ଧନେଶ୍ୱର ସାମନ୍ତରାୟ ଆରୋଗ୍ୟ ନିକେତନର ୩ୟ ବାର୍ଷିକ ଉତ୍ସବ

ବାଙ୍କୀ: ଢଁସର ଗ୍ରାମ ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିସରରେ ନିଃଶୁକ୍ଳ ରୋଗୀ ସେବା ଯୋଗାଇ ଆସୁଥିବା ଧନେଶ୍ୱର ସାମନ୍ତରାୟ ଆରୋଗ୍ୟ ନିକେତନର ୩ୟ ବାର୍ଷିକୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ନିକେତନ ପରିଚାଳନା ଟ୍ରଷ୍ଟି ତଥା ଧନେଶ୍ୱର ସାମନ୍ତରାୟ ଆରୋଗ୍ୟ ନିକେତନର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡାକ୍ତର ଏସ. ହରିଶଙ୍କର ପାତ୍ର, ଡାକ୍ତର ହରିହର ପଣ୍ଡା, ସମରେନ୍ଦ୍ର ବଳିୟାରସିଂ ଏବଂ ବ୍ରଜବନ୍ଧୁ ଭୋଳ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଏଭଳି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ରୋଗୀ ସେବା ଅନୁଷ୍ଠାନ ଭଗବାନଙ୍କର ସେବା ଭାବି ଦୀର୍ଘ ୩ ବର୍ଷଧରି ସେବା ଯୋଗାଣ ଏବଂ ଅଞ୍ଚଳର ବିଶିଷ୍ଟ ସମାଜସେବୀ ପୂର୍ବତନ ସରପଞ୍ଚ ଧନେଶ୍ୱର ସାମନ୍ତରାୟଙ୍କର ସ୍ମୃତିକୁ ରୁଧିମନ୍ତ କରିବାରେ ସହାୟ ହୋଇପାରିଛି ବୋଲି କହିଛନ୍ତି। ଶିକ୍ଷାବିତ୍‍ ସନ୍ତୋଷ କୁମାର ଜେନାଙ୍କ ସଂଯୋଜନାରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରମାକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଦ୍ୱୈତ ପ୍ରଧାନ ଧନ୍ୟବାଦ ଦେଇଥିଲେ। ନୀରବଚ୍ଛିନ୍ନ ରୋଗୀ ସେବା ପାଇଁ ଡାକ୍ତର ସୁବାଷ ଚନ୍ଦ୍ର ମିଶ୍ର, ଡାକ୍ତର ପୌର୍ଣ୍ଣମାସୀ ପଣ୍ଡା,ଡାକ୍ତର ରାମକୃଷ୍ଣ ତ୍ରିପାଠୀଙ୍କୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସେହିପରି ମାୟାଧର ରାଉତ, ଶ୍ରଦ୍ଧାଞ୍ଜଳୀ ଜେନା,ସ୍ୱାଧୀନ ରଥ ପ୍ରମୁଖ ଆରୋଗ୍ୟ ନିକେତନର କାର୍ଯ୍ୟଧାରାରେ ସହଯୋଗ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ତୁଳସୀପୁର ଗ୍ରାମର ଡାକ୍ତର ଧନେଶ୍ୱର ସାହୁଙ୍କ ସ୍ମୃତି ସମ୍ମାନ ସ୍ୱରୂପ ନବକିଶୋର ପ୍ରଧାନ ଏବଂ ପ୍ରତାପ କୁମାର ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି। ରାମକୃଷ୍ଣ ମିଶନ ଏବଂ ଧନେଶ୍ୱର ସାମନ୍ତରାୟ ଆରୋଗ୍ୟ ନିକେତନର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିବେକାନନ୍ଦ ଷ୍ଟଡି ସର୍କଲ ପକ୍ଷରୁ ବିଦ୍ୟାର୍ଥୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।

Comments are closed.