www.samajalive.in
Monday, December 8, 2025
14.1 C
Bhubaneswar

ମହଙ୍ଗା ମାଡ଼

ଦେଶରେ ମୁଦ୍ରାସ୍ଫୀତି ସ୍ଥିତି ଓ ବୈଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଆଗାମୀ ସମୟରେ ଉପଭୋକ୍ତା ଉପରେ ଅଧିକ ମହଙ୍ଗା ମାଡ଼ ପଡ଼ିବା ଅନୁମେୟ

ଦେଶରେ ଦିନକୁ ଦିନ ମୁଦ୍ରାସ୍ଫୀତି ଯେପରି ବୃଦ୍ଧି ପାଉଛି, ତା’ର ପ୍ରଭାବ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀଗୁଡ଼ିକ ଉପରେ ମଧ୍ୟ ପଡ଼ୁଛି ଏବଂ ଦରବୃଦ୍ଧି ଅସହ୍ୟ ହେଲାଣି। ନିକଟରେ ଅନେକ କମ୍ପାନୀ ଖିର ଦାମ୍‌ ବଢ଼ାଇଥିବାବେଳେ ତୈଳ କମ୍ପାନୀଗୁଡ଼ିକ ବ୍ୟାବସାୟିକ ସିଲିଣ୍ଡରର ଦାମ୍‌ ଏକାଥରେ ୧୦୫ ଟଙ୍କା ବଢ଼ାଇଛନ୍ତି। ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହେବାପରେ ଘରୋଇ ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ମଧ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି। ଖାଦ୍ୟ ତୈଳର ମୂଲ୍ୟ ତ ପ୍ରତିଦିନ ବୃଦ୍ଧି ପାଉଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ସୋରିଷ ଓ ସୋୟାବିନ ତେଲ ୧୫ରୁ ୨୦ ଟଙ୍କା ମହଙ୍ଗା ହୋଇସାରିଛି। ଏଥିପାଇଁ ୟୁକ୍ରେନ୍‌-ଭାରତ ଯୁଦ୍ଧକୁ କାରଣ ବୋଲି କୁହାଯାଉଛି। ତେବେ ଅସାଧୁ ବ୍ୟବସାୟୀମାନେ ଏହାକୁ ଆଳ କରି ମହଜୁଦ ଥିବା ଖାଇବା ତେଲକୁ ମଧ୍ୟ ଉଚ୍ଚ ଦରରେ ବିକ୍ରି କରୁଛନ୍ତି। ଏଥିରେ ସରକାରୀ ଅଙ୍କୁଶ ଆଦୌ ନାହିଁ କହିଲେ ଚଳେ। ଆଗାମୀ ଦିନଗୁଡ଼ିକରେ ପ୍ରତ୍ୟେକ ଜିନିଷ ଆହୁରି ମହଙ୍ଗା ହେବାର ସବୁ ସମ୍ଭାବନା ଦିଶିଲାଣି; କାରଣ ପ୍ରାୟ ଗୋଟିଏ ସପ୍ତାହ ପରେ ପେଟ୍ରୋଲ୍‌-ଡିଜେଲ୍‌ର ଦାମ୍‌ ମଧ୍ୟ ବଢ଼ିବା ପ୍ରାୟ ନିଶ୍ଚିତ। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ କାରଣରୁ ବିଗତ ତିନି ମାସ ହେଲା ପୂର୍ବରୁ ପ୍ରତିଦିନ ବଢ଼ୁଥିବା ଦର ସ୍ଥିର ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସରକାର ତୈଳମୂଲ୍ୟ ଦର ଉପରେ ନିଜର ନିୟନ୍ତ୍ରଣ ନାହିଁ ବୋଲି କହୁଥିଲେ ସୁଦ୍ଧା ବାସ୍ତବତା କ’ଣ, ତାହା ଯେ କେହି ଏଥିରୁ ଅନୁମାନ କରିପାରିବ। ପ୍ରକୃତରେ ବିଗତ କିଛି ଦିନ ହେଲା ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ବୃଦ୍ଧି ପାଇ ବ୍ୟାରେଲ୍‌ ପିଛା ୧୧୩ ଡଲାରରୁ ଅଧିକ ହୋଇଛି। ଗତ ଆଠ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏହି ସ୍ତର ଅତିକ୍ରମ କରିଥିବାରୁ ପେଟ୍ରୋଲ୍‌ ଡିଜେଲ୍‌ ଦର ବଢ଼ିବା ଥୟ। ଅନ୍ତତଃ, ତୈଳ କମ୍ପାନୀଗୁଡ଼ିକୁ ଏହା ଏକ ବଡ଼ ଯୁକ୍ତିଯୁକ୍ତ କାରଣ ମଧ୍ୟ ମିଳିଯିବ। ଯଦି ପେଟ୍ରୋଲ୍‌-ଡିଜେଲ୍ ଦର ବଢ଼େ, ତେବେ ପରିବହନ ଓ ଉତ୍ପାଦନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ଏବଂ ସ୍ବାଭାବିକମାନେ ଜିନିଷପତ୍ରର ଦର ବଢ଼ିଯିବ। ତେଣୁ ଆଗାମୀ ସମୟରେ ଉପଭୋକ୍ତାଙ୍କ ଉପରେ ବଡ଼ ମହଙ୍ଗା ମାଡ଼ ପଡ଼ିବାକୁ ଯାଉଛି କହିଲେ ଭୁଲ୍‌ ହେବ ନାହିଁ।

