ଅତାବିରା ବ୍ଲକ ଅଧ୍ୟକ୍ଷା ନିର୍ଦ୍ଵନ୍ଦରେ ନିର୍ବାଚିତ

ରେଙ୍ଗାଲିକେମ୍ପ୍ : ଅତାବିରା ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ଗୀତାଞ୍ଜଳି ନାଏକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଶନିବାର ସକାଳ ୧୧ ଟାରୁ ଅପରାହ୍ନ ଗୋଟାଏ ଭିତରେ ଅଧ୍ୟକ୍ଷା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ନିର୍ଦ୍ଧାରିତ ରହିଥିଲା। ମାତ୍ର ଏହି ସମୟ ଅବଧି ମଧ୍ୟରେ କେବଳ ଗୀତାଞ୍ଜଳି ନାଏକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ସମର୍ଥକ ଥିଲେ ମିତା ପତି ଓ ପ୍ରସ୍ତାବକ ଥିଲେ ଅର୍ଜୁନ ବିଭାର । ଅଧ୍ୟକ୍ଷା ନିର୍ବାଚନ ପାଇଁ ସ୍ବତନ୍ତ୍ର ଭାବରେ ଅତାବିରା ତହସିଲଦାର ସୌଭାଗ୍ୟ ବେହେରା ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଦିନ ୧ଟାରେ ସମୟ ଅବଧି ସରିବା ପରେ ଗୀତାଞ୍ଜଳି ନାଏକଙ୍କୁ ବ୍ଲକ ଅଧ୍ୟକ୍ଷା ରୂପେ ଘୋଷଣା କରାଯାଇଥିଲା। ଏହାପରେ ସମର୍ଥକ ତଥା ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା। ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଥାନା ଅଧିକାରୀ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ଦଳ ମୁତୟନ କରାଯାଇଥିଲା। ଅତାବିରାରେ ଲଗାତାର ତିନି ଥର ଧରି ବିଜେଡି ମହିଳା ଅଧ୍ୟକ୍ଷା ପଦବୀ ଅକ୍ତିଆର କରି ଆସୁଅଛି। ପ୍ରଥମେ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ରୁକ୍ମିଣୀ ମଲ୍ଲିକ, ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ରିତା ସାହୁ ଓ ପୁଣି ଏଥର ମହିଳା ଅଧ୍ୟକ୍ଷା ଭାବରେ ଅମଲିପାଲି ପଞ୍ଚାୟତର ଗୁତିପାଳି ଗ୍ରାମର ଗୀତାଞ୍ଜଳୀ ନାଏକ ନିର୍ବାଚିତ ହୋଇ ବିଜୟ ଲାଭ କରିଛନ୍ତି। ଗ୍ରାମଗୁଡ଼ିକର ବିକାଶ ତାଙ୍କର ମୁଖ୍ୟ ଆଭିମୁଖ୍ୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ବିଜୟ ପରେ ବ୍ଲକ କାର୍ୟ୍ୟାଳୟରୁ ବିପୁଳ ଶୋଭାଯାତ୍ରାରେ ବାହାରି ପ୍ରଥମେ ନିଜ ଜନ୍ମଦାତ୍ରି ମାଆଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେଇ ପରସ୍ପରକୁ ଆଲିଙ୍ଗନ କରି ବିଜୟର ଖୁସି ଜଣାଇଥିଲେ। ଏହାପରେ ମା’ ଦୁର୍ଗା ମନ୍ଦିରରେ ଶୋଭାଯାତ୍ରା ପହଞ୍ଚି ମା’ ଦୂର୍ଗାଙ୍କଠାରୁ ମଧ୍ୟ ଆଶୀର୍ବାଦ ଭିିିକ୍ଷା କରିଥିଲେ। ତାଙ୍କର ଏହି ବିଜୟ ପାଇଁ ସେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ତଥା ଜନ ସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି।

Comments are closed.