Patra electronics

ନନ୍ଦନକାନନରେ ପୁଣି ଧଳାବାଘ ; ୨ ଶାବକ ଜନ୍ମ ଦେଲା ବିଜୟା, ବାଘ ସଂଖ୍ୟା ୨୬କୁ ବୃଦ୍ଧି

0

ନନ୍ଦନକାନନ : ଶନିବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ପାଇଁ ଥିଲା ଖୁସିର ଦିନ। ନନ୍ଦନକାନନର ଧଳା ବାଘୁଣୀ ବିଜୟା ଶନିବାର ସକାଳ ୭ଟା ୫ରୁ ୮ ଟା ମଧ୍ୟରେ ଧଳା ଓ ସାଧାରଣ ରଙ୍ଗର ୨ଟି ଛୁଆ ଜନ୍ମ ଦେଇଛି। ୨୦୧୧ ଜୁଲାଇ ୧୩ରେ ସାଧାରଣ ବାଘ ନିଷାନ ଓ ଧଳା ବାଘୁଣୀ କୁସୁମ ଔରସରୁ ଧଳା ବାଘୁଣୀ ବିଜୟା, ରାଗିଣୀ ଜନ୍ମ ନେଇଥିଲେ। ଦ୍ୱିତୀୟ ଥର ପାଇଁ ମା’ ହୋଇଛି ୭ ବର୍ଷର ବାଘୁଣୀ ବିଜୟା। ବିଜୟା ଗର୍ଭଧାରଣ ପରେ ତା’ ଉପରେ କର୍ତ୍ତୃପକ୍ଷ ସତର୍କ ଦୃଷ୍ଟି ରଖିଥିଲେ। ବିଜୟା ରହୁଥିବା ୨ ନମ୍ବର ‘ଖ’ ଖୁଆଡ଼ ଖାଇବା ଘରକୁ ଯାତାୟାତ ବନ୍ଦ କରାଯାଇଥିଲା। ଶନିବାର ସକାଳେ ବିଜୟା ମା’ ହୋଇଥିବା ଜଣାଡ଼ିିଥିଲା। ବିଜୟା ସମସ୍ତ ବାଘଙ୍କଠାରୁ ଶାନ୍ତ ହୋଇଥିବାରୁ ଜନ୍ମ କଲା ପରେ ୪ ଗୋଟି ସିସିଟିଭି ଲଗାଇ ବିଜୟାର ଗତିବିଧିକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି। ଜନ୍ମ ନେଇଥିବା ଶାବକ ଦ୍ୱୟକୁ ଠିକ୍‍ ଭାବେ ଯତ୍ନ ନିଆଯାଉଥିବା ସହ କ୍ଷୀର ଖାଇବାକୁ ଦିଆଯାଉଛି ବୋଲି ଜନ୍ତୁ ଏସିଏଫ୍‍ ଅଞ୍ଜନ କୁମାର ମହାନ୍ତି କହିଛନ୍ତି। ବାଘ ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ କର୍ତ୍ତୃପକ୍ଷ ୨୦୧୬ ଅଗଷ୍ଟ ୯ରେ ରୋଷନ ସହିତ ବିଜୟାକୁ ମିଶିିବାକୁ ଦେବା ପରେ ତା’ ଔରସରୁ ଅଣ୍ଡିରା ଧଳାବାଘ ସାହିଲ ଓ ମାଈ ସାଧାରଣ ବାଘୁଣୀ ଆଦ୍ୟାଶା ଜନ୍ମ ହୋଇଥିଲେ। ଏହା ଥିଲା ବିଜୟାର ପ୍ରଥମ ଗର୍ଭ। ବିଜୟା ୨ ଛୁଆ ଜନ୍ମ ଦେବା ପରେ ବାଘ ସଂଖ୍ୟା ବୃଦ୍ଧି ପାଇ ଏବେ ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ୪ ଅଣ୍ଡିରା ୪ ମାଈ ଧଳାବାଘ ଓ ୫ ଅଣ୍ଡିରା ୯ ମାଈ ସାଧାରଣ ବାଘ ଓ ୨ଟି ଅଣ୍ଡିରା କଳାଲୋମଯୁକ୍ତ ବାଘ ଥିବାବେଳେ ନବଜାତ ଶାବକଦ୍ୱୟଙ୍କ ଲିଙ୍ଗ ଚିହ୍ନଟ ହୋଇନାହିଁ। ମା’ ଓ ଦୁଇ ଶାବକଙ୍କୁ ସିସିଟିଭି କ୍ୟାମେରାରେ ୭୨ ଘଣ୍ଟା ପର୍ଯ୍ୟନ୍ତ ନଜରରେ ରଖାଯାଇଛି। ଯେହେତୁ ଦ୍ୱିତୀୟ ଥର ପାଇଁ ବିଜୟା ମା’ ହୋଇଛି ସେ ତା’ର ଶାବକକୁ ଠିକ୍‍ ଭାବେ ଗ୍ରହଣ କରୁଛି ନା ନାହଁ ତାହା ଅନୁଧ୍ୟାନ କରିବା ନିହାତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ୨୦୦୨ ସେପ୍ଟେମ୍ବର ୫ରେ ରାମ ଓ ଶ୍ରୀୟା ସାଧାରଣ ବାଘ ବାଘୁଣୀ ଔରସରୁ ରୋଶନ ଜନ୍ମଗ୍ରହଣ କରିଥିଲା। ୨୦୧୮ ସେପ୍ଟେମ୍ବର ୧୨ରେ ଧଳାବାଘ ସମ୍ରାଟ ଓ ସାଧାରଣ ବାଘୁଣୀ ରେଣୁକାର ମିଳନ ହୋଇଛି। ଏମାନଙ୍କ ମିଳନରୁ କଳା ଲୋମଯୁକ୍ତ ଶାବକ ଜନ୍ମ ହେବେ ବୋଲି ନନ୍ଦନକାନନ ଜନ୍ତୁରେଞ୍ଜର ଅଶୋକ କୁମାର ଦାସ ଆଶା ବାନ୍ଧିଛନ୍ତି।

Leave A Reply