧାରିତ ସମୟ ପରେ କୁନ୍ତୀ ପ୍ରଧାନ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ନିଖିଲ ପବନ କଲ୍ୟାଣ, ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା, ଜିଲା ପଞ୍ଚାୟତ ଅଧିକାରୀ କୃଷ୍ଣଚନ୍ଦ୍ର ଅଢା ସମେତ ଅନ୍ୟାନ୍ୟ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନବନିର୍ବାଚିତ ଅଧ୍ୟକ୍ଷା ପ୍ରଧାନ ସଦର ନିର୍ବାଚନ ମଣ୍ଡଳୀର ଟାଙ୍ଗରପାଲି ‘ଖ’ ଜୋନରୁ ବିଜେଡ଼ିର ପ୍ରାର୍ଥିନୀ ଭାବେ ନିର୍ବାଚିତ ହୋଇଥିଲେ। ଏହି ପଦକୁ ନେଇ ବେଶ କେଇ ଦିନ ହେଲା ଚାଲିଥିବା ଛକାପଞ୍ଝାର ଆଜି ଅବସାନ ଘଟିଛି।



