ତଲାବିରା କୋଇଲା ଖଣିରେ ଲାଗିରହିଛି ବିସ୍ଥାପିତ, କ୍ଷତିଗ୍ରସ୍ତ ଓ ଜମିହରାଙ୍କ ସମସ୍ୟା; ମାଟି ଡମ୍ପିଂ କାମ ବନ୍ଦ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଖିଣ୍ଡା ପଞ୍ଚାୟତରେ ଥିବା ଏନ୍.ଏଲ୍.ସି କମ୍ପାନୀ କୋଇଲା ଖଣି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନୀୟ ଲୋକଙ୍କୁ ଚାକିରି ପ୍ରତିଶ୍ରୁତି ଦେଇ ପ୍ରତାରଣା କରି ବାହାର ଅଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ନଦେଇ ଜୋର୍ ଜବରଦସ୍ତ ଜମିରେ ମାଟି ଡମ୍ପିଂ କରୁଥିବା ଅଭିଯୋଗ ହୋଇଛି। ଫଳ ସ୍ବରୂପ ୬୪ ଦିନ ହେବ ତଲାବିରା କୋଇଲା ଖଣିର ଓ. ବି ଡମ୍ପର କାମ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତଲାବିରା, ଖିଣ୍ଡା, ବୁଧିଆପାଲିର ପ୍ରଜାମାନଙ୍କ ଜମିରେ କମ୍ପାନୀ ବେଆଇନ ଭାବରେ ଜମି ମାଲିକମାନଙ୍କୁ ବିନା କ୍ଷତିପୂରଣ ଓ ବିନା ସହମତିରେ ମାଟି ପୋତି ଦେଉଥିବାରୁ ଏହାର ପ୍ରତିବାଦରେ ଲୋକେ ଓ.ବି ଡମ୍ପ କାମ ବନ୍ଦ କରି ଦେଇଛନ୍ତି। କମ୍ପାନୀର ଓ.ବି ଡମ୍ପ କାମ ବନ୍ଦ ହେବାରୁ ଏହାର ସମାଧାନ ପାଇଁ ତହସିଲଦାର ଦମୟନ୍ତି ସାହୁ, ସମ୍ବଲପୁର ଏସଡିପିଓ ପ୍ରଦୀପ କୁମାର ସାହୁ, ଠେଲକୁଲି ଥାନାଧିକାରୀ ବିଧୁଭୁଷଣ ମିଶ୍ର ଏବଂ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହିତ କ୍ଷତିଗ୍ରସ୍ତ ପରିବାର ମଧ୍ୟରେ ଏକ ବୈଠକ ହୋଇଥିଲା। ଏହା ସତ୍ତ୍ବେ ଏଥିରେ କୌଣସି ସମାଧାନ ନହେବା ଫଳରେ ସମ୍ବଲପୁର ଉପଜିଲ୍ଲାପାଳ ସୂର୍ୟ୍ୟବଂଶୀ ମୟୁର ବିକାଶଙ୍କ ଅଧ୍ୟକ୍ଷତାରେ ରେଙ୍ଗାଲି ତହସିଲରେ ପୁଣି ବୈଠକ ହୋଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳଙ୍କ ସହିତ ରେଙ୍ଗାଲି ତହସିଲଦାର ଦମୟନ୍ତି ସାହୁ, ସମ୍ବଲପୁର ଏସଡିପିଓ ପ୍ରଦୀପ କୁମାର ସାହୁ, ଠେଲକୁଲି ଥାନାଧିକାରୀ ବିଧୁଭୁଷଣ ମିଶ୍ରଙ୍କ ସହିତ ବିସ୍ଥାପିତ ପରିବାର ଓ ଜମିହରା ଲୋକମାନେ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଏହି ବୈଠକରେ କ୍ଷତିଗ୍ରସ୍ତ ଲୋକେ ସି.ବି ଆକ୍ଟ ଏବଂ ଓଡ଼ିଶା ସରକାରଙ୍କ ଥଇଥାନ ନୀତି ଅନୁସାରେ ଯେପରି ଟଙ୍କାଟିଏ କମ୍ ପାଇବେନାହିଁ ସେଥିପ୍ରତି ପଦକ୍ଷେପ ନେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେବା ସହିତ ତହସିଲଦାର, ଏସଡ଼ିପିଓ, ଥାନାଧିକାରୀ ଓ ୫ ଜଣ ସଭ୍ୟଙ୍କୁ ନେଇ ପ୍ରତି ଦୁଇ ମାସରେ ରିଭ୍ୟୁ କରିବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ପ୍ରତିଶ୍ରୁତି ପାଳନ କରିବା ତ ଦୂରର କଥା ବୁଧିଆପାଲିର ରାମ୍ ଦାସ ନାମକ ଜଣେ ବିକଳାଙ୍ଗ ପରିବାରର ଜମି ଟଙ୍କା ନଦେଇ ବେଆଇନ ମାଟି ପକାଇ ଦେଇଥିବା ଅଭିଯୋଗ ହୋଇଛି। ବିକଳାଙ୍ଗ ପରିବାର ଠେଲକୁଲି ଥାନାର ଦ୍ବାରସ୍ଥ ହେବା ସହିତ ଉପଜିଲ୍ଲାପାଳଙ୍କୁ କାନ୍ଦି କାନ୍ଦି କମ୍ପାନୀର ଅନ୍ୟାୟ ସଂକ୍ରାନ୍ତରେ ଉପଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଥିଲେ।
କିନ୍ତୁ ପରିତାପର ବିଷୟ ଯେ, ୧୮ ଦିନ ବିତିଗଲା ପରେ ବି କୌଣସି ପ୍ରତିକାର ହୋଇପାରି ନାହିଁ। ସେହିପରି ସନାତନ ବୁଧିଆ ଓ ଗୋବର୍ଦ୍ଧନ ରାଉତଙ୍କ ପରିବାର ସହିତ ଅନେକ ପରିବାରର ଜମି କ୍ଷତିପୂରଣ ଟଙ୍କା ନଦେଇ ବେଆଇନ ମାଟି ପକାଇଥିବାରୁ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Comments are closed.