- Advertisement -

ସରକାରୀ ତଥ୍ୟରୁ ମଧ୍ୟ ଦେଶରେ ମହରଗର ସ୍ଥିତି ସହଜରେ କଳନା କରିହେବ। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଗତ ଜାନୁଆରୀ ୨୦୨୨ରେ ମୁଦ୍ରାସ୍ଫୀତି ୫.୮୪ ଶତାଂଶ ଥିବାବେ​‌େ​‌ଳ ତା’ ପୂର୍ବ ମାସ ଡିସେମ୍ବର ୨୦୨୧ରେ ୫.୫୬ ଶତାଂଶ ଥିଲା। ଏହା ଠିକ୍‌ ବର୍ଷେ ତଳେ ଅର୍ଥାତ ଜାନୁଆରୀ ୨୦୨୧ରେ ୧.୧୫ ଶତାଂଶ ରହିଥିଲା। ଏହି ପରିସଂଖ୍ୟାନ କହୁଛି ଯେ ବିଗତ ଏକ ବର୍ଷ ମଧ୍ୟରେ ଖୁଚୁରା ମହଙ୍ଗା ହାର ୨.୬୯ ଶତାଂଶ ବୃଦ୍ଧି ଘଟିସାରିଛି, ଯାହା ସାଧାରଣ ଉପଭୋକ୍ତାଙ୍କ ପାଇଁ ଆଦୌ ମାମୁଲି ନୁହେଁ। ଗତ ମାସରେ ପରିସଂଖ୍ୟାନ ବିଭାଗ ପକ୍ଷରୁ ଯେଉଁ ଖୁଚୁରା ମହରଗ ବିଷୟରେ ପରିସଂଖ୍ୟାନ ଦିଆଯାଇଛି, ସେଥିରୁ ମଧ୍ୟ ଏହି ସମାନ ଚିତ୍ର ମିଳୁଛି। ଏହି ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦୨୨ ସୁଦ୍ଧା ଖୁଚୁରା ମହଙ୍ଗା ହାର ୬.୧ ଶତାଂଶରେ ପହଞ୍ଚିଥିଲା, ଯାହା ବିଗତ ସାତ ମାସ ମଧ୍ୟରେ ସର୍ବାଧିକ। ଏହା ଏଇଥିପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଏବଂ ଉଦ୍‌ବେଗଜନକ ଯେ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ରୁ ୬ ଶତାଂଶ ମଧ୍ୟରେ ଏହାକୁ ସୀମିତ କରି ରଖିବା ପାଇଁ ଯେଉଁ ପରିସୀମା ନିର୍ଦ୍ଧାରଣ କରିଥିଲା, ତା’ଠୁ ମଧ୍ୟ ଅଧିକ ହୋଇଯାଇଛି। କେବଳ ଖୁଚୁରା ମୁଦ୍ରାସ୍ଫୀତି ନୁହେଁ, ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଛି। ବିଗତ ଦଶ ମାସ ଧରି ଏହା ୧୦ ଶତାଂଶରୁ ଅଧିକ ରହୁଛି। ଅବଶ୍ୟ ଆର୍‌ବିଆଇ ଆଗରୁ ମଧ୍ୟ କହିଥିଲା ଯେ ମହରଗ ଏବେ କମ୍‌ ହେବାର କୌଣସି ସମ୍ଭାବନା ଦିଶୁ ନାହିଁ। ଏଥିରେ ସନ୍ତୁଳନ ଆଣିବା ପାଇଁ ଅବଶ୍ୟ ଆର୍‌ବିଆଇ ଚେଷ୍ଟା କରିଥିଲା ଏବଂ ମୁଦ୍ରା ନୀତି ସମିତି (ଏମ୍‌ପିସି) ନୀତିଗତ ହାରରେ କୌଣସି ପରିବର୍ତ୍ତନ କରିନଥିଲା। ଏଥିରେ ପରିବର୍ତ୍ତନ କରାଯାଇଥିଲେ ମୁଦ୍ରାସ୍ଫୀତି ଅଧିକ ବଢ଼ିବାର ଆଶଙ୍କା ରହୁଥିଲା। ସେ ଯାହାହେଉ, କୋଭିଡ଼ ୧୯ ଯୋଗୁଁ ତ ଭାରତ ଓ ଅନ୍ୟ ଦେଶଗୁଡ଼ିକର ଅର୍ଥନୀତି ସଙ୍କଟ ଭିତରେ ଗତି କରୁଥିଲା; ଏବେ ୟୁକ୍ରେନ-ରୁଷ ଯୁଦ୍ଧର ପ୍ରଭାବ ମଧ୍ୟ ବିଭିନ୍ନ ଦେଶର ଅର୍ଥନୀତି ଉପ​‌େ​‌ର ପଡ଼ିବା ଆରମ୍ଭ କଲାଣି। ଏଥିରୁ ଭାରତ ମଧ୍ୟ ବାଦ୍‌ ପଡ଼ି ନପାରେ; କାରଣ ବହୁତ ପ୍ରକାରର ଜିନିଷ ଇଉରୋପୀୟ ଦେଶଗୁଡ଼ିକରୁ ଆମଦାନୀ କରିଥାଏ। ଯେତେବେଳେ ଏହି ଦ୍ରବ୍ୟଗୁଡ଼ିକର ଆମଦାନୀ ହୋଇପାରୁ ନାହିଁ, ସେଥିରେ ଏଠାକାର ଉଦ୍ୟୋଗଗୁଡ଼ିକ ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ। ଏପରି ସ୍ଥିତିରେ ମୁଦ୍ରାସ୍ଫୀତି ସହିତ ଜିନିଷପତ୍ର ଅଧିକ ମହଙ୍ଗା ହେବ ନାହିଁ ବୋଲି କେହି କହିପାରିବ ନାହିଁ।

ବାସ୍ତବରେ ଦେଖିବାକୁ ଗଲେ ମୁଦ୍ରାସ୍ଫୀତି ତଥା ମହରଗ କେବଳ ଲୋକଙ୍କ ଆର୍ଥିକ ସ୍ଥିତିକୁ ବିପନ୍ନ କରୁନାହିଁ, ସାମାଜିକ ସନ୍ତୁଳନକୁ ମଧ୍ୟ ନଷ୍ଟଭ୍ରଷ୍ଟ କରିଦେଉଛି। ଗରିବମାନେ ଅଧିକ ଗରିବ ହୋଇଚାଲିଛନ୍ତି। ନିମ୍ନ ମଧ୍ୟବିତ୍ତ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଉଛି। ଏପରି ଲୋକଙ୍କ ସଂଖ୍ୟା ଭାରତରେ ବଢ଼ିଚାଲିଛି। ସରକାର ଲୋକଙ୍କୁ କିଛି ଡାଲିଚାଉଳ ଯୋଗାଇ ନିଜ ରାଜନୀତିରେ ବ୍ୟସ୍ତ। ଲୋକଙ୍କ ପାଇଁ କାମ ସୃଷ୍ଟି ନ କଲେ ସେମାନେ ରୋଜଗାର କରିପାରିବେ ନାହିଁ ଏବଂ ମହରଗ ସେମାନଙ୍କ ପାଇଁ ଜୀବନ ନାଶକ ସାବ୍ୟସ୍ତ ହୋଇପାରେ। ଏଥିପ୍ରତି ସରକାରଙ୍କ ଦୃଷ୍ଟି ଅଛି ତ?

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories